ନୂଆ ଶିକ୍ଷାନୀତି: ସମ୍ଭାବନା ସହ ସମସ୍ୟା

ଦୀର୍ଘଦିନର ପ୍ରତୀକ୍ଷା ପରେ ମାତୃଭାଷା ତଥା ଆଞ୍ଚଳିକ ଭାଷାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଆଉ ଇତିମଧ୍ୟରେ ୧୧ଟି ଆଞ୍ଚଳିକ ଭାଷାରେ ବିଟେକ୍ ପାଠପଢ଼ା ପାଇଁ ଅନୁମତି ଦେଇସାରିଛନ୍ତି ସରକାର । ଏଭଳି ଘୋଷଣା କରାଯିବା ଫଳରେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଖୁସି ପ୍ରକାଶ ପାଇଛି । ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିସି) ଅନୁମତି ଦେଇଥିବା ସମ୍ପୃକ୍ତ ଭାଷାଗୁଡ଼ିକ ହେଲା- ଓଡ଼ିଆ, ହିନ୍ଦୀ, ମରାଠି, ତାମିଲ୍, ତେଲଗୁ, କନ୍ନଡ଼, ଗୁଜରାଟି, ମାଲାୟଲାମ, ବଙ୍ଗାଳୀ, ଆସାମିଜ୍ ଓ ପଞ୍ଜାବୀ । ଆଞ୍ଚଳିକ ଭାଷାରେ ଉଚ୍ଚଶିକ୍ଷା ପ୍ରଦାନ ପୂର୍ବକ ସଶକ୍ତ ବିଦ୍ୟାର୍ଥୀ ସମାଜ ଗଢ଼ିବାରେ ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମଧ୍ୟ ସ୍ୱାଗତ କରିଛନ୍ତି । ଆଠଟି ରାଜ୍ୟର ୧୪ଟି ଇଞ୍ଜିନିୟରିଂ କଲେଜରେ ଆସନ୍ତା ଶିକ୍ଷାବର୍ଷରୁ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା ସୁଯୋଗ ମିଳିବ ବୋଲି ଜଣାପଡ଼ିଛି । ତେବେ ଏହି ନିଷ୍ପତ୍ତିକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଅନେକ ଲୋକଙ୍କ କହିବା ଅନୁସାରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ପଢ଼ିଲେ ମିଳିବ ତ କର୍ମ ନିଯୁକ୍ତି? ଚାକିରି ପାଇଁ ହେବନି କି ସମସ୍ୟା? ଅନେକ ବୈଜ୍ଞାନିକ ଶବ୍ଦକୁ ଆଞ୍ଚଳିକ ଭାଷାରେ ଲେଖାଯିବ କେମିତି? ଏଥିପାଇଁ ବହି ଲେଖିବାକୁ ଦୀର୍ଘ ସମୟ ଲାଗିଯିବ ତ? ଏଭଳି ଅନେକ ପ୍ରଶ୍ନ ଉଠାଉଛନ୍ତି ଲୋକେ । ତେବେ ଭାଷା ସାହିତ୍ୟ ଗବେଷକ ତଥା ବିଶେଷଜ୍ଞଙ୍କ ମତ ରହିଛି ଅଲଗା । ସେମାନେ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ଏଭଳି ନିଷ୍ପତ୍ତି ବରଂ ବିଳମ୍ବ ହୋଇଗଲା ବୋଲି କହିଛନ୍ତି । ତେବେ ସମୟାନୁସାରେ ପରିବର୍ତ୍ତନକୁ ସ୍ୱାଗତ କରିବା ଆମର