fbpx
BSKY
BJD MC SKY
BJD YOUTH SKY

BJPରେ ମିଶିବେ ଅଜିତ ପାୱାର? NCPକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଫାଇନାଲ ଡେଟ୍ ପାଖେଇ ଆସୁଥିବାରୁ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ବିଭିନ୍ନ ରାଜ୍ୟରେ ତା’ର ସଂଗଠନକୁ ସକ୍ରିୟ କରିବାକୁ ପ୍ରସାସ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଓଲଟପାଲଟ ହେବାକୁ ଯାଉଥିବା ନେଇ ଖବର ମିଳିଛି ।

ସୂଚନା ମୁତାବକ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହା କେତେଦୂର ସତ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ବିଜେପି କି ଏନସିପି ପକ୍ଷରୁ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ । ତେବେ ଯଦି ଏପରି କିଛି ହୁଏ ତେବେ ପୁଣି ଥରେ ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କଂଗ୍ରେସର ବିଚାର, ବୟାନକୁ ନେଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଭିନ୍ନ ଆଭିମୁଖ୍ୟ ରହିଥିବା କୁହାଯାଉଛି ।

ତେବେ ଯଦି ମହାରାଷ୍ଟ୍ରରେ ଏପରି କିଛି ଘଟେ, ତେବେ ମହାରାଷ୍ଟ୍ର ବିକାଶ ଅଘାଡ଼ି (ଏମଭିଏମ) ନିଶ୍ଚିତ ଭାବେ ଭୁଶୁଡ଼ି ପଡ଼ିବ । ପୂର୍ବରୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇ ଏକନାଥ ଶିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ଭାଜପା ସଫଳ ହୋଇଥିଲା । ତେଣୁ ଏପରି ସ୍ଥିତିରେ ବିଜେପିର କ’ଣ ଚାଲ ରଚିଛି ସେନେଇ ଆକଳନ କରିବା ମୁସ୍କିଲ । ସାରା ଦେଶରେ ବିରୋଧୀମାନେ ଅଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ବେଳେ ଏହି ପ୍ରସଙ୍ଗରେ ଜେପିସିର ଆବଶ୍ୟକତା ନଥିବା କହି ନିକଟରେ ଅଦାନୀ ଗ୍ରୁପକୁ ସମର୍ଥନ କରିଥିଲେ ଶରଦ । ତେଣୁ ଏହି ସମର୍ଥନ ପଛର ରହସ୍ୟ କ’ଣ ତାହା କହିହେବ ନାହିଁ । ଅନ୍ୟପକ୍ଷରେ ଅଜିତ ଭାଜପାର ଗୁଲାମ ହେବ ନାହିଁ । ଆମକୁ କେହି ଅଲଗା କରିପାରିବେ ନାହିଁ ବୋଲି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସୂଚନାଯୋଗ୍ୟ ଯେ, ୨୦୧୯ରେ ଏନସିପି ଓ କଂଗ୍ରେସ ସମର୍ଥନରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବା ସହ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Get real time updates directly on you device, subscribe now.