fbpx

ଯୁଦ୍ଧରେ ଅନାଥ ନବଜାତକଙ୍କ ଲାଗି ୫୦୦୦ମାଇଲ୍ ଦୂରରୁ ଆସୁଛି ମା’ କ୍ଷୀର, ଛାତି ଚିରି ସ୍ନେହ ଅଜାଡି ଦେଇଛନ୍ତି ଆମେରିକାର ଏହି ମା’ମାନେ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ବୀଭତ୍ସ ଯୁଦ୍ଧ ମଧ୍ୟରେ ବହୁ ନୀରିହ ଜନତା ଅକାଳରେ ପ୍ରାଣ ହରାଉଛନ୍ତି । ଯୁଦ୍ଧ କ୍ଷେତ୍ରରୁ ବିଭିନ୍ନ ସମୟରେ ଏପରି ଚିତ୍ର ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କ ହୃଦୟ ଥରାଇ ଦେଉଛି । ଏହି ଯୁଦ୍ଧ କେଉଁଠି ମା’ କୋଳରୁ ଛୁଆକୁ ଛଡାଇ ନେଇଛି ତ ଆଉ କେଉଁଠି ଛୁଆ ଠାରୁ ତା’ର ବାପା ମା’ଙ୍କୁ ଛଡାଇ ନେଇଛି । ଏପରିକି ନୂଆ ନୂଆ ଦୁନିଆ ଦେଖିଥିବା ବହୁ ନବଜାତ ଶିଶୁ ବି ଅନାଥ ହୋଇ ପଡିଛନ୍ତି । ଏମାନଙ୍କ ମଧ୍ୟରେ ଏପରି ବହୁ ଶିଶୁ ଅଛନ୍ତି ଯେଉଁମାନେ କେବଳ ମା’ କ୍ଷୀର ଉପରେ ହିଁ ଜୀବନ ଧାରଣ କରିଥାନ୍ତି ।

ହମାସ ଆତଙ୍କବାଦୀମାନେ ଏପରି ବହୁ ନବଜାତ ଶିଶୁଙ୍କ ମା’ଙ୍କୁ ହତ୍ୟା କରିଛନ୍ତି କିମ୍ବା ସେମାନଙ୍କୁ ନିଜ ମା’ କୋଳରୁ ଛଡାଇ ନେଇଛନ୍ତି । ଏପରି ସ୍ଥିତିରେ ମା’ କ୍ଷୀର ବିନା ଏହି ନବଜାତକମାନେ କିପରି ଛଟପଟ ହେଉଥିବେ ତାହା କେବଳ ଅନ୍ୟ ଜଣେ ମା’ ହିଁ ବୁଝିପାରିବ । ତେବେ ଏହି ନବଜାତକଙ୍କ ସହାୟତା ପାଇଁ ଆଗକୁ ଆସିଛନ୍ତି ଆମେରିକାର କିଛି ମା’ । ସେମାନେ ଏପରି କିଛି କରୁଛନ୍ତି ଯାହା ଜାଣିଲେ ଆପଣ ବି ପ୍ରଶଂସା ନ କରି ରହିପାରିବେ ନାହିଁ ।

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧରେ ମୃତ୍ୟୁସଂଖ୍ୟା ବଢିବା ସହିତ ଅନାଥ ହେଉଥିବା ଶିଶୁଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏପରି ସ୍ଥିତିରେ ମା’ କ୍ଷୀର ଉପରେ ଜୀବନ ଜୀଉଁଥିବା ନବଜାତଙ୍କ ଲାଗି ଆମେରିକାର ମା’ ମାନେ ନିଜ ଛାତି ଚିରି କ୍ଷୀର ଦେବାକୁ ଆଗକୁ ଆସିଛନ୍ତି । ପ୍ରତିଦିନ ନ୍ୟୁୟର୍କରୁ ୩୦୦୦ ଆଉନ୍ସ ଫ୍ରୋଜେନ ବ୍ରେଷ୍ଟ ମିଲ୍କ ତେଲ ଆଭିଭ୍ ପଠାଯାଉଛି । ୩୨ ବର୍ଷୀୟା ଜଣେ ଆମେରିକୀୟ ମା’ କହିଛନ୍ତି ତାଙ୍କ ପିଲା କ୍ଷୀର ଛାଡି ଦେଇଛି ତେଣୁ ସେ ନିଜ କ୍ଷୀର ଇସ୍ରାଏଲର ଅନାଥ ଶିଶୁଙ୍କ ଲାଗି ପଠାଉଛନ୍ତି । ଆମେରିକାରେ ବହୁ ସଂଖ୍ୟାରେ ମା’ମାନେ ଏବେ ସ୍ୱଇଚ୍ଛାରେ ଇସ୍ରାଏଲର ଅନାଥ ଶିଶୁଙ୍କୁ ସହାୟତା କରିବାକୁ ଅଣ୍ଟା ଭିଡିଛନ୍ତି ।

Get real time updates directly on you device, subscribe now.