fbpx

ଆଶା, ଅଙ୍ଗନବାଡ଼ି ଦିଦି ଓ ସ୍ୱଚ୍ଛ ସାଥୀଙ୍କ ଦରମା ବୃଦ୍ଧି ହେବ: ଫେବୃଆରୀରେ ବଡ଼ ଘୋଷଣା କରିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭତ୍ତାଧାରୀ, ଆଶା, ଅଙ୍ଗନବାଡ଼ି ଦିଦି ଓ ସ୍ୱଚ୍ଛ ସାଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଖୁସି ଖବର ଦେବେ । ଭତ୍ତାଧାରୀଙ୍କ ଭତ୍ତା ବଢ଼ିବା ସହିତ ଆଶା, ଅଙ୍ଗନବାଡ଼ି ଦିଦି ଓ ସ୍ୱଚ୍ଛ ସାଥୀଙ୍କ ଦରମା ବଢ଼ିବ । ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏ ବାବଦରେ ଏକ ବଡ଼ ସୂଚନା ଦେଇଛନ୍ତି ।

ଗଜପତି ଜିଲ୍ଲା ଗସ୍ତରେ ଯାଇ ଶ୍ରୀ ପାଣ୍ଡିଆନ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ର ସୁବିଧା ନେବାକୁ ଜନସାଧାରଣଙ୍କୁ ଅପିଲ କରିଥିଲେ । ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ସେ କହିଥିଲେ । ଗ୍ରାମାଞ୍ଚଳରେ ମଧ୍ୟ ନବୀନ କାର୍ଡ ଉପଲବ୍ଧ ହେବ ଓ ଆଗକୁ ସହରାଞ୍ଚଳରେ ଏହି କାର୍ଡରେ ମାଗଣା ଚିକିତ୍ସା ସେବା ମିଳିବ ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ କାଶୀନଗର ଓ ରା.ଉଦୟଗିରି ବ୍ଳକ ରାମଗିରିଠାରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ । ବିଏସକେୱାଇ ଦେଶର ଏକ ଅନନ୍ୟ ଯୋଜନା ହୋଇଥିବା ବେଳେ ଏହା ଗରିବଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ପ୍ରତି ମାସରେ ରାଜ୍ୟ ସରକାର ବିଏସକେୱାଇରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟର ୯୦ ପ୍ରତିଶତ ଲୋକ ଲୋକ ଏହାଦ୍ୱାରା ଉପକୃତ ହେଉଛନ୍ତି । ସାଢ଼େ ୪ କୋଟି ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପରିବାର । ଗରିବ ଲୋକମାନେ କିଭଳି ସମ୍ମାନର ସହ ଚିକିତ୍ସା ପାଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର କରିବାକୁ ଶ୍ରୀ ପାଣ୍ଡିଆନ ଗଜପତିବାସୀଙ୍କୁ ଅପିଲ କରିଥିଲେ ।

Get real time updates directly on you device, subscribe now.