fbpx

ପୋଲିସକୁ ଡେମୋ ଦେଖାଇଲା ପିଶାଚୀ ମା’ ଲକ୍ଷ୍ମୀପ୍ରିୟା: ଏମିତି ଦେଢ ମାସର ପୁଅକୁ ମାରିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ କବଜାରେ ରହିଥିବା ଶିଶୁ ହନ୍ତା ମା’ ହତ୍ୟାର ଡେମୋ ଦେଖାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଥିବା ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଛି ଲକ୍ଷ୍ମୀପ୍ରିୟା ପରିଡା । ବୁଧବାର କୋର୍ଟ ଚାଲାଣ ପୂର୍ବରୁ ହତ୍ୟାର ଡେମୋ ଦେଖାଇଛି ଲକ୍ଷ୍ମୀପ୍ରିୟା । ସୋମବାର ଘଟଣା ଘଟିବା ପରେ ପରେ ପୁଲିସ ମୃତ ଶିଶୁପୁତ୍ର ଆଦିତ୍ୟ ଓରଫ ଭାବଗ୍ରାହୀର ବାପା ସତ୍ୟରଞ୍ଜନ ପରିଡ଼ା ଓ ମା’ ଲକ୍ଷ୍ମୀପ୍ରିୟା ପରିଡ଼ାକୁ ଅଟକ ରଖି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଲକ୍ଷ୍ମୀପ୍ରିୟା ପୁଲିସ ଆଗରେ ସବୁକଥା ମାନିଯାଇଥିଲା। କେତେବେଳେ ଓ କିପରି ଭାବରେ ସେ ନିଜ ଜନ୍ମିତ ଦେଢ଼ମାସର ଶିଶୁପୁତ୍ରକୁ ଶୋଇଥିବା ଅବସ୍ଥାରେ ବିଛଣାରୁ ଉଠାଇ ନେଇଥିଲା, ଏକ ଝୋଟଅଖାରେ ପଥର ପୁରାଇ ଶିଶୁପୁତ୍ରକୁ ରଖି ପାଣିଟାଙ୍କିରେ ପକାଇ ଦେଇଥିଲା, ପାଣିଟାଙ୍କିର ଘୋଡ଼ଣିକୁ ଘୋଡାଇ ଦେଇଥିଲା ଓ ଘରକୁ ଫେରି ପୁଣି ବିଛଣାରେ ଶୋଇଯାଇଥିଲା… ତାହାର ଡେମୋ ସେ ପୁଲିସକୁ ଦେଖାଇଥିଲା। ଏପରି ଏକ ଅଭାବନୀୟ ଲୋମଟାଙ୍କୁରା ଘଟଣାକୁ ସେ ଗତ ୨ତାରିଖ ରାତି ସାଢେ଼ ୨ଟା ସମୟରେ ରଚିଥିଲା। ଆଉ, କିଛି ନଜାଣିବା ପରି ବିଛଣାରେ ଶିଶୁପୁତ୍ରକୁ ନପାଇ ପରିବାର ଲୋକଙ୍କ ସହ ଖୋଜାଖୋଜି କରିଥିଲା ଓ ପରେ ପୁଲିସକୁ ପୁଅ ନିଖୋଜ ସଂପର୍କରେ ସେଇ ରାତିରେ ଖବର ଦେଇଥିଲା।

ଖବର ମୁତାବକ, କାନପୁର ଗ୍ରାମର ବିଚିତ୍ରାନନ୍ଦ ପରିଡ଼ାଙ୍କ ସାନପୁଅ ସତ୍ୟରଞ୍ଜନ ପରିଡ଼ା ପାଟକୁରା ଥାନା ଅର୍ନ୍ତଗତ ମାଣିକପୁର ଗ୍ରାମର ହାଡ଼ିବନ୍ଧୁ ବେହେରାଙ୍କ ଝିଅ ଳକ୍ଷ୍ମୀପ୍ରିୟାକୁ ଗତ ୨୦୧୮ ନଭେମ୍ବର ୩ ତାରିଖରେ ପ୍ରେମ ବିବାହ କରିଥିଲେ। ଗତ ନଭେମ୍ବର ୯ ତାରିଖରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଗତମାସରେ ଲକ୍ଷ୍ମୀପ୍ରିୟା ଏକାଧିକ ବାର ନିଜ ଘରକୁ ଯିବାକୁ ଚାହିଁଥିଲେ ବି ଶାଶୂଘର ଲୋକଙ୍କ ବିରୋଧ ଯୋଗୁଁ ଯାଇ ପାରୁ ନଥିଲା। କେଉଁ ପରିସ୍ଥିତିରେ ଦେଢ଼ମାସର ନିଷ୍ପାପ ଶିଶୁପୁତ୍ରକୁ ମାରିଲା ବୋଲି ପଚାରିବାରେ ଲକ୍ଷ୍ମୀପ୍ରିୟା କିଛି ଉତ୍ତର ଦେଇନି। ତେବେ ଅଭାବ ଯୋଗୁଁ ପ୍ରେମ ବିବାହରେ ବିଫଳତା ଓ ପାରିବାରିକ କଳହ ଏହାର କାରଣ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ଆଇଆଇସି ପଦୀପ୍ତ କୁମାର କାନୁନଗୋ କହିଛନ୍ତି। ନିଜେ ଜନ୍ମ କରିଥିବା ଦେଢ଼ମାସର ଶିଶୁପୁତ୍ରକୁ ମା’ ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Get real time updates directly on you device, subscribe now.