fbpx

ନାଗାଲାଣ୍ଡ ବାଛିବ ନୂଆ ସରକାର: BJP-NDPP ମେଣ୍ଟ ଆଗକୁ ମାଡ଼ି ଚାଲିଛି

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି । ରାଜ୍ୟ ବିଧାନସଭାର ମୋଟ ୬୦ଟି ସିଟ୍ ପାଇଁ ଗତ ମାସ ୨୭ ତାରିଖରେ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଏଥର ନିର୍ବାଚନରେ ବିଜେପି- ନ୍ୟାସନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି) ମେଣ୍ଟ କମାଲ କରିବାକୁ ଯାଉଛି । ବିଜେପି-ଏନଡିପିପି ମେଣ୍ଟ ୪୧ଟି ସିଟରେ ଆଗରେ ରହିଛି । ତେଣୁ ରାଜ୍ୟରେ ଏହି ମେଣ୍ଟ ଏଥର ସରକାର ଗଠନ କରିବାର ସମ୍ଭାବନା ରହିଛି ।

ସେହିପରି ଅନ୍ୟ ରାଜନୈତିକ ପାର୍ଟି ମଧ୍ୟରେ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ୪ଟିରେ, କଂଗ୍ରେସ ୧ଟିରେ ଓ ଅନ୍ୟ ଦଳମାନେ ୧୪ଟି ସିଟରେ ଆଗୁଆ ରହିଛନ୍ତି । ବିଜେପି-ଏନଡିପିପି ମେଣ୍ଟ ମ୍ୟାଜିକ ନମ୍ବରଠାରୁ ଅଧିକ ସଂଖ୍ୟକ ସିଟରେ ଆଗରେ ରହିଥିବା ବେଳେ ଗୋଟିଏ ସିଟରେ ବିଜୟ ହାସଲ କରିଛି । ଆଜିର ଭୋଟ ଗଣତି ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ, ଉପମୁଖ୍ୟମନ୍ତ୍ରୀ ଯାନଥୁଙ୍ଗୋ ପ୍ୟାଟନ, ଏନପିଏଫ ନେତା କୁଝୋଲୁଜୋ ନିଏନୁ ବିଜେପି ପ୍ରଦେଶ ଅଧ୍ୟକ୍ଷ ତେମଜେଇ ଇମନା ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ବର୍ଷ ଦେଶରେ ୨୦୨୪ ଲୋକସଭା ନିର୍ବାଚନ ହେବାର ଅଛି । ତା’ ପୂର୍ବରୁ ଚଳିତ ବର୍ଷ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହା ମଧ୍ୟରେ ଆଜି ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହିତ ଅନ୍ୟ ସମସ୍ତ ଦଳ ପାଇଁ ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ବିଧାନସଭା ନିର୍ବାଚନରର ଫଳାଫଳରୁ ଭବିଷ୍ୟତର ଜନାଦେଶ ସମ୍ପର୍କରେ ସୁସ୍ପଷ୍ଟ ତଥ୍ୟ ମିଳିପାରିବ । ବିଶେଷ କରି ବିଜେପି ପାଇଁ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ସେମିଫାଇନାଲ ସଦୃଶ ହୋଇଛି ।

Get real time updates directly on you device, subscribe now.