fbpx

ମୌସୁମୀର କଚ୍ଛପ ଗତି, ପୂରା ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ ୫ ଦିନ : ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆର୍ଲଟ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତ ୧୬ ତାରିଖରେ ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ଏବେ ଦୁର୍ବଳ ହୋଇପଡ଼ିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ମୌସୁମୀକୁ ନେଇ ରାଜ୍ୟବାସୀଙ୍କ ମନରେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଥିଲା ସେଥିରେ ଆପାତତଃ ଭଟ୍ଟା ପଡ଼ିଯାଇଛି । ଯଦିଓ କାଁ ଭାଁ କେଉଁଠି ବର୍ଷା ହେଉଛି ତାହା ଚାଷ ପାଇଁ ଉପଯୋଗୀ ହୋଇପାରୁ ନାହିଁ । ଫଳରେ ଚାଷୀମାନେ ନିରାଶା ଭିତରେ ଗତି କରୁଛନ୍ତି । ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହା ପୂରା ଓଡ଼ିଶାକୁ ଛୁଇଁପାରି ନାହିଁ । ପାଗ ଅନୁକୂଳ ଥିଲେ ବି ଏହା ଆଗକୁ ବଢ଼ିବା ସମ୍ଭବପର ହୋଇପାରୁ ନାହିଁ । ଫଳରେ ମୌସୁମୀ ବାୟୁ ଅନ୍ୟ ଜିଲ୍ଲାକୁ ପ୍ରବେଶ କରିପାରୁ ନାହିଁ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପାଇଁ କେବଳ ଘଡ଼ଘଡ଼ି ବିଜୁଳି ସହ କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହେଉଛି । ଏବେ ବି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୩% ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ଅନୁଗୋଳ, କେନ୍ଦୁଝର ଓ ମୟୁରଭଞ୍ଜକୁ ପାଣିାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ପାଇଁ ସର୍ତକ ସୂଚନା ଜାରି କରାଯାଇଥିବାବେଳେ ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ମଧ୍ୟ ସୂଚନା ଦିଆଯାଇଛି । ତେବେ ବର୍ଷା ହେଲେ ମଧ୍ୟ ତାହା ଚାଷ ପାଇଁ ପର୍ଯ୍ୟାପ୍ତ ହେବାର ସମ୍ଭାବନା କମ୍‌ ରହିଛି ।

କାରଣ ପାଣିପାଗ ବିଭାଗର ସୂଚନାନୁଯାୟୀ, ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ । ଗତ ଅକ୍ଷୟ ତୃତୀୟା ଠାରୁ ଚାଷୀମାନେ ଜମିରେ ହଳ କରି ବିହନ ବୁଣିଥିଲେ ମଧ୍ୟ ବର୍ଷା ଅଭାବରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି । ଫଳରେ ସେମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜୁନ୍‌ ମାସରେ ସ୍ୱାଭାବିକ ଠାରୁ ଅଧିକ ପରିମାଣ ବର୍ଷା ହେବା ନେଇ ପାଣିାଗ ବିଭାଗ ପୂର୍ବରୁ ଆକଳନ କରିଥିଲେ ମଧ୍ୟ ବର୍ଷାର ଏ ପର୍ଯ୍ୟନ୍ତ ଦେଖାନାହିଁ । ତେଣୁ ଚାଷୀମାନେ କିରି ଚାଷ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଗୋଟିଏ ପଟେ ଋଣ କରି ଚାଷ କରିବା ସେମାନଙ୍କ ପାଇଁ କାଳ ପାଲଟିଥିବାବେଳେ ଅନ୍ୟପଟେ ବିଲରେ ଫସଲ ନଷ୍ଟ ହେବା ସେମାନଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି ।

Get real time updates directly on you device, subscribe now.