fbpx
BJD
BJD SKY
BJD SKY

ପୁଣି ବଢ଼ିବ କ୍ଷୀର ଦାମ, ଗ୍ରୀଷ୍ମରେ ଲାଗିବ ଝଟକା! RBI ରିପୋର୍ଟକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ପହିଲାରୁ ରାଜ୍ୟରେ ଓମଫେଡ କ୍ଷୀର ଦାମ୍ ବୃଦ୍ଧି ହୋଇଥିଲା । କ୍ଷୀର ଲିଟର ପିଛା ୪ ଟଙ୍କା ମହଙ୍ଗା ହୋଇଥିଲା । ଫୁଲ କ୍ରିମ ଓ ଟୋନଡ କ୍ଷୀରର ରେଟ୍ କମ୍ପାନୀ ବୃଦ୍ଧି କରିଥିଲା । ଏଥିସହିତ ପ୍ରିମିୟମ ଓ ଗୋଲ୍ଡ କ୍ଷୀର ଦର ୨୪ରୁ ୨୬ ଟଙ୍କାକୁ ବଢ଼ିଥିବା ବେଳେ ସ୍ପେଶାଲ ଚା’ ୨୩ରୁ ୨୫ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ କ୍ଷୀର ଦର ବୃଦ୍ଧି ହେବା ପରେ ପରବର୍ତ୍ତୀ ସମୟରେ ଦହି, ଛେନା, ପନିର ପରି ଦୁଗ୍ଧଜାତ ସାମଗ୍ରୀର ଦର ବଢ଼ିବା ନେଇ ଆଶଙ୍କା କରାଯାଇଥିଲା ।

ସୂଚନା ମୁତବାକ, ପୁଣି ସାଧାରଣ ଜନତାଙ୍କୁ ଏକ ଝଟକା ଲାଗିପାରେ । ପୁଣି ଥରେ ବଢ଼ିପାରେ କ୍ଷୀର ଦର । ଗତ ୬ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ଘୋଷଣା କରିଥିଲା । ତେବେ ଦେଶରେ କ୍ଷୀର ଚାହିଦା ବୃଦ୍ଧି ସହ ଗୋଖାଦ୍ୟ ଦର ବଢ଼ିଥିବାରୁ ଗ୍ରୀଷ୍ମଋତୁରେ ଦୁଗ୍ଧ ମୂଲ୍ୟ ଅଧିକ ରହିପାରେ ବୋଲି ଆରବିଆଇ ଗଭର୍ଣ୍ଣର ସୂଚନ ଦେଇଥିଲେ । ଆରବିଆଇ ତରଫରୁ ଆସିଥିବା ଏହି ବୟାନ ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଚିନ୍ତାଜନକ ।

ଭାରତ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିଲେ ହେଁ ନିଜର ଆବଶ୍ୟକତା ମେଣ୍ଟାଇବ ପାଇଁ ବିଦେଶରୁ ଘିଅ, ଲହୁଣୀ ପରି ଦୁଗ୍ଧଜାତ ସାମଗ୍ରୀ ଆମଦାନୀ କରିପାରେ । ଗତ ଏକ ବର୍ଷ ଧରି ଦେଶରେ ଦୁଗ୍ଧ ଉତ୍ପାଦନ ତୁଳନାରେ ଚାହିଦା ବୃଦ୍ଧି ପାଇ ଚାଲିଥିବାରୁ ଗ୍ରୀଷ୍ମ ଋତୁରେ ପୁଣି କ୍ଷୀର ଦର ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ତେଣୁ କେନ୍ଦ୍ର ସରକାର ଓ ଜାତୀୟ ଡେୟରୀ ବିକାଶ ବୋର୍ଡ (ଏନଡିଡିବି) ଦୁଗ୍ଧଜାତ ସାମଗ୍ରୀର ଯୋଗାଣ-ଚାହିଦା ଉପରେ ଅନୁଧ୍ୟାନ କରୁଛନ୍ତି ।

ଗାଈଙ୍କ ଠାରେ ଲମ୍ପି ଚର୍ମ ରୋଗ ଓ କୋଭିଡ୍ ମହାମାରୀ ଯୋଗୁ ଗୋ-ପ୍ରଜନନ ହ୍ରାସ ପାଇବାରୁ କ୍ଷୀର ଉତ୍ପାଦନ କମିଛି । ଅନ୍ୟପକ୍ଷରେ କ୍ଷୀର ଚାହିଦା ୮-୧୦ ପ୍ରତିଶତ ବଢ଼ିଛି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସରେ ମଦର ଡେୟରୀ କ୍ଷୀର ଦର ବୃଦ୍ଧି ଘୋଷଣା କରିଥିଲା । ଏହା ପୂର୍ବରୁ ଅଗଷ୍ଟ ମାସରେ ଅମୂଲ କମ୍ପାନୀ ମଧ୍ୟ କ୍ଷୀର ଦର ବୃଦ୍ଧି କରିଥିଲା ।

Get real time updates directly on you device, subscribe now.