fbpx

ନୂଆ ରୂପ ନେଉଛି ନରେନ୍ଦ୍ର ପୋଖରୀ: ପାଚେରୀ ବଖାଣିବ ପୁରୀ ଐତିହ୍ୟର ଗାଥା

ପୁରୀ: ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସିଥାନ୍ତି । ଶ୍ରୀମନ୍ଦିର ଏବଂ ବେଳାଭୂମି ପରେ ଅନେକ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀକୁ ବୁଲି ଦେଖିଥାନ୍ତି । କେହି କେହି ମାନସିକ ରଖି ତୀର୍ଥ ପୁଷ୍କରିଣୀ କୂଳରେ ତିଳତର୍ପଣ, ମୁଣ୍ଡନ ଆଦି କରିଥା’ନ୍ତି । ତୀର୍ଥ ପୁଷ୍କରିଣୀ ସହ ଅନେକ ଭକ୍ତି ଓ ବିଶ୍ୱାସ ଯୋଡ଼ି ହୋଇରହିଛି । ରାଜ୍ୟ ସରକାର ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରଖିଥିବା ବେଳେ ଏଥିରେ ତୀର୍ଥ ପୁଷ୍କରିଣୀକୁ ସାମିଲ କରିଛନ୍ତି । ପଞ୍ଚତୀର୍ଥ ମଧ୍ୟରୁ ଶ୍ୱେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ସହ ଅନ୍ୟତମ ତୀର୍ଥ ପୁଷ୍କରିଣୀ ନରେନ୍ଦ୍ରର ସୌନ୍ଦର୍ଯୀକରଣ ଏବଂ ପୁନରୁଦ୍ଧାର କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଳିଷ୍ଠ ଉଦ୍ୟମ ଆଜି ଫଳବତୀ ହେବାରେ ଲାଗିଛି । ସେଦିନର ଚିନ୍ତାଧାରା ଆଜି ପୁରୀ ଶ୍ରୀକ୍ଷେତ୍ର ଧାମକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ପୁରୀ ରୂପରେଖ ସଂପୂର୍ଣ୍ଣ ଭାବେ ବଦଳି ଯାଇଛି ।

ଏହାକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଭୂରିଭୂରି ପ୍ରଶଂସା କରୁଥିବା ବେଳେ ରାଜ୍ୟ ସରକାରଙ୍କର ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ। ଏବେ ଏହି ପ୍ରକଳ୍ପରେ ସାମିଲ ହୋଇଛି ୪ ପୁଷ୍କରିଣୀ । ଶ୍ରୀକ୍ଷେତ୍ର ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ କଳାକୃତି ପ୍ରସ୍ତୁତ କରାଯାଇ ପାଚେରିରେ ଲଗାଯାଉଛି । ନରେନ୍ଦ୍ର ପୁଷ୍କରିଣୀ ପାଚେରିରେ ଠାକୁରଙ୍କ ବିଭନ୍ନ ବେଶ, ଦଶାବତାର ମୂର୍ତ୍ତି, ସାହିଯାତ ପ୍ରଭୃତି ଲଗାଯାଇଛି । କେବଳ ସେତିକି ନୁହେଁ, ରଥଯାତ୍ରାର କାଠ ଅନୁକୂଳଠାରୁ ଆରମ୍ଭ କରି ରଥଖଳା, କମାରଶାଳ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି, ମହାପ୍ରଭୁଙ୍କ ବିଭିନ୍ନ ଲୀଳାକୁ ମଧ୍ୟ ସ୍ଥାନ ଦିଆଯାଉଛି । ଏହି ପାଚେରି ହିଁ ବଖାଣିବ ପୁଷ୍କରିଣୀର ଗାଥା । ସେହିପରି ପୁଷ୍କରିଣୀକୁ ଯାଇଥିବା ପାହାଚଗୁଡ଼ିକ ଖଣ୍ଡୋଲାଇଟ୍ ପଥରରେ ଚଉଡ଼ା କରାଯାଉଛି । ଭକ୍ତ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନେ ଯେପରି ପୁଷ୍କରିଣୀ ଚତୁଃପାର୍ଶ୍ୱ ବୁଲିପାରିବେ, ସେଥିପାଇଁ ୨ମିଟର ଓସାରର ପରିକ୍ରମା ରାସ୍ତା କରାଯାଉଛି । ପରିକ୍ରମା ସମୟରେ ଯେମିତି କେହି ପୋଖରୀକୁ ଖସି ନଯିବେ, ସେଥିପାଇଁ କାଷ୍ଟ ଲୁହା ରେଲିଂ ମଧ୍ୟ ଲଗାଯାଉଛି । ବସିବା ପାଇଁ ବେଞ୍ଚ ସ୍ଥାପନ ହେଉଛି । ଫୁଲକୁଣ୍ଡ, ଆଲୋକୀକରଣ (ହାଇମାଷ୍ଟ ଏବଂ ଏଲ୍ଇଡି)ସାଙ୍ଗକୁ ପାନୀୟ ଜଳ, ଶୌଚାଳୟ ଆଦି ସବୁ ପ୍ରକାର ସୁବିଧା କରାଯିବାର ଯୋଜନା ରହିଛି ।

ଏଥିପାଇଁ ‘ଅବଢ଼ା’ ଯୋଜନାରେ ୬୬ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି) କାମ କରୁଛି । ଏଠାରେ ଦଶାହ କାର୍ଯ୍ୟ, ଚୁଟି ପକାଇବା ଓ ପିଣ୍ଡଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଫଳରେ ଖରା, ବର୍ଷା ହେଲେ ବି ଶ୍ରଦ୍ଧାଳୁମାନେ କୌଣସି ପ୍ରକାର ସମସ୍ୟାରେ ପଡ଼ିବେ ନାହିଁ । ପୁଷ୍କରିଣୀଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମ୍ପ୍ରସାରଣ ସହ ଚାରିପାଖରେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା ହେବ । ସେହିପରି ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ଫୁଲ କୁଣ୍ଡ ଶୋଭାବର୍ଦ୍ଧନ କରିବ । ଏମିତି ପରିକଳ୍ପନାକୁ ନେଇ ୨୦୨୨ ଜୁନରୁ କାମ ଆରମ୍ଭ କରାଯାଇଥିବା ବେଳେ ଏବେ ଦ୍ରୁତଗତିରେ ଜାରି ରହିଛି । ମଝିରେ ଖଣ୍ଡୋଲାଇଟ୍ ପଥରର ଅଭାବ ଯୋଗୁ କାମ ସାମାନ୍ୟ ବିଳମ୍ବ ହୋଇଥିବା ବେଳେ ଏବେ କାମକୁ ତ୍ୱରାନ୍ୱିତ କରିଛି ଓବିସିସି ।

Get real time updates directly on you device, subscribe now.