fbpx

ଝାଡ଼ଖଣ୍ଡ ରାଜନୀତି: ସମର୍ଥନ ନ କରିବାକୁ ବିଧାୟକଙ୍କ ଘୋଷଣା, ଫ୍ଲୋର ଟେଷ୍ଟ ପୂର୍ବରୁ ଚମ୍ପାଇ ସୋରେନଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ହେମନ୍ତ ସୋରେନ ଇସ୍ତଫା ଦେବା ପରେ ଗତ ୨ ତାରିଖରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ଶପଥ ଗ୍ରହଣ କରିଥିଲେ । ତେବେ ୧୦ ଦିନ ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଚମ୍ପାଇଙ୍କୁ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ଚମ୍ପାଇଙ୍କୁ କହିଥିଲେ । ଆସନ୍ତାକାଲି ଅର୍ଥାତ ଫେବୃଆରୀ ୫ ତାରିଖରେ ସମସ୍ତ ବିଧାୟକ ବିଧାନସଭାର ବିଶେଷ ଅଧିବେଶନରେ ସାମିଲ ହେବେ ।

ଏହି ଅଧିବେଶନରେ ଚମ୍ପାଇ ସରକାରଙ୍କ ବିଶ୍ୱାସ ମତର ପ୍ରସ୍ତାବ ଉପରେ ଭୋଟିଂ କରାଯିବ । ଏନେଇ ଚମ୍ପାଇ କହିଛନ୍ତି, ଆମର ମେଣ୍ଟ ମଜବୁତ ରହିଛି, ତେଣୁ ଫ୍ଲୋର ଟେଷ୍ଟ ସଫଳ ହେବ । ଜେଏମଏମ, କଂଗ୍ରେସ ଓ ଆରଜେଡିର ବିଧାୟକଙ୍କୁ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ପ୍ଲେନରେ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ବିଧାୟକଙ୍କୁ ପ୍ରଲୋଭିତ କରିବା ପାଇଁ ବିଜେପି ପ୍ରୟାସ କରୁଛି । ସେଥିପାଇଁ ବିଧାୟକଙ୍କୁ ହାଇଦ୍ରାବାଦ ଶିଫ୍ଟ କରାଯାଇଥିଲା ।

ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ସଂଖ୍ୟାଗରିଷ୍ଠତାର ପ୍ରମାଣ ପୂର୍ବରୁ ଚମ୍ପାଇଙ୍କୁ ଲାଗିଛି ଏକ ବଡ଼ ଝଟକା । ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ସରକାରଙ୍କୁ ସମର୍ଥନ ନ କରିବା ନେଇ ଘୋଷଣା କରିଛନ୍ତି ଦଳର ବିଧାୟକ ସରୟୁ ରାଏ । ଜାମସେଦପୁର ପୂର୍ବ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସରୟୁ ଟ୍ରଷ୍ଟ ଭୋଟ ସମୟରେ ନିରପେକ୍ଷ ରହିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେପିର ‘ଅପରେସନ ଲୋଟସ’ ଭୟରେ ଝାଡ଼ଖଣ୍ଡର ମେଣ୍ଟ ସରକାର ନିଜର ବିଧାୟକଙ୍କୁ ଅନ୍ୟ ରାଜ୍ୟକୁ ସୁରକ୍ଷିତ ଭାବେ ପଠାଇଥିଲା । ପୂର୍ବରୁ କିଛି ରାଜ୍ୟରେ ବହୁମତ ନଥାଇ ବି ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା । ସେଥିପାଇଁ ଝାଡ଼ଖଣ୍ଡରେ ବିଜେପିର ଷଡ଼ଯନ୍ତ୍ରକୁ ନେଇ ଶାସକ ଦଳ ଭୟଭୀତ ରହିଥିଲା ।

Get real time updates directly on you device, subscribe now.