fbpx

ଅସମ୍ପୂର୍ଣ୍ଣ ପ୍ରକଳ୍ପ କେବେ ହେବ ପୂରା? ମୁକ୍ତିଙ୍କ ପ୍ରୟାସରେ କାର୍ଯ୍ୟକ୍ଷମ ହେବକି କି ସ୍ମାର୍ଟ ସିଟିର ଏହି ଅଧାଗଡା କାର୍ଯ୍ୟ

ଭୁବନେଶ୍ୱର :କୁହାଯାଏ ଗୋଟେ ଦେଶର,ହେଉ ଅବା ଗୋଟେ ରାଜ୍ୟର,ଗୋଟେ ଜିଲ୍ଲାର ହେଉ ଅବା ଗୋଟେ ପଲ୍ଲୀ ଏହାକୁ ପ୍ରଗତି ପଥରେ ବଢ଼ିବାରେ ମୁଖ୍ୟ ଭୂମିକା ଲିଭେଇ ଥାଏ ଜଣେ ଯୁବ। ଜଣେ ଯୁବ ବିଭିନ୍ନ ସମସ୍ୟା କୁ ଭିନ୍ନ ନଜରରେ ଦେଖି ଥାଏ ଯାହା ଏ ସମାଜର ଅନ୍ୟ ବର୍ଗର ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ଥାଏ। ସମାଜ ଗଠନ ସମାଜରେ ପରିବର୍ତନର ଆଣିବାରେ ଯୁବ ପୀଢ଼ିର ଅବଦାନ ଆଉ ଭୂମିକା କାହିଁ କେତେ। ତେବେ ଏହିଭଳି ଜଣେ ସାଧାରଣ ଯୁବ ନିଜ ସ୍ଥାନୀୟ ସମସ୍ୟାକୁ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତ। ନା ସେ କୌଣସି ଆଗ ଧାଡ଼ିର ନେତା ନା ତାଙ୍କ ପାଖରେ ଅଛି ବଡ଼ ପଦପଦବୀ । ଏହା ବାଦ ମଧ୍ୟ ସେ ନିଜ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛନ୍ତି। ରାଉରକେଲାକୁ ଷ୍ଟିଲ ସିଟି ବୋଲି କୁହାଯାଏ । ସେଠାର ଯୁବ ଲୁହାଭଳି ନିଜକୁ ଶକ୍ତ ରଖି ଆଉ ମନରେ ବିକାଶର ଭୋକ ରଖି ଆଜି ପଦଯାତ୍ରା ରେ ବାହାରିଛନ୍ତି । ଆଉ ତାଙ୍କର ଏହି ପ୍ରୟାସ ତାଙ୍କୁ ଆଜି ସବୁଆଡେ ପ୍ରଶଂସାର ପାତ୍ର ବନେଇଛି। ଆମେ କହୁଛୁ ରାଉରକେଲାର ଯୁବ କ୍ରାନ୍ତିକାରୀ ମୁକ୍ତି କାନ୍ତ ବିଶ୍ୱାଳଙ୍କ ବିଷୟରେ।

ଅର୍ଥର ଲୋଭ ନୁହେଁ ପ୍ରଗତିର ଲୋଭରେ ଆଜି ସେ ରାଉରକେଲାରୁ ଭୁବନେଶ୍ୱର ବାହାରିଛନ୍ତି । ଆଉ ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ତେବେ ଏହା ତାଙ୍କର ପ୍ରଥମପଦ ଯାତ୍ରା ନୁହେଁ ଏହା ପୂର୍ବରୂ ୨୦୧୮ ଜୁଲାଇ ୩୦ରେ ମଧ୍ୟ ସେ ରାଉରକେଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଥିଲେ । ଆଉ ମୁଖ୍ୟମନ୍ତ୍ରୀ ରାଉକେଲାର ବିକାଶ ପାଇଁ ଯେଉଁ ସବୁ ଭିତ୍ତିପ୍ରସ୍ତରର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଲେ ତାହା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ ବୋଲି ଦର୍ଶାଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ତାଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ତାଙ୍କ ସହିତ ଅଛନ୍ତି ଆଉ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ଏବଂ ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହେବ  ।

କିନ୍ତୁ ଏହା କେବଳ ପ୍ରତିଶୃତି ହୋଇ ରହିଯାଇଛି । ବର୍ତ୍ତମାନ ହକି ପାଇଁ ଯେଉଁଠାରେ ରାଉରକେଲା ଉଠୁଛୁ ପଡୁଛି, ସ୍ୱତନ୍ତ୍ର ବିମାନ ସେବାର ସୁବିଧା ଯୋଗାଯାଉଛି କିନ୍ତୁ ଏବେ ସୁଦ୍ଧା ରାଉକେଲାବାସୀଙ୍କ ଯେଉଁ ସାଧାରଣ ସମସ୍ୟା ରହିଛି ତାହା ପୂରଣ ହୋଇ ପାରି ନାହିଁ । ପ୍ରକଳ୍ପ ଆରମ୍ଭ ହୋଇଯାଇଛି ସତ କିନ୍ତୁ ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ତେବେ ଏହା ପାଇଁ ସେ ସ୍ଥାନୀୟ ପ୍ରଶାସନଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ ତାହା ଫଳପ୍ରଦ ହେଉନାହିଁ । ଏଥିପାଇଁ ସେ ପୁଣିଥରେ ରାଉରକେଲା ରୁ ଭୁବନେଶ୍ୱର ପଦଯାତ୍ରା କରିଛନ୍ତି । ସ୍ମାର୍ଟ ସିଟି ବୋଲି କୁହାଯାଉଥିବା ରାଉରକେଲାରେ କାହିଁ କେତେ ସମସ୍ୟା ରହିଛି ତାହା କେବଳ ସେଠାକାର ସ୍ଥାୟୀବାସିନ୍ଦାଙ୍କୁ ଜଣା । ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ମୁକ୍ତିକାନ୍ତ ।

ସେ ୧୬ ନଭେମ୍ବରରୁ ନବୀନ ନିବାସ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ୩୦ ଦିନରେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । କାନ୍ଧରେ ରହିଛି ୨୭ କିଲୋଗ୍ରାମରୁ ଅଧିକ ଓଜନର ଅସମ୍ପୂର୍ଣ୍ଣ ପ୍ରକଳ୍ପର ଭାର ଆଉ ପାଦରେ ଚାଲି ଚାଲି ଅତିକ୍ରମ କରିଛନ୍ତି ୪୫୦ କିଲୋମିଟରୁ ଅଧିକ ରାସ୍ତା । ମନରେ କେବଳ ଗୋଟିଏ ଆଶା ରହିଛି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ସବୁ ପ୍ରକଳ୍ପ ଦେଖାଇବାରେ ଅଛି ଆଉ ତାଙ୍କୁ ମନେ ପକେଇଦେବାରେ ଅଛି ଯାହା ଏବେ ସୁଦ୍ଧା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି । ମୁକ୍ତିକାନ୍ତଙ୍କ ଏହି ଯାତ୍ରା ଏହି ପ୍ରୟାସ ପ୍ରଥମ ନୁହେଁ ବିଗତ ବର୍ଷ ପୂର୍ବରୁ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି ଆସନ୍ତୁ ଜାଣିବା ମୁକ୍ତକାନ୍ତଙ୍କ ଯାତ୍ରା ର କିଛି ପୂର୍ବ ସୂଚନା…

