fbpx

କାମ ଦେଉନି ନବୀନଙ୍କ ଫର୍ମୁଲା, ଦଳ ଛାଡିଲେ କଟକ ବାରବାଟୀ ପ୍ରାର୍ଥୀ

ଭୁବନେଶ୍ୱର: ଆଜି ଶଙ୍ଖ ଛାଡିଲେ କଟକ ବାରବାଟୀର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା । ଏହା ପରେ ବିଜେଡି ସୁପ୍ରିମୋଙ୍କ ଅବସ୍ଥାକୁ ନେଇ ସବୁଠି ଚର୍ଚ୍ଚା । କୁହାଯାଉଛି, ପ୍ରାୟ ଏକ ଦଶନ୍ଧି ଧରି ନିଜ ନେତା ମନ୍ତ୍ରୀ, ବିଧାୟକଙ୍କୁ ଦର୍ଶନ ଦେଉନଥିଲେ କି ବିଧାନସଭା ବା ଲୋକସେବା ଭବନକୁ ଆସୁନଥିଲେ ଦଳ ମୁଖିଆ । ହେଲେ ବିରୋଧୀ ଦଳରେ ବସିବା ପରଠାରୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି ମୁଖିଆଙ୍କର । ଡାକି ହାତି ଦଳର ବରିଷ୍ଠଙ୍କ ଠାରୁ କନିଷ୍ଠ ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟୁଛନ୍ତି । ସମସ୍ତଙ୍କ ସହ ଦଳ ସମ୍ପର୍କରେ ବିଚାର ବିମର୍ଷ କରୁଛନ୍ତି ।

ଲି ସେତିକି ନୁହେଁ, ୪ ମାସ ହେଲା କାଳେ ଦିନ, ରାତି ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ପୁଣି ଜନତାଙ୍କ ବିଶ୍ୱାସ ହାତେଇବାକୁ । ବିଭିନ୍ନ ପୂଜା ପାର୍ବଣରେ ମଣ୍ଡପ ବୁଲିବା ସହ ସିଧା ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି । କ୍ଷମତା ଯିବା ପରେ ଦଳରେ ମୂଷା ପରି ରହିଥିବା ସଦସ୍ୟଙ୍କ ସିଂହ ରୂପ ଦେଖି ମୁଖିଆ ଛାନିଆ ହୋଇଯାଇଥିବା ରାଜନୈତିକ ସମୀକ୍ଷ କହୁଛନ୍ତି । ସେଥି ପାଇଁ କାଳେ ଲୋକଙ୍କୁ ଦେଖିଲେ ନାକ ଟେକୁଥିବା ନବୀନ ଦଳୀୟ କର୍ମକର୍ତ୍ତାଙ୍କୁ ହକାରି, ଡକାରି ବୈଠକ ପରେ ବୈଠକ କରୁଛନ୍ତି । ନବୀନଙ୍କ ଏପରି ପରିବର୍ତ୍ତନକୁ ନେଇ ସମୀକ୍ଷକ କହୁଛନ୍ତି କି, କାଳେ ରାଜ୍ୟସଭା ସାଂସଦଙ୍କ ପରି ଆଉ କେହି ଦଳ ଡିଆଁ ମାରିବେ, ତାକୁ ନେଇ ଛାନିଆ ସୁପ୍ରିମୋ ।
ସେଥିପାଇଁ ଦଳୀୟ ବିଧାୟକଙ୍କୁ କ୍ଷମତାର ଭର୍ଚୁଆଲ ଫିଲ ଦେବାକୁ ପ୍ରଥମେ ସମସ୍ତ ୫୦ ବିଧାୟକଙ୍କୁ ଛାୟା ମନ୍ତ୍ରୀ ମଣ୍ଡଳରେ ଅଧିଷ୍ଠିତ କରିଦେଲେ । ଏବେ ସୁଦ୍ଧା ଦଳରେ ୪-୫ଟି ବିଭିନ୍ନ କମିଟି କରି ବହୁ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି । ତା ସାଙ୍ଗକୁ ଦଳକୁ ଆହୁରି ସୁଦୃଢ କରିବାକୁ ଗତ ଅକ୍ଟୋବର ୨ ତାରିଖରୁ ଜନ ସମ୍ପର୍କ ପଦଯାତ୍ରା କରୁଛନ୍ତି । ନିଜେ ନବୀନ ମଧ୍ୟ ଲୋକଙ୍କ ଭିତରେ ପଦଯାତ୍ରାରେ ସାମିଲ ହେଉଛନ୍ତି । ସରକାର ବିରୋଧରେ ଶାଣିତ ଆକ୍ରମଣ କରି ଲହୁ ଲୁହାଣ କରିବାକୁ ଚେଷ୍ଟା କରୁଛନ୍ତି । ନିଜେ ୨୪ ବର୍ଷ ଧରି ଯେଉଁ କାମ କରିଆସୁଥିଲେ, ସେହି କାମ ପାଇଁ ସରକାର ଗଠନର ମାସେ କେଇଟାରେ ଦୋଷ ଲଦିଆ ଆରମ୍ଭ କରିଛନ୍ତି ।
ନାରୀ ନିର୍ଯାତନା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମିଛ କହି ଭୋଟ ଜିତିବା ପରି ମାଳ ମାଳ ଅଭିଯୋଗ କରୁଛନ୍ତି ନବୀନ ପଟ୍ଟନାୟକ, ଯାହା ଅତୀତରେ ତାଙ୍କଠାରେ କେବେ କେହି ଦେଖି ନ ଥିଲେ । ନବୀନଙ୍କ ଏତାଦୃଷ କାମକୁ ଦେଖି ରାଜନୈତିକ ସମୀକ୍ଷକ କହୁଛନ୍ତି କି, ଏବେ ଦଳର ନେତା ମନ୍ତ୍ରୀଙ୍କୁ ଏକକ ସୂତ୍ରରେ ବାନ୍ଧିବାକୁ ନବୀନ ତାଙ୍କ ଅହିଂସାର ପୂଜାରୀ ରୂପ ତ୍ୟାଗକରି ଆକ୍ରାମକ ହୋଇଛନ୍ତି । ତାଙ୍କର ଏକମାତ୍ର ଲକ୍ଷ୍ୟ କେହି କୁଆଡେ ନ ଯାଆନ୍ତୁ । ଦଳରେ ସେମିତି ଏକାଠି ହୋଇ ରହିଥାନ୍ତୁ ।
ଦଳର ମଉଡମଣୀ ଏତେ ହାଇଁପାଇଁ ହେଉଥିବା ବେଳେ କିନ୍ତୁ ତାଙ୍କ କୌଣସି ଚାଲ କାମ ଦେଉନି । ଆଗରୁ ଦୁଇ ରାଜ୍ୟସଭା ସାଂସଦ, ବହୁ ସରପଞ୍ଚ, ସମିତି ସଭ୍ୟ ଦଳକୁ ଗୁଡବାଏ କରିସାରିଛନ୍ତି । ଏବେ ପୁଣି କଟକ ବାରବାଟୀର ପ୍ରାର୍ଥୀ ଦଳକୁ ବାଏ ବାଏ କରିଛନ୍ତି । ଯାହାକୁ ଦେଖି ଲୋକେ କୁହାକୁହି ହେଉଛନ୍ତି, ରାତି ତମାମ ଅନିଦ୍ରା, ମୁକୁଗା ପଛ ମେଲା ।

Get real time updates directly on you device, subscribe now.