ସଂସଦରେ ମହିଳା ସାଂସଦ ଦେଖାଇଲେ ନଗ୍ନ ଫଟୋ, ତାହା ପୁଣି ନିଜର
ମହିଳା ସାଂସଦ ସଂସଦ ମଝିରେ ନିଜର ନଗ୍ନ ଫଟୋ ଦେଖାଇବା ପଛର ଉଦ୍ଦେଶ୍ୟ କ'ଣ?
ନ୍ୟୁଜିଲାଣ୍ଡ: ସଂସଦରେ ମହିଳା ସାଂସଦ ଦେଖାଇଲେ ନଗ୍ନ ଫଟୋ। ତାହା ପୁଣି ନିଜର। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସଂସଦରେ ଥିବା ସାଂସଦ ମାନେ। ହେଲେ ଏମିତି ଜଣେ ମହିଳା ସାଂସଦ ନିଜର ନଗ୍ନ ଫଟୋ ଦେଖାଇବା ପଛରେ କ’ଣ ରହିଛି କାରଣ? ଏମିତିକି ସେ ନିଜେ ନିଜର ନଗ୍ନ ଫଟୋ ତିଆରି କରିଥିବା କଥା କହୁଛନ୍ତି।
ତେବେ AI ଟେକ୍ନୋଲୋଜି ଏବଂ ଡିପଫେକ୍ ବିଷୟରେ ସବୁବେଳେ ଆଲୋଚନା ହୋଇ ଆସୁଛି। ଏହାର ଅନେକ ଲାଭ ସହ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ଏହି ଟେକ୍ନୋଲୋଜି ଏବେ ଲୋକଙ୍କ ଗୋପନୀୟତାକୁ ମଧ୍ୟ ବିପଦରେ ପକାଉଥିବା ମନେ ହେଉଛି।
ଆଉ ସେଥିପାଇଁ ସବୁବେଳେ ଆଲୋଚନା ହେଉଥିଲେ ମଧ୍ୟ କିଛି ନିସ୍କର୍ଷ ବାହାରି ପାରୁନାହିଁ। ଏପରିକି ବଡ଼ ବଡ଼ କଳାକାରମାନଙ୍କର ମଧ୍ୟ ଡିପଫେକ୍ ଭିଡ଼ିଓ ଭାଇରାଲ ହୋଇଛି। ଆଉ ଏସବୁକୁ ଦୃଷ୍ଟିରେ ରଖି ଜଣେ ସାଂସଦ ସ୍ୱର ଉଠାଇବାକୁ ସାହାସ କରି ନିଜର ଏକ ଡିପଫେକର ନଗ୍ନ ଫଟୋ ସଂସଦରେ ଦେଖାଇ ଏପରି କିଛି କହିଛନ୍ତି।
ଯାହା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅବଶ୍ୟ ଘଟଣାଟି ମେ ୧୪ ତାରିଖର। ହେଲେ ସାଂସଦ ଜଣକ ନିଜ ଇନଷ୍ଟାଗ୍ରାମର ଏହି ଫଟୋ ପୋଷ୍ଟ କରିବା ପରେ ମାସେ ପରେ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି।
ସଂସଦରେ ନଗ୍ନ ଫଟୋ: ତେବେ ନ୍ୟୁଜିଲ୍ୟାଣ୍ଡର ମହିଳା ସାଂସଦ ଲୌରା ମ୍ୟାକକ୍ଲୁର ସଂସଦରେ ଏପରି ନଗ୍ନ ଫଟୋ ଦେଖାଇବାର ସାହାସ କରିଛନ୍ତି। ଏମିତିରେ ତ କାହାକୁ ନା କାହାକୁ ତ ଏଥିପାଇଁ ମୁହଁ ଖୋଲିବାକୁ ଥିଲା। ତେଣୁ ଏହାର ଶୁଭାରମ୍ଭ କରିଛନ୍ତି ମହିଳା ସଂସଦ ଲୌରା ମ୍ୟାକକ୍ଲୁର।
ସେ ନିଜେ ସଂସଦରେ ନିଜର ଏକ ନଗ୍ନ ଫଟୋ ଦେଖାଇଛନ୍ତି। ଆଉ କହିଛନ୍ତି ଫଟୋଟି ନକଲି ଏବଂ ସେ ନିଜେ ଏହାକୁ AI ସାହାଯ୍ୟରେ ତିଆରି କରିଛନ୍ତି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ସାଂସଦ କହିଥିଲେ ଯେ ଇଣ୍ଟରନେଟରେ ଏପରି ଡିପଫେକ୍ ଫଟୋ ତିଆରି କରିବା ବହୁତ ସହଜ। ମୋର ଏକ ଡିପଫେକ୍ ଫଟୋ ତିଆରି କରିବାକୁ ମୋତେ ପାଞ୍ଚ ମିନିଟରୁ କମ୍ ସମୟ ଲାଗିଥିଲା।
ସାଂସଦଙ୍କ ଯୁକ୍ତି: ଲୌରା ମ୍ୟାକକ୍ଲୁର ଡିପଫେକ୍ ବନ୍ଦ କରିବା ପାଇଁ ଏକ ଦୃଢ଼ ଆଇନ ଆଣିବା ପାଇଁ ଦାବି କରି କହିଥିଲେ, ମହିଳା ଏବଂ ଝିଅମାନଙ୍କୁ ଅପମାନିତ ଏବଂ ଶୋଷଣ କରିବା ପାଇଁ ଏହାର ବ୍ୟବହାର କରାଯାଉଛି।
ଏହା ସେମାନଙ୍କ ଅନୁମତି ବିନା ଘଟୁଛି ଏବଂ ଏହା ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆଇନ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ “ସମସ୍ୟା ପ୍ରଯୁକ୍ତିବିଦ୍ୟାରେ ନାହିଁ, ବରଂ ଲୋକଙ୍କୁ ଦୁର୍ବ୍ୟବହାର କରିବା ପାଇଁ ଏହାର କିପରି ଅପବ୍ୟବହାର କରାଯାଉଛି। ଏଥିପାଇଁ ଆମର ଆଇନ ମଧ୍ୟ କଠୋର ହେବାକୁ ପଡ଼ିବ।”
ଏହା ଅପମାନ ଜନକ: ମହିଳା ସାଂସଦ ସଂସଦରେ କହିଥିଲେ, “ଯେକୌଣସି ବ୍ୟକ୍ତି ଯେତେବେଳେ ଜାଣନ୍ତି କି ତାଙ୍କର ଏକ ନକଲି ନଗ୍ନ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି ଏବଂ ସେତେବେଳେ ସେ ସମ୍ପୂର୍ଣ୍ଣ ଅସହାୟ ମନେକରନ୍ତି। ତେଣୁ ଆମକୁ ଏହାକୁ ବନ୍ଦ କରିବାକୁ ପଡ଼ିବ।
ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଲୌରା ସଂସଦରେ ଡିପଫେକ୍ ଡିଜିଟାଲ୍ କ୍ଷତି ଏବଂ ଶୋଷଣ ବିଲ୍ ମଧ୍ୟ ଆଗତ କରିବାକୁ ଦାବି କରିଛନ୍ତି। ଏହି ବିଲ୍ ଅନୁମତି ବିନା ଡିପଫେକ୍ ଅଶ୍ଳୀଳ ବିଷୟବସ୍ତୁ ତିଆରି ଏବଂ ସେୟାର କରିବା ଉପରେ ସମ୍ପୂର୍ଣ୍ଣ ନିଷେଧ ଦାବି କରିଛନ୍ତି।