ବାପା ମା ପ୍ରଥମେ ମୋର କାର୍ଯ୍ୟକୁ ବିରୋଧ କରୁଥିଲେ , ଯେବେ ମୁଁ ଦିଲ୍ଲୀ ଗଲି ସେ ମାତ୍ର ୪ ଦିନ ପୂର୍ବରୁ ଜାଣିବାକୁ ପାଇଲେ ଯେ ମୁଁ ଏପରି କିଛି ଭିନ୍ନ ଆୟୋଜନ କରୁଛି । ଆଉ ଜାଣିବା ପରେ ସିଧା ମନା କରିଥଲେ କିନ୍ତୁ ମୁଁ ତାଙ୍କ ଆର୍ଶୀବାଦ ନେଇ ବାହାରି ଥିଲି ରାଉରକେଲାରୁ ଦିଲ୍ଲୀ ପଦଯାତ୍ରାରେ । ଯେତେବେଳେ ମୋ ଆଗରେ ମୋ ସହରର ଅସୁବିଧା ଦେଖା ଯାଉଛି ମୁଁ ଏହାକୁ ଦେଖି ଚୁପ ବସିବି କିପରି ତେଣୁ ବାପା ମାଙ୍କୁ ମଧ୍ୟ ତାହା ବୁଝାଇ ବାହାରି ଆସିଲି ବୋଲି କୁହନ୍ତି ମୁକ୍ତିକାନ୍ତ ।

ଦିଲ୍ଳୀ ପାଇ ମୁକ୍ତକାନ୍ତ ଏପ୍ରିଲ ୧୬, ୨୦୧୮ରେ ବାହାରିଥିଲେ ଏବଂ ଜୁନ ୨୭ ରେ ସେ ଦିଲ୍ଲୀରେ ପହଞ୍ଚିଲେ । ପ୍ରଧାନମନ୍ତ୍ରୀ ରାଉରକେଲା ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ରୂପ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ନ ହେବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ବହାରିଥିଲେ । ମୁକ୍ତିକାନ୍ତ ପହଞ୍ଚିଗଲେ ସତ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଭେଟ ହୋଇ ପାରିଲା ନାହିଁ । ଏହାପରେ ସେ ରାମଲୀଲା ମୈଦାନରେ ଅନଶନରେ ବସିଲେ । ସେଠାରେ ତାଙ୍କର ଏହି ଅନଶନକୁ ସବୁ ଦିଗରୁ ପ୍ରଶଂସା ମଧ୍ୟ କରାଗଲା କିନ୍ତୁ ମୁକ୍ତିଙ୍କୁ କିଛି ସଫଳତା ମିଳିଲା ନାହିଁ । ଏହା ବଦଳରେ ତାଙ୍କୁ ଜେଲ ଯିବାକୁ ପଡିଲା । ରାତି ତମାମ ତାଙ୍କ ସହିତ ବହୁ ଅନ୍ୟାୟ ମଧ୍ୟ ହୋଇଥିବା ସେ ପ୍ରକାଶ କରିଛନ୍ତି । କିନ୍ତୁ ମୁକ୍ତିଙ୍କର ଏହି ପ୍ରୟାସ ଜାତୀୟ ଗଣମାଧ୍ୟମରେ ଖୁବ ପ୍ରଚାର ପ୍ରସାର ହେବାର ଲାଗିଲା । ଯାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୃ୍ଷ୍ଟି ଆକର୍ଷଣ କରିଥଲା । ସେ ମଧ୍ୟ ମୁକ୍ତିଙ୍କ ପାଇଁ ଟ୍ୱିଟ କରିଥିଲେ ।

ତେବେ ଦିଲ୍ଳୀରୁ ଫେରିବା ପରେ ମୁକ୍ତି ରାଉକେଲା ହସ୍ପିଟାଲ ନିକଟରେ ୯ ଦିନ ଅନଶନରେ ବସିଲେ । ଏବଂ ସେ ସମୟରେ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନଶନ ଭାଙ୍ଗିଥିଲେ । ଏହାପରେ ରାଉକେଲା ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ଆଉ ବ୍ରାହ୍ମଣୀ ନଦୀରେ ବ୍ରିଜ କାର୍ଯ୍ୟ ଆରମ୍ଭ ହେଲା । ଏବଂ ୨ବର୍ଷ ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା । ୨୦୨୧ ମାର୍ଚ୍ଚ୨୧ ତାରିଖରେ ସେ ସମୟର ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହସ୍ପିଟାଲର ଉଦଘାଟନ କରିଲେ । କିନ୍ତୁ ଦୁଃଖର ବିଷୟ ୨୦୨୨ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । କେବଳ ଉଦଘାଟନ ହୋଇ ରହିଗଲା ।

