ଭୁବନେଶ୍ବର: ପୁଣି ଥରେ ଓଡ଼ିଶାର ଏକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଗତ କିଛି ଦିନ ହେବ ଓଡିଶାର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହେଉଥିବା ବେଳେ ଆଜି ପୁଣି ଭୂକମ୍ପ ଖବର ସାମ୍ନାକୁ ଆସିଛି । ଟାଙ୍ଗୀରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । 6 ସେକେଣ୍ଡ ପାଇଁ ଥରିଛି ଟାଙ୍ଗୀ ମାଟି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି । ଅପରାହ୍ନ 4ଟା 54 ମିନିଟରୁ 5ଟା ଭିତରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକେ ଘରୁ ବାହାରି ଆସିଥିଲେ । ତେବେ ଗତ କିଛି ଦିନ ହେବ ଓଡିଶାରେ ଏଭଳି ଭୂକମ୍ପ ହେଉଥିବା ବେଳେ ଏହା ଚିନ୍ତାର କାରଣ ସାଜିଛି । ରିକ୍ଟର ସ୍କେଲରେ ତୀବ୍ରତା ଜଣାପଡିନଥିଲେ ହେଁ ମୃଦୁ ହୋଇଥିବା ଜଣାପଡିଛି । କିନ୍ତୁ ସରକାରୀ ଭାବେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ ।
ତେବେ ଏହା ପୂର୍ବରୁ ଗତକାଲି ଅର୍ଥାତ୍ ବୁଧବାର ଦିନ ଓଡିଶାର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ କେବଳ କୋକସରା ନୁହେଁ, ଧର୍ମଗଡ଼ ଅଞ୍ଚଳରେ ମଧ୍ୟ ଆଜି ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ବଡ ଧରଣର ଭୂକମ୍ପ ହୋଇନଥିଲେ ହେଁ ମୃଦୁ ଭୂକମ୍ପ ହୋଇଥିବା ଜଣାପଡିଛି ।