fbpx

ମୋଦୀ ସରକାରଙ୍କ ନିଷ୍ପତ୍ତି ସାରା ବିଶ୍ୱରେ ସୃଷ୍ଟି କରିଛି ପ୍ରତିକ୍ରିୟା, ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଉଠାଇବାକୁ ଆଇଏମଏଫ୍ ର ନିବେଦନ

AAKASH

ନୂଆଦିଲ୍ଲୀ:ଭାରତ ସରକାର ୨୦ ଜୁଲାଇରେ ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏହାପରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା ପରି ଦେଶରେ ଚାଉଳ କ୍ରୟ ଲାଗି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା, ଅଷ୍ଟ୍ରେଲିଆର ସୁପରମାର୍କେଟ୍ ଚାଉଳ କ୍ରୟ ଲାଗି ଏକ ସୀମା ଧାର୍ଯ୍ୟ କରିଛି । ଅନ୍ୟପକ୍ଷରେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ୍ ଭାରତକୁ ଅନୁରୋଧ କରିଛି ଯେ, ଚାଉଳ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକୁ ହଟାଇ ଦେବାକୁ । ଆଇଏମଏଫ୍ କହିଛି ଏପରି ନିଷ୍ପତ୍ତି ସାରା ବିଶ୍ୱ ଉପରେ କ୍ଷତିକାରକ ପ୍ରଭାବ ପକାଇବ । ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏମଏଫ୍ ର ମୁଖ୍ୟ ଅର୍ଥଶାସ୍ତ୍ରୀ ପିୟରେ ଓଲିଭିଅର କହିଛନ୍ତି ଭାରତର ଏହିପ୍ରକାର ପ୍ରତିବନ୍ଧ ଦ୍ୱାରା ବିଶ୍ୱର ଅନ୍ୟ ଦେଶମାନଙ୍କରେ ଖାଦ୍ୟପଦାର୍ଥର ମୂଲ୍ୟରେ ଅସ୍ଥିରତା ବୃଦ୍ଧି ପାଇବ ।

ସେ କହିଛନ୍ତି ଭାରତର ପ୍ରତିବନ୍ଧ ସେହିପରି ପ୍ରଭାବ ପକାଇବ ଯେପରି ପ୍ରଭାବ ରୁଷ-ୟୁକ୍ରେନ ମଧ୍ୟରେ କାଲା ସାଗର ବୁଝାମଣା ତୁଟିଯିବା ଦ୍ୱାରା ସୃଷ୍ଟି ହୋଇଛି । ଗହମର ଶୀର୍ଷ ରପ୍ତାନୀକାରୀ ଦେଶ ଭାବରେ ପରିଚିତ ୟୁକ୍ରେନ କାଲା ସାଗର ଜରିଆରେ ନିଜର ଗହମ ବିଶ୍ୱ ବଜାରରେ ବିକ୍ରୀ କରୁଥିଲା କିନ୍ତୁ ରୁଷ ଏହି ବୁଝାମଣାକୁ ରଦ୍ଧ କରିଦେବା ପରେ ବିଶ୍ୱ ବଜାରରେ ଅଚାନକ ଗହମର ଦାମ୍ ବୃଦ୍ଧି ପାଇଥିଲା । ସେ କହିଛନ୍ତି ୨୦୨୩ରେ ବିଶ୍ୱ ବଜାରରେ ବିଭିନ୍ନ ଖାଦ୍ୟଶସ୍ୟର ଦାମ୍ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।

ସେହିପରି ଆଇଏମଏଫ୍ ର ରିସର୍ଚ୍ଚ ବିଭାଗ ଡିଭିଜନ ମୁଖ୍ୟ ଡାନିଏଲ୍ ଲେ କହିଛନ୍ତି ଭାରତ ପରି ଯଦି ଦୁନିଆର ଅନ୍ୟ ଦେଶ ଏହିପରି ପ୍ରତିବନ୍ଧ ଲଗାଇବେ ତେବେ ସାରା ବିଶ୍ୱରେ ଦରଦାମ୍ ବହୁ ମାତ୍ରାରେ ବୃଦ୍ଧି ପାଇବ ।
ଭାରତର ଏପରି ନିଷ୍ପତ୍ତି ପରେ ଆମେରିକାରେ ସୁପରମାର୍କେଟରେ ଚାଉଳ ଦୋକାନରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ଲୋକମାନେ ଅଧିକ ଚାଉଳ କିଣି ଷ୍ଟୋର କରି ରଖିବାକୁ ଚାହୁଁଛନ୍ତି । ଏହାକୁ ଲକ୍ଷ୍ୟ କରି ଆମେରିକାରେ ଦୋକାନରେ ଚାଉଳ କ୍ରୟ କରିବାର ଏକ ସୀମା ଧାର୍ଯ୍ୟ କରାଯାଇଛି । ସୋସିଆଲ ମିଡିଆରେ ଏବେ ଚାଉଳ ଦୋକାନରେ ଲୋକଙ୍କ ଲମ୍ବା ଲାଇନକୁ ନେଇ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆମେରିକା ପରି କାନାଡା ଓ ଅଷ୍ଟ୍ରେଲିଆରେ ମଧ୍ୟ ଲୋକମାନେ ଅଧିକରୁ ଅଧିକ ଚାଉଳ କିଣି ଷ୍ଟୋର କରି ରଖୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ ଭାରତ ସରକାର ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଘରୋଇ ଚାହିଦାକୁ ପୂରଣ ଲାଗି ଏବଂ ଖୁଚୁରା ମୂଲ୍ୟ ନିୟନ୍ତ୍ରଣରେ ରଖିବା ଲାଗି ୨୦ ଜୁଲାଇରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଥିଲା । ଭାରତ ବିଶ୍ୱର ସବୁଠାରୁ ଅଧିକ ଚାଉଳ ରପ୍ତାନୀକାରୀ ଦେଶ ।

Get real time updates directly on you device, subscribe now.