fbpx
BJD SKY
BJD SKY

ହଁ, ମୁଁ ଦର୍ଶନ ହିରାନନ୍ଦାନୀଙ୍କୁ ଏକ ପାସୱାର୍ଡ ଦେଇଥିଲି ; TMC ସାଂସଦ ମହୁଆ ମୋଇତ୍ରା

BJD

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ସତ ମାନିଲେ ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରା। ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଖୋଦ ସାଂସଦ ମହୁଆ ଏକ ବଡ ବୟାନ ରଖିଛନ୍ତି । ସେ ତାଙ୍କ ବନ୍ଧୁ ତଥା ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ ସଂସଦର ଲଗଇନ୍ ପାସୱାର୍ଡ ଦେଇଥିବା କଥା ନିଜେ ସ୍ୱୀକାର କରିଛନ୍ତି । ହେଲେ ଏହା ବଦଳରେ କୌଣସି ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି।

ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ ଏକ୍ସପ୍ରେସ’କୁ ଦେଇଥିବା ଏକ ସାକ୍ଷାତକାରରେ ମହୁଆ କହିଛନ୍ତି, କୌଣସି ସାଂସଦ ନିଜ ପ୍ରଶ୍ନ ପଚାରନ୍ତି ନାହିଁ । ମୁଁ ଦର୍ଶନ ହିରାନନ୍ଦାନୀଙ୍କୁ ଏକ ପାସୱାର୍ଡ ଦେଇଥିଲି ଏବଂ ଯେପରିକି ତାଙ୍କ କାର୍ୟ୍ୟାଳୟର ଜଣେ କର୍ମଚାରୀ ପ୍ରଶ୍ନ ଟାଇପ୍ କରି ଅପଲୋଡ୍ କରିପାରିବେ । ଅପଲୋଡ୍ କରିବା ସମୟରେ ଫୋନରେ ଏକ ଓଟିପି ଆସିଥାଏ। ଏଥିପାଇଁ ମୋ ଫୋନ୍ ନମ୍ବର ଦିଆଯାଇଥିଲା । ମହୁଆ କହିଛନ୍ତି ଯେ, ଜଣେ ବନ୍ଧୁ ଭାବରେ ସେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ କେବଳ ସ୍କାର୍ଫ, ଲିପଷ୍ଟିକ୍ ଏବଂ ଆଇସାଡୋ ନେଇଥିଲେ। ଏହା ସହ ସେ ତାଙ୍କ ବଙ୍ଗଳାର ମରାମତି ପାଇଁ ହିରାନନ୍ଦାନୀଙ୍କଠାରୁ ସାହାଯ୍ୟ ମାଗିଥିଲେ । କିନ୍ତୁ ଏହି ପ୍ରଶ୍ନ ବଦଳରେ ହିରାନନ୍ଦାନୀଙ୍କଠାରୁ ସେ କୌଣସି ନଗଦ ଟଙ୍କା କିମ୍ବା ଦାମୀ ଉପହାର ନେଇନାହାନ୍ତି ।

ସୂଚନା ଥାଉକି, ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଜୟ ଅନନ୍ତ ଦେହାରାଇଙ୍କ ଅଭିଯୋଗ କ୍ରମେ ସାଂସଦ ମହୁଆ ଅଡୁଆରେ ପଡିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନେଇ ତଦନ୍ତ ଜାରି କରିଛି ଲୋକସଭାର ଏଥିକ୍ସ ବା ନୈତିକତା କମିଟି । ଏହା ସହ ନଭେମ୍ବର ୨ ତାରିଖ ପୂର୍ବାହ୍ନ ୧୧ଟାରେ କମିଟି ସମ୍ମୁଖରେ ହାଜର ହେବ ପାଇଁ ମହୁଆଙ୍କୁ ସମନ ଜାରି କରିଛି ଏଥିକ୍ସ କମିଟି ।

Get real time updates directly on you device, subscribe now.