ନୂଆଦିଲ୍ଲୀ: ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋରେ ଦେଖାଦେଇଥିବା ରହସ୍ୟଜନକ ଓ ମାରାତ୍ମକ ରୋଗ ‘ଡିଜିଜ ଏକ୍ସ’ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଏହି ରୋଗରେ ୪୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୦ରୁ ଅଧିକଙ୍କର ପ୍ରାଣହାନୀ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ବେଳେ ଏହି ରୋଗକୁ ଚିହ୍ନଟ କରିବା ପାଇଁ ରାପିଡ୍ ରେସପନ୍ସ ଟିମ୍ ପଠାଯିବା ସହ ଏହି ସଂକ୍ରମଣର କାରଣ ଚିହ୍ନଟ ପାଇଁ ପ୍ରୟାସ ଜାରି ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷର ଏହି ବିପଜ୍ଜନକ ରୋଗକୁ ନେଇ ସୂଚନା ଜାରି କରାଯାଇଛି ।
ଏହି ରୋଗକୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ନଥିବା ବେଳେ ତାହା ବର୍ତ୍ତମାନ କଙ୍ଗୋରେ ୪୦୬ ଜଣଙ୍କୁ ସଂକ୍ରମିତ କରିଥିବା ଆକଳନ କରାଯାଇଛି । ଗତ ଅକ୍ଟୋବର ମାସ ପରଠାରୁ ଏହି ସମସ୍ତ ଲୋକ ଉକ୍ତ ରହସ୍ୟମୟ ରୋଗରେ ସଂକ୍ରମିତ ହୋଇଛନ୍ତି । ତେବେ ସଂକ୍ରମିତଙ୍କ ମଧ୍ୟରୁ ୧୪୩ ଜଣଙ୍କ ପ୍ରାଣ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି । ଏହି ରହସ୍ୟଜନକ ରୋଗ ‘ଡିଜିଜ ଏକ୍ସ’ ସମ୍ବନ୍ଧକୁ ନେଇ ସବିଶେଷ ତଥ୍ୟ ଜାଣିବା ପାଇଁ ହୁ ପକ୍ଷରୁ ଘଟଣାସ୍ଥଳକୁ ଏକ ରାପିଡ୍ ରେସପନ୍ସ ଟିମ୍ ପଠାଯାଇଛି ।
ତେବେ ଅଫିସିଆଲ ଭାବେ କୁହାଯାଇଛି ଯେ, ଏହି ସଂକ୍ରମଣର କେନ୍ଦ୍ରସ୍ଥଳ ହେଉଛି କ୍ୱାଙ୍ଗୋ ରାଜ୍ୟର ରିମୋଟ ଏରିଆ । ସେଠାକାର ରାସ୍ତାର ଅବସ୍ଥା ଦୟନୀୟ ଓ ପ୍ରବଳ ବର୍ଷା କାରଣରୁ ସେଠାରେ ପହଞ୍ଚିବାକୁ ଅତି କମରେ ଦୁଇଦିନ ସମୟ ଲାଗିବ ବୋଲି ନ୍ୟୁ ୟର୍କ ପୋଷ୍ଟରେ କୁହାଯାଇଛି । ତେବେ ‘ଡିଜିଜ ଏକ୍ସ’ର କିଛି ଗମ୍ଭୀର ମାମଲାରେ ପୁଷ୍ଟିହୀନତା ମଧ୍ୟ ରହିଥାଏ ବୋଲି ଜଣାପଡ଼ିଛି । ତେଣୁ ରୋଗକୁ ସଠିକ୍ ଭାବେ ଚିହ୍ନଟ କରିବା ଏବେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଯାଇଛି । ଜ୍ୱର, କଫ, ଥକ୍କାପଣ, ମୁଣ୍ଡବ୍ୟଥା ଓ ନାକରୁ ସିଂଘାଣି ବୋହିବା ଆଦି ଏହି ରୋଗର ଲକ୍ଷଣ ବୋଲି ହୁ ପକ୍ଷରୁ କୁହାଯାଇଛି ।