fbpx

ବାତ୍ୟା ‘ଗୁଲାବ୍’କୁ ସାମନା କରିବା ପାଇଁ ନବୀନ ସରକାରଙ୍କ ସଜବାଜ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ର ସାମନା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସୂଚନା ମୁତାବକ, ଏହି ଅବପାତ ବର୍ତ୍ତମାନ ଗୋପାଳପରୁଠାରୁ ୪୭୦ କିମି ଦୂରରେ ରହିଛି । ଆଜି ସନ୍ଧ୍ୟାରେ ଏହା ଏକ ବାତ୍ୟାର ରୂପ ନେଇପାରେ । ଆସନ୍ତା କାଲି ସନ୍ଧ୍ୟାରେ ଏହା କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୯୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ବାତ୍ୟା ପୂର୍ବରୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ‘ଗୁଲାବ୍’ ପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ଜରୁରୀକାଳୀନ ସହାୟତା ପାଇଁ ଟୋଲ ଫ୍ରି ନମ୍ବର ୧୫୫୪ ଜାରି କରାଯାଇଛି । ଓଡ୍ରାଫର ୪୨ ଓ ଏନଡିଆରଏଫର ୨୪ଟି ଟିମକୁ ମୁତୟନ କରାଯିବ । ପାଟ୍ରୋଲିଂ ଜାହାଜ ଓ ଡୋର୍ନିୟର ବିମାନ ସାହାଯ୍ୟରେ ସମୁଦୂ କୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଥିବା ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯିବ । ଗଭୀର ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି । ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି ଜିଲ୍ଲା ବେଶି ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ପାହାଡ଼ିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ କରିଦିଆଯାଇଛି । ଗଞ୍ଜାମ ବିଚକୁ ଦୁଇ ଦିନ ପାଇଁ ବନ୍ଦ ରଖାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରାଯାଇଛି । ପ୍ରବଳ ବର୍ଷା ହେଉଥିବା ସମୟରେ ସମସ୍ତେ ଘରେ ରହିବାକୁ ଅନୁରୋଧ କରାଯାଇଛି । ତେବେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବାରୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା ରହିଛି । ତେଣୁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଶନିବାର ଓ ରବିବାର ଛୁଟି ବାତିଲ୍ କରିଦିଆଯିବା ସହ ସଦର ମହକୁମା ନ ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ।

Get real time updates directly on you device, subscribe now.