fbpx

ମହମ୍ମଦ ଶାମୀ ଖେଳିବେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ! ଟିମ ଇଣ୍ଡିଆକୁ ବଡ଼ ଝଟକା

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ବର୍ତ୍ତମାନ ସବୁଠୁ ବଡ଼ ଚିନ୍ତା ପାଲଟିଛି ଖେଳାଳିଙ୍କ ଆହତ ସମସ୍ୟା । ଜାନୁୟାରୀ ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଛି ଭାରତ । ଏହି ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ଋତୁରାଜ ଗାଏକ୍ୱାଡ ଆହତ ଯୋଗୁଁ ବାଦ୍ ପଡ଼ିଛନ୍ତି । ତେବେ ବର୍ତ୍ତମାନ କ୍ରିକେଟ ପ୍ରେମୀଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା । ମାସ ଶେଷ ଆଡ଼କୁ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରୁ ବାଦ୍ ପଡ଼ିପାରନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଜାନୁୟାରୀ ୨୫ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଟେଷ୍ଟ ସିରିଜ ଖେଳାଯିବ ।

ଦିନିକିଆ ବିଶ୍ୱକପ ସମୟରେ ଷ୍ଟାର ବୋଲର ମହମ୍ମଦ ଶାମୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ଯାହା ଫଳରେ ଆଜି ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ବୋଲିଂ କରି ନଥିବା ଜାଣିବାକୁ ମିଳିଛି । ତେଣୁ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରୁ ସେ ବାଦ୍ ପଡ଼ିବା ନେଇ ଆଶଙ୍କା କରାଯାଉଛି । ତେବେ ବୋର୍ଡ ତରପରୁ ମିଳିଥିବା ବିଶେଷ ସୂଚନା ଅନୁସାରେ, ଶାମୀ ଆହତ ସମସ୍ୟାରୁ ବାହାରି ବର୍ତ୍ତମାନ ପର୍ଯ୍ୟନ୍ତ ବୋଲିଂ ଆରମ୍ଭ କରି ନାହାନ୍ତି । ବର୍ତ୍ତମାନ ନେସନାଲ କ୍ରିକେଟ ଏକାଡେମୀକୁ ଯାଇ ଶାମୀଙ୍କୁ ନିଜ ଫିଟନେସ ପ୍ରମାଣ କରିବାକୁ ପଡ଼ିବ । ତେଣୁ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରେ ତାଙ୍କ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।

ନିକଯରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରୁ ମଧ୍ୟ ସେ ଆହତ ସମସ୍ୟା ପାଇଁ ବାଦ୍ ପଡ଼ିଥିଲେ । ପ୍ରଥମେ ଚୟନ ହୋଇଥିବା ଦଳରେ ତାଙ୍କ ନାମ ରହିଥିଲା । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ପାରିବାରୁ ସିରିଜରୁ ବାଦ୍ ପଡ଼ିଥିଲେ ଶାମୀ । ତେଣୁ ଶେଷ ମୁହୂର୍ତ୍ତରେ ତାଙ୍କ ସ୍ଥାନରେ ଆବେଶ ଖାନଙ୍କୁ ଦଳରେ ସୁଯୋଗ ମିଳିଥିଲା । ତେବେ ଏହି ସିରିଜ ପାଇଁ ମହମ୍ମଦ ସିରାଜ ଏବଂ ଜଶପ୍ରୀତ ବୁମରାହ ଉପଲବ୍ଧ ଥିବା ବେଳେ ଏହା ଭାରତରେ ହିଁ ଖେଳାଯିବ । ତେଣୁ ଦଳ ଚୟନ ପାଇଁ ସମୟ ନେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ଏହାବ୍ୟତୀତ ଭାରତୀୟ ପିଚରେ ସ୍ପିନ ବିଭାଗକୁ ବିଶେଷ ଫାଇଦା ମିଳିଥାଏ, ତେଣୁ ଫାଷ୍ଟ ବୋଲର ଅପେକ୍ଷା ବୋର୍ଡ ସ୍ପିନ ବିଭାଗକୁ ଅଧିକ ଗୁରୁତ୍ୱ ଦେଇପାରେ ।

Get real time updates directly on you device, subscribe now.