fbpx

ଫିଟିଲା କାଚ ବେଙ୍ଗର ରହସ୍ୟ: ନୂଆ ଗବେଷଣାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

AAKASH

‘କାଚ ବେଙ୍ଗ’ ନିଜ ଶରୀରକୁ କିଭଳି ସ୍ୱଚ୍ଛ କରିପାରେ ତାହା ବୈଜ୍ଞାନିକମାନଙ୍କୁ ଦୀର୍ଘ ସମୟ ଧରି ଗୋଲକଧନ୍ଦାରେ ଫସାଇ ରଖିଥିଲା । ନୂଆ ଗବେଷଣରୁ ଏହାର ରହସ୍ୟ ଉନ୍ମୋଚିତ ହୋଇଛି ଯାହା ଚିକିତ୍ସା ବିଜ୍ଞାନରେ ଅଗ୍ରଗତିର ସମ୍ଭାବନା ସୃଷ୍ଟି କରିଛି । ଏଥିରୁ ଜଣାପଡ଼ିଛି ଯେ ବେଙ୍ଗଟି ଶରୀରର ସବୁତକ ରକ୍ତକୁ ଗୋଟିଏ ସ୍ଥାନରେ ଠୁଳ କରି ରଖିବାରେ ସକ୍ଷମ । ଏହି ଅବସ୍ଥାରେ ତା’ ଠାରେ ମଣିଷ ଭଳି ବିପଜ୍ଜନକ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ସୃଷ୍ଟି ହୋଇ ନ ଥାଏ ।

ଏହି ଜାତିର ବେଙ୍ଗ ଉଷ୍ଣ ମଣ୍ଡଳୀୟ ଜଙ୍ଗଲରେ ରହନ୍ତି । ସେମାନେ ଉଜ୍ଜ୍ୱଳ ସବୁଜ ପତ୍ର ଉପରେ ଶୋଇ ଦିନ କାଟନ୍ତି ଓ ରାତିରେ ସକ୍ରିୟ ରହନ୍ତି । ଏହି ବେଙ୍ଗ ଶିକାରୀ ଜୀବଙ୍କ ଠାରୁ ବର୍ତ୍ତିବା ପାଇଁ ଶୋଇବା ଅବସ୍ଥାରେ ନିଜ ଶରୀରକୁ ୬୧% ସ୍ୱଚ୍ଛ କରିପାରେ, ଯାହା ଫଳରେ ତାହା ପତ୍ର ଉପରେ ଏକପ୍ରକାର ଅଦୃଶ୍ୟ ହୋଇଯାଏ । ଏହାର କାରଣ ହେଲା ତା’ ଶରୀରରେ ପ୍ରବାହିତ ୮୯% ଭାଗ ଲୋହିତ ରକ୍ତ କଣିକା ଯକୃତରେ ଠୁଳ ହୋଇପାରେ । ଏହି ସମୟରେ ତା’ ଯକୃତର ଆକାର ଦୁଇଗୁଣ ବଢ଼ିଯାଏ । ରାତିରେ ନିଦରୁ ଉଠି ସେ ଶିକାର ଆଦି ଆରମ୍ଭ କରେ ।

ଏତିକିବେଳେ ଯକୃତରେ ଠୁଳ ରକ୍ତ ପୁଣି ଶରୀରକୁ ପ୍ରବାହିତ ହୁଏ । ଏହି ବେଙ୍ଗର ଏକ ‘ସୁପରପାୱାର’ ବା ମହାଶକ୍ତି ହେଲା ଆବଶ୍ୟକ ସ୍ଥଳେ ସେ ଇଚ୍ଛାକୃତ ଭାବେ ରକ୍ତ ଜମାଟ ବାନ୍ଧିପାରେ । କାଚ ବେଙ୍ଗ ଠାରୁ ରକ୍ତ ଜମାଟର ପ୍ରକ୍ରିୟାକୁ ଆହୁରି ଭଲଭାବେ ବୁଝିହେବ ବୋଲି ଗବେଷକମାନେ କହୁଛନ୍ତି, ଯାହା ଫଳରେ ମଣିଷଠାରେ ରକ୍ତ ଜମାଟ ଜନିତ ହୃଦଘାତକୁ ରୋକିହେବ । ତେବେ ଚିକିତ୍ସାରେ ଏହାର ଉପଯୋଗ ଦେଖିବାକୁ ଆହୁରି କିଛି ଦଶନ୍ଧି ଲାଗିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.