୨୦୨୨ ଏପ୍ରିଲ ୧ ତାରିଖରେ ସେ ପୁଣି ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପୁଣି ଚେଷ୍ଟା କରିଲେ ଏହା ପରେ ରାଷ୍ଟ୍ରପତି ଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଲେ ଆଉ ଶେଷରେ ପୁଣି ତାଙ୍କୁ ଜେଲ ଯିବାକୁ ପଡିଲା । କିନ୍ତୁ ତାଙ୍କର ଏହି ପ୍ରୟାସ ପାଇଁ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ପାରିଲା ।

ମୁକ୍ତକାନ୍ତଙ୍କ ଏହି ଭିନ୍ନ ପ୍ରୟାସ ତାଙ୍କୁ ଏକ ପରିଚୟ ଦେଲା । ଯାହାପାଇଁ ୨୦୧୯ରେ ରାଉରକେଲା ବିଧାନସଭା ଆସନ ପାଇଁ କଂଗ୍ରେସ ତରଫରୁ ଟିକେଟ ମଧ୍ୟ ତାଙ୍କୁ ଦିଆଗଲା । କିନ୍ତୁ ଏହାକୁ ସେ ମନା କରି ଦେଇଥିଲେ । ସେ ସ୍ଥାନୀୟ ସମସ୍ୟା ପାଇଁ ଲଢ଼ିବାକୁ ଚାହୁଁଛନ୍ତି କୌଣସି ଦଳ ପାଇଁ ଏବେ କାର୍ଯ୍ୟ କରିବାକୁ ଚାହୁଁନଥିବା ସେ ପ୍ରକାଶ କରିଥିଲେ । ରାଜନୈତିକ ପଦ ଆଶା ମଧ୍ୟ ତାଙ୍କର ନଥିଲା କେବଳ ଗୋଟିଏ ଆଶା ରହିଥିଲା ରାଉରକେଲା ଯେଉଁ ସ୍ମାର୍ଟ ସିଟିର ମାନ୍ୟତା ପାଇଛି ତାକୁ ବାସ୍ତବିକ ରୂପ ଦିଆଯାଉ । ଏହାର ସମସ୍ୟା ଦୂର କରାଯାଉ ।

ଗୋଟିଏ ସାଧାରଣ ଯୁବକ ହୋଇ ମଧ୍ୟ ତାଙ୍କର ଏହି ଭିନ୍ନ ପ୍ରୟାସରେ ସେ କାହିଁ କେତେ ପରିବର୍ତ୍ତନ ଆଣି ପାରିଛନ୍ତି ଆଉ ଆଗକୁ ଆଣିବାକୁ ଚେଷ୍ଟା ମଧ୍ୟ ଜାରି ରଖିଛନ୍ତି । ତେବେ ଏହାପଛରେ କାହିଁ କେତେ କଷ୍ଟ ସହି ମଧ୍ୟ ସେ ଥକି ପଡି ନାହାନ୍ତି । ଶୀତୁଆ କାକରରେ ଚାଲି , ରାସ୍ତାକଡରେ ମଶାରୀ ଟାଙ୍ଗୀ ରାତିବିତାଇ ଅନବରତ ଚାଲିଛନ୍ତି । ଆଉ ମୁକ୍ତିକାନ୍ତଙ୍କ ଏହି ପ୍ରୟାସ ବର୍ତ୍ତମାନ ଯୁବପିଢ଼ୀ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି । ଏବେର ଯୁବ ମାନେ ନିର ସ୍ଥାନୀୟ ସମସ୍ୟା ପାଇଁ ଯଦି ଏବେଠାରୁ ରଣହୁଙ୍କାର ନ ଦିଅନ୍ତି ତେବେ ତାଙ୍କର ସ୍ୱର ହୁଏତ ଆଗାମୀ ଦିନରେ ନିଶବ୍ଦରେ ପରିଣତ ହୋଇଯିବ ।

Get real time updates directly on you device, subscribe now.