ନବ ଦାସ ହତ୍ୟାକାଣ୍ଡ: ପ୍ରତିକ୍ରିୟା ଦେଲେ ଆଇନ ମନ୍ତ୍ରୀ, କହିଲେ ସରକାର ଖୁବ ଶୀଘ୍ର ନିଷ୍ପତ୍ତି ନେବେ

ନବ ଦାସ ହତ୍ୟା ଘଟଣାରେ ନିଷ୍ପତ୍ତି ଖୁବ୍‌ ଶୀଘ୍ର କହିଲେ ଆଇନ ମନ୍ତ୍ରୀ । ତଦନ୍ତ ପ୍ରକ୍ରିୟା କ’ଣ ହେବ ସରକାର ନିଷ୍ପତ୍ତି ନେବେ ।

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ପୁଣି ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡ ମାମଲାରେ ଖୁବଶୀଘ୍ର ସରକାର ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି ।

ଦିନକୁ ଦିନ ନବ ଦାସ ହତ୍ୟାକାଣ୍ଡ ମାମଲାରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ପରେ ତର୍କବିତର୍କ ଆରମ୍ଭ ହୋଇଛି ।

ଏନେଇ ଆଜି ଆଇନ ମନ୍ତ୍ରୀ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ ସେନେଇ ସରକାର ଆଗକୁ ନିଷ୍ପତ୍ତି ନେବେ । ତଦନ୍ତ ହେଲେ ସମସ୍ତ ପ୍ରକାର ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସିବ ।

ସରକାରଙ୍କୁ ଡରି ମୁହଁ ଖୋଲୁନଥିଲେ- ପୂର୍ବ ସରକାର ସମୟରେ ଭୟର ବାତାବରଣ ରହିଥିଲା । କିଛି ବ୍ୟକ୍ତି ସରକାରଙ୍କୁ ଡରି ମୁହଁ ଖୋଲିବା ପାଇଁ ସାହାସ କରୁନଥିଲେ ।

କିନ୍ତୁ ସରକାର ବଦଳିବା ପରେ ଲୋକଙ୍କ ମନରୁ ଭୟ ଦୂରେଇ ଯାଇଛି । ବର୍ତ୍ତମାନ ଧୀରେ ଧୀରେ ସତ୍ୟ ବାହାରକୁ ଆସିବା ଆରମ୍ଭ କରିଛି ।  ଖୁବଶୀଘ୍ର ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।