fbpx

ଆଧୁନିକ ରାଜନୀତିର ନୂଆ ଫଣ୍ଡା! ବାପା ଗୋଟେ ପାର୍ଟିରେ, ପୁଅ ଆଉ ଗୋଟେ ପାର୍ଟିରେ, କିନ୍ତୁ ଫାଇଦା ପାଇବ ଗୋଟିଏ ଫ୍ୟାମିଲି….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନେତାଙ୍କ ସମେତ ବିଶିଷ୍ଟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ବିଭିନ୍ନ ରାଜନୈତିକ ଦଳରୁ କଳେବଳେ କୌଶଳେ ଟିକେଟ୍ ହାତେଇବା ପାଇଁ ଲବି ଚଳାଇଛନ୍ତି । ସେଥିରେ କିଏ ସଫଳ ହେଉଛି ତ ଆଉ କିଏ ବିଫଳ । ତେବେ କାହିଁ କେତେ ବର୍ଷ ଧରି ଭାରତୀୟ ରାଜନୀତିରେ ବାପ-ପୁଅ ପଲିଟିକ୍ସ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଯେତେ ଯୋଗ୍ୟ ହୋଇ ଥାଆନ୍ତୁ ନା କାହିଁକି ତାଙ୍କୁ ସହଜରେ ହୁଏତ ଜନତା ଗ୍ରହଣ କରି ନପାରନ୍ତି, ମାତ୍ର ଅମୁକ ମନ୍ତ୍ରୀଙ୍କ ପୁଅ, ଅମୁକ ବିଧାୟକ / ସାଂସଦଙ୍କ ପୁଅ ନାମରେ ଅନେକ ନବାଗତ ନେତା ସହଜରେ ନିର୍ବାଚନ ବୈତରଣୀ ପାର ହେଉଥିବା ଦେଖାଯାଉଛି ।

ବାପାଙ୍କ ପରେ ପୁଅ ଉତ୍ତରାଧିକାରୀ ସୂତ୍ରରେ ପଲିଟିକ୍ସରେ ଏଣ୍ଟ୍ରି ମାରିବା ଭାରତୀୟ ରାଜନୀତିରେ ନୂଆ କଥା ନୁହେଁ । ମାତ୍ର ଏହା ମଧ୍ୟରେ ରାଜନୀତିର ଏକ ନୂଆ ଫଣ୍ଡା ଦେଖିବାକୁ ମିଳିଛି । ବାପା ଗୋଟିଏ ପାର୍ଟିରେ, ପୁଅ ଆଉ ଗୋଟିଏ ପାର୍ଟିରେ । କିଃ ଦିମାଗ୍….. । ମାନିବାକୁ ପଡ଼ିବ । କୌଣସି ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରି ଆମେ ଏକଥା କହୁନାହୁଁ । କେବଳ ଓଡ଼ିଶା ନୁହେଁ, ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏଭଳି ଅନେକ ଉଦାହରଣ ରହିଛି । । ନିକଟରେ ଭାରତବର୍ଷରେ ଏଭଳି ଅନେକ ବାପ-ପୁଅ ଟିକେଟ୍ ପାଇଛନ୍ତି । ବାପ-ପୁଅ ଅଲଗା ଅଲଗା ଦଳରେ ରହିବା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥାଇପାରେ, ମାତ୍ର ରାଜନେତିକ ଫାଇଦା ତ ଗୋଟିଏ ଫ୍ୟାମିଲି ହିଁ ପାଇବ, ଏଥିରେ ଦ୍ୱିମତ ନାହିଁ । କଥାରେ ଅଛି ନେତାଙ୍କ ନୀତି ନାରାୟଣ ବି ବୁଝି ପାରି ନାହାନ୍ତି, ଜନତା କାହୁଁ ବୁଝିବେ ।

ଦେଶ ଭାସିଯାଉ, ଦେଶର ବିକାଶ ହେଉ କି ନହେଉ ଏକଥା କିଏ ଚିନ୍ତା କରୁଛି । ‘ଆମେ ମନ୍ତ୍ରୀ ହେବୁ, ଆମର ପୁଅ/ଝିଅ/ପତ୍ନୀ ବି ମନ୍ତ୍ରୀ ହେବେ’ । ବୋଧହୁଏ ଏହି ଆହ୍ୱାନରେ କିଛି ନେତା ଆଗକୁ ବଢ଼ୁଛନ୍ତି । ଗୋଟିଏ ପରିବାରର ଦୁଇ ଦୁଇ ଜଣ ଟିକେଟ ପାଇବା ଫଳରେ ଆମ ଦେଶ/ ରାଜ୍ୟ ତଥା ସମାଜର କ’ଣ ବିକାଶ ହେଉଛି ଆଉ କ୍ଷତି ଘଟୁଛି ତାହା ଆପଣମାନେ ବିଚାର କରନ୍ତୁ ।

ଆମର କହିବାର କଥା ହେଲା, ଯିଏ ଟିକେଟ ପାଉଛି ପାଉ ଜନତା କିନ୍ତୁ ପ୍ରକୃତ ନେତା ଚୟନ କରିବା ଆବଶ୍ୟକ । ବର୍ଷ ବର୍ଷ ଧରି କେବଳ ଗୋଟିଏ ପରିବାର, ବଂଶକୁ ନିର୍ବାଚନରେ ଜିତାଇବା ଅପେକ୍ଷା ଜଣେ ସ୍ୱଚ୍ଛ, ଯୋଗ୍ୟ ନେତାଙ୍କୁ ଚୟନ କରିବା ଶତଗୁଣେ ଭଲ । ଜନତା ଚାହିଁଲେ ସବୁ କିଛି କରିପାରିବେ । ଜନତା ଜାଗ୍ରତ ହେଲେ ଭ୍ରଷ୍ଟ ନେତାମାନେ ନିଶ୍ଚିତ ସୁଧୁରିଯିବେ । ଆମେ ଜନସେବା କରୁଛୁ କହି ଅନେକ ନେତା କୋଟି କୋଟି ଟଙ୍କା ହଡ଼ପ କରିନେଇଥାନ୍ତି । ତେଣୁ ନେତାଙ୍କ ଭାଷଣ ଅପେକ୍ଷା କାର୍ଯ୍ୟକୁ ଭୋଟରମାନେ ବେଶି ଗୁରୁତ୍ୱ ଦେବା ଆବଶ୍ୟକ ।

Get real time updates directly on you device, subscribe now.