fbpx

ରୁଷର ମନୋମୁଖୀ କାର୍ଯ୍ୟ ଆଉ ଚଳିବ ନାହିଁ: ଏକାଠି ହେଲେ ଆମେରିକା, ବ୍ରିଟେନ, NATO ଓ ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ୟୁକ୍ରେନ ସୀମାରେ ସୈନ୍ୟ ମୁତୟନ କରିଥିବା ରୁଷ ପୁଣି ଏକ ନୂଆ ଆକ୍ସନ ନେଇଛି । ପୂର୍ବ ୟୁକ୍ରେନର ଡୋନେଟସ୍କ ଓ ଲୁହାନସ୍କକୁ ଦୁଇଟି ଅଲଗା ଦେଶର ମାନ୍ୟତା ପ୍ରଦାନ କରିଛି ରୁଷ୍ । ରୁଷ୍ଟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏହି ପଦକ୍ଷେପ ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ବିଦ୍ରୋହୀଙ୍କୁ ରୁଷ୍ ମାନ୍ୟତା ପ୍ରଦାନ କରିଥିଲେ ହେଁ ଏଥିରେ ଆମେ ଭୟଭୀତ ନୋହୁଁ । ୟୁକ୍ରେନକୁ ପଶ୍ଚିମ ରାଷ୍ଟ୍ର ସମୂହ ସମର୍ଥନ କରିବା ନେଇ ଆମେ ଆଶାବାଦୀ ରହିଛୁ ।

ତେବେ ଏହି ମାମଲାକୁ ନେଇ ଆଜି ମିଳିତ ଜାତିସଂଘର ବୈଠକ ବସିବାର ଅଛି । ଏ ବାବଦରେ ଏକ ଖୋଲା ମିଟିଂ ହେବା ସହ ଭାରତ ମଧ୍ୟ ନିଜର ପକ୍ଷ ରଖିବ । ରୁଷର ଏହି ପଦକ୍ଷେପକୁ ନେଇ ୟୁରୋପୀୟ ସଂଘ, ନାଟୋ ସହ ଆମେରିକା ଓ ଅନ୍ୟ କିଛି ରାଷ୍ଟ୍ର କଡ଼ା ନିନ୍ଦା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ଜର୍ମାନ ଚାନ୍ସେଲରଙ୍କ ସହ ଆଲୋଚନା କରିଛନ୍ତି । ତେବେ ରୁଷର ଏହି ମନୋମୁଖୀ ନୀତି ବିରୋଧରେ ଜବାବ ଦିଆଯିବା ନେଇ ବିଭିନ୍ନ ରାଷ୍ଟ୍ର ଯୋଜନା କରୁଥିବା ରିପୋର୍ଟରୁ ଜଣାପଡ଼ିଛି ।

ରୁଷର ଏହି ନୀତି ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ହେଉଥିବା କହିଛି ୟୁକେ । ଏଥିସହ ବ୍ରିଟେନ ରୁଷ ଉପରେ ପ୍ରତିବନ୍ଧକ ଲଗାଇପାରେ । ସେହିପରି ଏଷ୍ଟୋନିଆ ପ୍ରଧାନମନ୍ତ୍ରୀ ମଧ୍ୟ ରୁଷ ବିରୋଧରେ ଗର୍ଜିଛନ୍ତି । ୟୁରୋପୀୟ ସଂଘର ଅଧ୍ୟକ୍ଷ ଚାର୍ଲ୍ସ ମିଶେନ ଓ ୟୁରୋପୀୟ ଆୟୋଗ ସଭାପତି ଉର୍ସୁଲା ଭନ ଡିର ଲେୟେନ ମଧ୍ୟ ନିଜ ପ୍ରତିକ୍ରିୟାରେ ରୁଷକୁ ସମାଲୋଚନା କରିଛନ୍ତି ।

Get real time updates directly on you device, subscribe now.