କର୍ତ୍ତବ୍ୟ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ବିଶିଷ୍ଟ ସାହିତ୍ୟିକ ତଥା ମାତୃଭାଷା ପାଇଁ ଆନ୍ଦୋଳନ କରୁଥିବା ଅନ୍ୟତମ ନେତୃତ୍ୱ ଗଜାନନ ମିଶ୍ର କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଉକ୍ରଳମଣି ଗୋପବନ୍ଧୁ ଏକଦା ମତ ଦେଇଥିଲେ ଯେ ଆଞ୍ଚଳିକ ବା ମାତୃଭାଷାରେ ପିଲାଙ୍କୁ ଶିକ୍ଷା ନଦେବା ଶିଶୁକୁ ହତ୍ୟା କରିବା ସଦୃଶ । ଏହି କଥାକୁ ସ୍ମରଣ କରାଇ ଶ୍ରୀ ମିଶ୍ର ଭାରତୀୟ ସମ୍ବିଧାନରେ ଉଲ୍ଲେଖ ଥିବା ନିୟମ ବଖାଣିଛନ୍ତି । ତାଙ୍କର କହିବା ହେଲା ମା’ ଆଉ ମାଟିକୁ କ୍ରମାଗତ ଆକ୍ରମଣ କରାଯାଉଛି । ସଂସ୍କୃତିକୁ ସମ୍ମାନ ଦିଆଯିବା ନିହାତି ଦରକାର । ଜର୍ମାନ, ଚୀନ୍, ରୁଷ୍, ଫ୍ରାନ୍ସ ଆଦି ଦେଶରେ କୋଉଠି ଅଛି ଇଂରାଜୀ ଭାଷା? ସେମାନେ ନିଜ ଦେଶର ଭାଷାକୁ ହିଁ ଗୁରୁତ୍ୱ ଦେଇ ବେଶ୍ ଉନ୍ନତି କରିଛନ୍ତି। ତେଣୁ ଏନେଇ ସବୁ ସ୍ତରରେ ସଚେତନ ହେବା ଦରକାର ଓ ଶିକ୍ଷା ଦିଆଯିବା ଆବଶ୍ୟକ । ନୂଆ ଶିକ୍ଷା ନୀତିରେ ବି ସେଇ କଥା ଉଲ୍ଲେଖ ରହିଛି । ଆମ ସମ୍ବିଧାନରେ ୧୯୬୫ ପରଠୁ ଇଂରାଜୀ ନାହିଁ । କେବଳ ଏକ ନିର୍ମୂଳି ଲତା ଭଳି ମାଡ଼ି ଚାଲିଛି । ତେଣୁ ନୂଆ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ଯେତେଶୀଘ୍ର ଇଂରାଜୀ ହଟିଯିବ ଭଲ । ମାତୃଭାଷା ଆଉ ମା’ର ଭାଷା ହିଁ ପିଲା ଶିଖିବା ଦରକାର । ସମୟ ଲାଗିବ କିନ୍ତୁ ଭଲ ପଦକ୍ଷେପ । ଦେଶର ଶିକ୍ଷା, ନୀତି, ସମ୍ବିଧାନ ଆଦି କଣ ରହିଛି ସବୁ ପିଲା ଜାଣିବା ଦରକାର । ଭୋଟ ମାଗିବ ଓଡ଼ିଆରେ ଆଉ ଶାସନ କରିବ ଇଂରାଜୀରେ? ଏ କେଉଁ ପ୍ରକାର ନୀତି? ଅନ୍ୟ ଯେକୌଣସି ଭାଷା ଶିଖିବାରେ ଅସୁବିଧା ନାହିଁ କିନ୍ତୁ ନିଜ ମାତୃଭାଷା ଆଉ ଆଞ୍ଚଳିକ ଭାଷାରେ ପିଲାଟିଏ ପ୍ରାଥମିକ ଶିକ୍ଷା ଲାଭ କଲେ ଉନ୍ନତି କରିଥାଏ । ଏହାକୁ ଗମ୍ଭୀରତାର ସହ ବିଚାର କରିବାର ବେଳ ଆସିଛି ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଥରେ ଜଣେ ବ୍ୟକ୍ତିଙ୍କୁ ପ୍ରତିକ୍ରିୟା ଦେଇଥିଲେ ଯେ ୧୫ ଅଗଷ୍ଟ ୧୯୪୭ରୁ ମୁଁ ଇଂରାଜୀ କଣ ଭୁଲି ଯାଇଛି । ମୋତେ ମୋ ଦେଶର ଭାଷା କୁହ ବୋଲି ସେ ଜୋର୍ ଦେଇଥିଲେ । ସେହିପରି ମିଳିତ ଜାତିସଂଘ ମଧ୍ୟ ପିଲାମାନଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ବିଳମ୍ବ ହେଲେ ବି ଏକ ନୂଆ ଧାରା ସମାଜରେ ଆରମ୍ଭ ହେଉ ବୋଲି ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି ।
ତେବେ ଏହା କେତେଦୂର ସୁହାଇବ ବୋଲି ଅନେକ ଛାତ୍ର, ଅଭିଭାବକ ଓ ଶିକ୍ଷକ ପ୍ରଶ୍ନ ଉଠାଇଛନ୍ତି । ବ୍ରହ୍ମପୁର ଖଲିକୋଟ କଲେଜରେ ଯୁକ୍ତ ତିନି ବିଜ୍ଞାନ ପଢୁଥିବା ବାପୁଜୀ ସେଠୀଙ୍କ କହିବା ଅନୁସାରେ ଯଦି ଯୁକ୍ତ ଦୁଇ ଆମେ ଇଂରାଜୀରେ ପଢ଼ିଲୁ ଆଉ ପରବର୍ତ୍ତୀ ସମୟରେ ଆଞ୍ଚଳିକ ଭାଷା (ଓଡ଼ିଆ)ରେ ପଢ଼ିବାକୁ ବିକଳ୍ପ ଭାବେ ଚୟନ କରିବୁ ତେବେ ତାହା ସହଜ ହେବ ନାହିଁ । କିନ୍ତୁ ଦଶମରୁ ହିଁ ଯଦି ଓଡ଼ିଆରେ ପଢ଼ି ଆସିଥିବୁ ତେବେ ଏହା ସହଜ ହେବ । ଅନ୍ୟପକ୍ଷରେ ଅନ୍ୟ ରାଜ୍ୟରେ ଚାକିରି କରିବାକୁ ଗଲେ ମଧ୍ୟ ସମସ୍ୟା ଉପଜିବ । ତେଣୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଉ ଓ ଉଚ୍ଚ ଶିକ୍ଷା ପାଠପଢ଼ା ସ୍ୱାଗତଯୋଗ୍ୟ କିନ୍ତୁ ସମୟ ସାପେକ୍ଷ ଏକ ଦୀର୍ଘକାଳୀନ ବ୍ୟବସ୍ଥା। ଏଥିପାଇଁ ଆନୁଷଙ୍ଗିକ ସମସ୍ତ ଦିଗକୁ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବାପୁଜୀ ମତ ଦେଇଛନ୍ତି । ସେହିପରି ଜଣେ ଯୁବ ସାମ୍ବାଦିକ ସତ୍ୟଙ୍କ କହିବା ହେଲା ବିକଳ୍ପ ଦ୍ୱାରା ସଫଳ ମିଳେନା, ବାଧ୍ୟବାଧକତାରେ ହିଁ ସହଜ ସଫଳ ମିଳେ । ବିକଳ୍ପ ବ୍ୟବସ୍ଥାରେ ଦୀର୍ଘକାଳୀନ ସମୟ ଲାଗେ । ତେଣୁ ସରକାର ଆମ ବ୍ୟବସ୍ଥା ପ୍ରତି ଆହୁରି ଗୁରୁତ୍ୱର ସହ ବିଚାର କରିବା ଦରକାର ବୋଲି ମନେହୁଏ ।

