ପଳାତକ ମେହୁଲ ଚୋକସିଙ୍କ ୨,୫୬୫ କୋଟି ଟଙ୍କାର ନିଲାମ ହେବ ସମ୍ପତ୍ତି, ମୁମ୍ବାଇ କୋର୍ଟ ଦେଲେ ଅନୁମତି: ଦେଖନ୍ତୁ ସମ୍ପତ୍ତି ଲିଷ୍ଟ
ମୁମ୍ବାଇ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସମ୍ପତ୍ତି ନିଲାମ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଚୋକସିଙ୍କ ୨,୫୬୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ବିକ୍ରି କରିବାକୁ ଅନୁମତି ଦେଇଛନ୍ତି । ଏହି ସମ୍ପତ୍ତିଗୁଡ଼ିକର ବିକ୍ରୟରୁ ପ୍ରାପ୍ତ ଅର୍ଥକୁ ପ୍ରଭାବିତ ବ୍ୟାଙ୍କମାନଙ୍କ ନାମରେ ଏଫଡି ଭାବରେ ରଖାଯିବ, ଯାହା ଦ୍ୱାରା କ୍ଷତିଗ୍ରସ୍ତମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଇପାରିବ ।
ଏପର୍ଯ୍ୟନ୍ତ ଗୀତାଞ୍ଜଳି ଜେମ୍ସ ଲିମିଟେଡର ସମ୍ପତ୍ତି ବିକ୍ରି ମାଧ୍ୟମରେ କ୍ଷତିଗ୍ରସ୍ତଙ୍କୁ ୧୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି । ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ମୁମ୍ବାଇର ସାନ୍ତାକ୍ରୁଜରେ ଥିବା ଛଅଟି ଫ୍ଲାଟ, ଦୁଇଟି କାରଖାନା ଏବଂ ଏକ ଗୋଦାମ ଅନ୍ତର୍ଭୁକ୍ତ ।
ଭାରତରେ ଜବତ ହୋଇଥିବା ସମ୍ପତ୍ତି :
ଇଡି ୨୦୧୮ ରେ ଚୋକସି ଏବଂ ତାଙ୍କ ଗୋଷ୍ଠୀର ₹୧,୨୧୭.୨ କୋଟି ଟଙ୍କାର ୪୧ଟି ସମ୍ପତ୍ତି ଜବତ କରିଥିଲା । ଏଥିରେ ସାମିଲ ରହିଛି-
-ମୁମ୍ବାଇରେ ୧୫ଟି ଫ୍ଲାଟ୍ ଏବଂ ୧୭ଟି ଅଫିସ୍ କମ୍ପେ୍ଲକ୍ସ
-କୋଲକାତାର ଏକ ମଲ୍
-ଆଲିବାଗରେ ୪ ଏକର ଫାର୍ମ ହାଉସ୍
-ତାମିଲନାଡୁର ନାସିକ, ନାଗପୁର, ପାନଭେଲ (ମହାରାଷ୍ଟ୍ର) ଏବଂ ଭିଲୁପ୍ପୁରମରେ ୨୩୧ ଏକର ଜମି
-ହାଇଦ୍ରାବାଦର ରଙ୍ଗା ରେଡ୍ଡୀ ଜିଲ୍ଲାରେ ଏକ ୧୭୦ ଏକର ପାର୍କ, ଯାହାର ମୂଲ୍ୟ ₹୫୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି
-ମୁମ୍ବାଇର ବୋରିଭଲି (ପୂର୍ବ) ଏବଂ ସାନ୍ତାକ୍ରୁଜ୍ (ପୂର୍ବ) ଅଞ୍ଚଳରେ ଫ୍ଲାଟ୍
-ମୁମ୍ବାଇର ସାନ୍ତାକ୍ରୁଜ୍ ଇଲେକ୍ଟ୍ରୋନିକ୍ସ ଏକ୍ସପୋର୍ଟ ପ୍ରୋସେସିଂ ଜୋନ୍ (ଏସଇଇପିଜେଡ)ରେ ଥିବା ଦୁଇଟି କାରଖାନା ଏବଂ ଗୋଦାମକୁ ମଧ୍ୟ ଜବତ କରାଯାଇଛି ।