ନୂଆଦିଲ୍ଲୀ : କୁହାଯାଏ ମୂଷା ମାରିଲେ ହାତ ଗନ୍ଧ ହୁଏ ବା ଗନ୍ଧାଏ । କିନ୍ତୁ ଏଣିକି ମୂଷା ମାରିଲେ ଆଉ ହାତ ଗନ୍ଧେଇବନି ସିଧା ଜେଲ ଯିବେ । ଶୁଣିବାକୁ ଅଡୁଆ ଲାଗୁଥିଲେ ମଧ୍ୟ କଥାଟା ,କଦମ୍ ସତ ।
ମଣିଷକୁ ଡ଼୍ୟାୟ ଦେବାରେ ଆମ ବିଚାରଧୀନ ପ୍ରକ୍ରିୟା ହୁଏତ ଧୀର ହୋଇପାରେ କିନ୍ତୁ ମୂଷାକୁ ନ୍ୟାୟ ମିଳିବାରେ ଟିକେ ବି ହେଳା ହୋଇନାହିଁ । ମଣିଷ ଅପେକ୍ଷା ମୂଷାଙ୍କ ପାଇଁ ନ୍ୟାୟ ଦେବାରେ ଆମ ବିଚାରଧୀନ ବ୍ୟବସ୍ଥା ବେଶ୍ ତତ୍ପର। ସେଥିପାଇଁ ଏକ ମୂଷା ହତ୍ୟା ମାମଲାରେ ଯଥାସମ୍ଭବ ଫଇସଲଳା କରାଯାଉଛି ।
ଗତ ବର୍ଷ ଏକ ମୂଷାକୁ ହତ୍ୟା କରାଯାଇଥିଲା, ଯାହା ଏବେ କୋର୍ଟରେ ପହଞ୍ଚିଛି । ମୂଷାର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ କୋର୍ଟରେ ଏହାର ଫଇସଲା ହେବ । ଏହି ମାମଲା ଉତ୍ତରପ୍ରଦେଶର ବାଡାଉନରୁ ଆସିଛି। ଏକ ମୂଷା ହତ୍ୟା ମାମଲାରେ ପୋଲିସ ତିରିଶ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ମୂଷାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଏହି ଚାର୍ଜସିଟରେ ଅନ୍ତର୍ଭୂକ୍ତ କରାଯାଇଛି । ବର୍ତ୍ତମାନ ଏହି ଚାର୍ଜସିଟ୍ ଆଧାରରେ କୋର୍ଟ ଏହି ମାମଲାରେ ନିଜର ରାୟ ପ୍ରଦାନ କରିବେ।
ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ୨୫ ରେ ଏହି ମୂଷାଙ୍କ ମୃତ୍ୟୁ ଘଟିଥିଲା। ଜଣେ ୱାଟରମ୍ୟାନ୍ ଏହାକୁ ଏକ ଡ୍ରେନ୍ ରେ ବୁଡ଼ାଇ ଏକ ମୂଷାକୁ ହତ୍ୟା କରିଥିଲେ। ମୂଷାଟିର ପେଟରେ ଏକ ପଥର ମଧ୍ୟ ବନ୍ଧା ଯାଇଥିଲା । ପଶୁପ୍ରେମୀମାନେ ଏହା ଦେଖି ପୋଲିସ ନିକଟରେ ଏକ ମାମଲା ରୁଜୁ କରିଥିଲେ।
ପାଞ୍ଚ ବର୍ଷ ପାଇଁ ଦଣ୍ଡିତ କରାଯାଇପାରେ
ମୂଷାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଏହା ଡ୍ରେନ୍ରେ ବୁଡ଼ିଯିବା କାରଣରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛି। ଆହୁରି ମଧ୍ୟ ତାର ଯକୃତ ଏବଂ ଫୁସଫୁସ ଖରାପ ଥିଲା । ପଶୁ ନିର୍ଦ୍ଦୟତା ଅନୁଯାୟୀ ଏହି ମାମଲା ଅଭିଯୁକ୍ତକୁ ଦଣ୍ଡିତ କରିପାରିବ। ଦୋଷ ପ୍ରମାଣ ହେଲେ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଏହା ବ୍ୟତୀତ ତାଙ୍କୁ ଦୁଇରୁ ପାଞ୍ଚ ବର୍ଷ ଜେଲ ଦଣ୍ଡ ମଧ୍ୟ କରାଯାଇପାରେ। ଏବେ ଦେଖିବା ଏହି ମାମଲାରେ କିଏ ଜିତିବ?