ଅନୁରୂପ ଭାବେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଇଂ ହରିହର ତ୍ରିପାଠୀ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି । ସେ କହିଛନ୍ତି ଯେ ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ଆବଶ୍ୟକ ପୁସ୍ତକ କାହିଁ? ବିଶେଷକରି ଆମ ଓଡ଼ିଆରେ ବୈଷୟିକ ଶିକ୍ଷା ପାଇଁ ବହି ନାହିଁ । ଏହାକୁ ଲେଖିଲେ ମଧ୍ୟ ମାଧ୍ୟମ କେବଳ ଓଡ଼ିଆ ହେବା ଦରକାର ଏବଂ ଟେକ୍ନିକାଲ୍ ଶବ୍ଦ ସବୁ ଇଂରାଜୀରେ ହିଁ ରହୁ । ଆକ୍ଷରିକ ଓଡ଼ିଆ ଅର୍ଥ କରିଲେ ତାହା ପ୍ରଭାବଶାଳୀ ହେବନି ଏବଂ ପିଲା କେବଳ ଦ୍ୱନ୍ଦ୍ୱରେ ହିଁ ପଡ଼ିବେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ମଧ୍ୟ ଆଞ୍ଚଳିକ ଭାଷାରେ ବିଜ୍ଞାନ ଶିକ୍ଷାକୁ ଗୁରୁତ୍ୱ ଦେଇଥିଲେ ଏବଂ ମାଧ୍ୟମ ଆଞ୍ଚଳିକ ହୋଇ ଶବ୍ଦ ସମୂହ ଇଂରାଜୀରେ ରହିବା ଦରକାର ବୋଲି ମତ ଦେଇଥିଲେ । ଏହା ହୋଇପାରିଲେ ଜଣେ ବିଦ୍ୟାର୍ଥୀ ସବୁ ସ୍ଥାନରେ ତା ବିଦ୍ୟା ପ୍ରୟୋଗ କରିପାରିବ ଓ କର୍ମ ନିଯୁକ୍ତିରେ ମଧ୍ୟ ସମସ୍ୟା ଦେଖାଯିବନି ବୋଲି ଶ୍ରୀ ତ୍ରିପାଠୀ ମତ ଦେଇଛନ୍ତି ।

ଖଲିକୋଟ ଆରସିଏମ୍ କଲେଜର ଆସିଷ୍ଟାଣ୍ଟ୍ ଫ୍ରଫେସର ସୂର୍ଯ୍ୟ ନାରାୟଣ ରାଉଳ କହିଛନ୍ତି ଯେ- ଦେଖନ୍ତୁ ଅନେକ ଶବ୍ଦ ରହିଛି ଯାହା ଓଡ଼ିଆ କରିହବନି ଆଉ କରିଲେ ମଧ୍ୟ ଭୁଲ୍ ହେବ । ପିଲାମାନେ ଓ ଶିକ୍ଷକମାନେ ମଧ୍ୟ ସମସ୍ୟାରେ ପଡ଼ିବେ । ଦଶମ ପରେ ପରେ ଜଣେ ବୈଷୟିକ ଶିକ୍ଷା ଆଡ଼କୁ ଗଲେ ପ୍ରଥମେ ଇଂରାଜୀ ହିଁ ପଢ଼େ । ତେଣୁ ପିଲା ଉଚ୍ଚଶିକ୍ଷା ଆଡ଼କୁ ଗଲାବେଳେ ଓଡ଼ିଆରେ ପଢ଼ିଲେ ସେ ବାହାରକୁ ଯାଇପାରିବନି । ତେଣୁ କର୍ମ ନିଯୁକ୍ତି କ୍ଷେତ୍ରରେ ବଡ଼ ସମସ୍ୟା ଦେଖାଦେବ । ଜଣେ ଓଡ଼ିଆ ପିଲା ଓଡ଼ିଶାରେ ହିଁ ରହିଯିବେ, କାରଣ ଆମେ ମୁଖ୍ୟତଃ ଚାକିରି ପାଇଁ ଅନ୍ୟସ୍ଥାନ ଉପରେ ନିର୍ଭରଶୀଳ । ତେଣୁ ଓଡ଼ିଆରେ ଶିଖିଥିବା ବୈଷୟିକ ଶବ୍ଦ ଜଣେ ଅନ୍ୟତ୍ର ବ୍ୟବହାର କରିବ କିପରି ବୋଲି ପ୍ରଶ୍ନ ଉଠାଇଛନ୍ତି ଖଲିକୋଟ ଆସିଷ୍ଟାଣ୍ଟ୍ ଫ୍ରଫେସର ଶ୍ରୀ ରାଉଳ । ଇଞ୍ଜିନିୟରିଂ କଲେଜରେ ଦୀର୍ଘଦିନ କାମ କରୁଥିବା କେତେକ ବରିଷ୍ଠ କର୍ମକର୍ତ୍ତାଙ୍କ ମତ ହେଲା, ମ୍ୟାନେଜମେଣ୍ଟ୍ କିଭଳି ନିଷ୍ପତ୍ତି ନେବ ତାହା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି । ବିଭିନ୍ନ ଆଞ୍ଚଳିକ ଭାଷାରେ ପଢ଼ିବାକୁ ଆଗ୍ରହୀ ଥିବା ପିଲାଙ୍କ ପାଇଁ ସେତିକି ସଂଖ୍ୟକ ଅଧ୍ୟାପକ ନିଯୁକ୍ତ କରିବା କଣ ସହଜ କଥା? ଗୋଟିଏ ଭାଷାରେ ପଢ଼ା ଯାଉଥିବାରୁ ଦେଶର ବା ଦେଶ ବାହାରର ବିଦ୍ୟାର୍ଥୀ ଏକକାଳୀନ ସମାନ ଶିକ୍ଷା ପାଉଛନ୍ତି । ଯଦି ବିକଳ୍ପ ଆଞ୍ଚଳିକ ଭାଷା ଚୟନରେ ଶିକ୍ଷା ପାଇଁ ପିଲାଏ ଆଗ୍ରହୀ ହେବେ ତେବେ ପରିଚାଳନାଗତ ଅନେକ ସମସ୍ୟା ସୃଷ୍ଟି ହେବ ବୋଲି ମତ ପ୍ରକାଶ ପାଇଛି ।

ଏଠାରେ ଆମେ ଗୋଟିଏ କଥା ସ୍ପଷ୍ଟ ହେବା ଯେ ଅନେକ ଉଠାଇଥିବା ପ୍ରଶ୍ନଗୁଡ଼ିକର ଗୁରୁତ୍ୱ ରହିଛି । ସରକାର ଏକ ଅୟାରମ୍ଭ କରିବାକୁ ହେଲେ ନିଶ୍ଚିତ ଭାବେ ଆନୁଷଙ୍ଗିକ ଦିଗ ପ୍ରତି ଦୃଷ୍ଟି ଦେବାକୁ ହିଁ ପଡ଼ିବ । ଏହି କ୍ଷେତ୍ରରେ ଆଞ୍ଚଳିକ ଭାଷାରେ ଉଚ୍ଚ ବୈଷୟିକ ଶିକ୍ଷାଦାନ ଏକ ଦୀର୍ଘକାଳୀନ ସଫଳ ଆଣିବ ବୋଲି ବିଚାର କରାଯାଉଛି । ସେ ଯାହା ହେଉ, ଭାଷା ଏକ ପ୍ରବହମାନ ନଈ ସଦୃଶ । ନଈଟିଏ କେତେକଣ ତା ଶରୀରରେ ବୋହି ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚେ । ସମୁଦ୍ରରେ ମିଶିବା ହିଁ ତାହାର ଅନ୍ତିମ ଲକ୍ଷ୍ୟ । ଠିକ୍ ସେହିପରି ଭାଷା ମଧ୍ୟ ଅନେକ ଶବ୍ଦକୁ ବହନ କରି ଏକ ଉନ୍ନତସ୍ତରକୁ ପହଞ୍ଚି ସମୃଦ୍ଧ ପଦବାଚ୍ୟ ହୋଇପାରିବ । ସେ ଦୃଷ୍ଟିରୁ ଆଞ୍ଚଳିକ ଭାଷାର ମାଧ୍ୟମ ସହିତ ବହୁଜନାଦୃତ ଅନ୍ୟ ଭାଷାର ଶବ୍ଦସମୂହକୁ ଯେକୌଣସି ଅଞ୍ଚଳର ଲୋକଙ୍କୁ ଗ୍ରହଣ କରିବା ହିଁ ଶ୍ରେୟସ୍କର ମନେହୁଏ । ବିଶେଷକରି ଏହା ଉଚ୍ଚ ବୈଷୟିକ ବା ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ନିହାତି ଅନିବାର୍ଯ୍ୟ ବୋଲି କୁହାଯାଇପାରେ ।

ନୂଆ ଶିକ୍ଷାନୀତି ସଫଳ ହେଉ, ଆଞ୍ଚଳିକ ଭାଷାର ମର୍ଯ୍ୟାଦା ଅକ୍ଷୁଣ୍ଣ ରହୁ । ପିଲାଏ ପିଢ଼ି ପରେ ପିଢ଼ି ଉନ୍ନତି କରି ଦେଶସେବାରେ ନିଜକୁ ଉତ୍ସର୍ଗ କରନ୍ତୁ ଏବଂ ଭଲ ସମାଜ ଗଠନରେ ସହାୟକ ହୁଅନ୍ତୁ । ଏହାହିଁ ଆଶା କରାଯାଉଛି ।

Get real time updates directly on you device, subscribe now.

Comments
Loading...