fbpx

ଏବେ ଶିବରାଜ ସିଂହ ଚୌହାନଙ୍କ ପାଳି, କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶରେ ହେବ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ଦୌଡ଼ରେ ୩ ଜଣ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପରେ ଏବେ ମଧ୍ୟପ୍ରଦେଶର ପାଳି ପଡ଼ିପାରେ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିଜର ରଣନୀତିରେ ପରିବର୍ତ୍ତନ କରି ଗୋଟିକ ପରେ ଗୋଟିଏ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବାରେ ଲାଗିଛି । ତେବେ ଏହି ଧାରାରେ ପୂର୍ବରୁ ଅନେକ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତି ହୋଇଥିବା ବେଳେ ଏବେ ଆସିଛି ମଧ୍ୟପ୍ରଦେଶ ପାଳି । ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପଦରୁ ହଟାଇ ବିଜେପି ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି ।

ଗତ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏପରି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ପୂର୍ବରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ଦୁରାପ୍ପାଙ୍କୁ ନେଇ ମଧ୍ୟ ଅନୁରୂପ ଭାବେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାର କିଛିଦିନ ପରେ ୟେଦ୍ଦୁ ପଦ ହରାଇବା ସହ କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ବାସଭରାଜ ବୋମ୍ମାଇ । ତେବେ ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଶିବରାଜଙ୍କ ଅପସାରଣ ପରେ ନୂଆ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ଜଣ ଦାବିଦାର ରହିଛନ୍ତି । ଏହି ନୂତନ ଚେହେରାଙ୍କ ମଧ୍ୟରେ ନରୋତ୍ତମ ମିଶ୍ର, ବିଡି ଶର୍ମା ଓ ପ୍ରହ୍ଲାଦ ପଟେଲ ରହିଥିବା କୁହାଯାଉଛି । ତେବେ ଏହା କେତେଦୂର ସତ, ତାହା ଜଣାପଡ଼ିନାହିଁ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରିକରଣ, କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ନୂତନ ସଂସଦ ଭବନ ନିର୍ମାଣ ଆଦି ଅନେକ ନୂଆ ନୂଆ ଚ୍ୟାଲେଞ୍ଜକୁ ଗ୍ରହଣ କରି ଜନସାଧାରଣଙ୍କୁ ବିଭିନ୍ନ ସମୟରେ ସରପ୍ରାଇଜ୍ ଦେଇଆସିଛନ୍ତି । ସମାନ ଭାବରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବିସ୍ତାର ସମୟରେ କିଛି ନୂଆ ଚେହେରାଙ୍କୁ ଦାୟିତ୍ୱ ଦେଇ ହର୍ଷ ବର୍ଦ୍ଧନ, ରମେଶ ପୋଖରିଆଲ ନିଶଙ୍କ, ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକରଙ୍କ ପରି ବରିଷ୍ଠ ନେତାଙ୍କୁ ବାଉଣ୍ଡରୀ ବାହାରେ ବସାଯାଇଥିଲା । ତେଣୁ ସାଂପ୍ରତିକ ପରିସ୍ଥିତି ଯାହା, ଚାରି ଚାରି ଥରର ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଯେ ପଦ ଛାଡ଼ିବାକୁ ନ ପଡ଼ିବ, ତାହା କିଏ କହିବ । ତେବେ ଶିବରାଜଙ୍କୁ ନେଇ ହେଉଥିବା ଚର୍ଚ୍ଚାକୁ ରାଜ୍ୟ ବିଜେପି ପକ୍ଷରୁ ମୂଲ୍ୟହୀନ ଚର୍ଚ୍ଚା କୁହାଯାଇଥିଲେ ହେଁ ଏଥିରେ କିଛି ଗୁମର ରହିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.