fbpx
BJD SKY
BJD SKY

ବିଶ୍ୱବାସୀଙ୍କ ହୃଦୟରେ ପହଞ୍ଚିବ ମାଣ୍ଡିଆ: ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ହେଲା ମ୍ୟୁଜିକ୍ ଭିଡିଓ, ସମସ୍ତେ ଶୁଣିବେ ମାଣ୍ଡିଆ ସଙ୍ଗୀତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆ ଚାଷର ଉନ୍ନତି କରିବା ସହିତ ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖରେ ‘ମାଣ୍ଡିଆ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ହିତକର ଏହି ପୁଷ୍ଟିକର ଶସ୍ୟକୁ ସ୍କୁଲରେ ମେନ୍ୟୁ ଭାବେ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ସେଥିପାଇଁ ରାଜ୍ୟ ସରକାର ‘ମିଲେଟ୍ ‘ମିଶନ’ ଆରମ୍ଭ କରିଥିଲେ ।

ତେବେ ଏହା ମଧ୍ୟରେ ମାଣ୍ଡିଆକୁ ନେଇ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ମାଣ୍ଡିଆକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ମାଣ୍ଡିଆ ଗୀତ ‘ସବୁଠୁ ପୁରୁଣା ଦାନା ମାଣ୍ଡିଆ’ । ଏହି ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଗ୍ରାମୀ ପୁରସ୍କାରପ୍ରାପ୍ତ ଭାରତୀୟ ସଙ୍ଗୀତଜ୍ଞ ଡ. ରିକି କେଜ୍ । ଓଡ଼ିଶା ମିଲେଟ୍ ମିଶନ୍ ଓ ମାଣ୍ଡିଆକୁ ନେଇ ରିକି ପ୍ରସ୍ତୁତ କରିଥିବା ଗୀତକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ପ୍ରଶଂସା କରିଥିବା ଜଣାପଡ଼ିଛି ।

ନିକଟରେ ସମାପ୍ତ ହୋଇଥିବା ପୁରୁଷ ହକି ବିଶ୍ୱରେ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପରସା ଯାଇଥିଲା । ତେବେ ଏବେ ମାଣ୍ଡିଆ ଗୀତକୁ ଶୁଣିବେ ସାରା ବିଶ୍ୱବାସୀ ଆଉ ଜାଣିବେ ଓଡ଼ିଶାର ମାଣ୍ଡିଆର ଗୌରବମୟ ଗାଥା । ଏହି ଗୀତ ମାର୍କେଟକୁ ଆସିବା ପରେ ଲୋକଙ୍କ ମଧ୍ୟରେ ମାଣ୍ଡିଆକୁ ନେଇ ଆହୁରି ଅଧିକ ଉତ୍ସାହ ଓ ଉଦ୍ଦୀପନା ଜାଗ୍ରତ ହେବ । ୩ ମିନିଟ୍ ୫ ସେକେଣ୍ଡର ଏହି ମ୍ୟୁଜିକ୍ ଭିଡିଓକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରାଯିବା ପରେ ଏହାକୁ ସମସ୍ତେ ପସନ୍ଦ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏହି ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ ହୋଇଥିବା ବେଳେ ଏହା ପଛରେ ଏକ ଟିମ୍ କାମ କରିଥିଲା ।

Get real time updates directly on you device, subscribe now.