fbpx

କରୋନା ମୃତ୍ୟୁକୁ ନେଇ ICMR ବୈଜ୍ଞାନିକଙ୍କ ବଡ଼ ଖୁଲାସା: ସୁସ୍ଥ ଓ ଅସୁସ୍ଥଙ୍କ ଠାରେ ଭ୍ୟାକ୍ସିନର ପ୍ରଭାବ ଅଲଗା

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରି ଆସିଛି । ଏହା ମଧ୍ୟରେ ଅଧିକାଂଶ ଲୋକ କୋଭିଡର ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇସାରିଥିବା ବେଳେ ବୁଷ୍ଟର ଡୋଜ୍ ଜାରି ରହିଛି । ଏବେ କରୋନାର ପ୍ରକୋପ ହ୍ରାସ ପାଇଥିଲେ ହେଁ ନିକଟରେ ଏହାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)ର ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ରିସର୍ଚ୍ଚରୁ ଏକ ନୂଆ ଖୁଲାସା ହୋଇଛି । ଅଧ୍ୟୟନ ଅନୁଯାୟୀ, ଯେଉଁ ଲୋକମାନେ କରୋନା ସଂକ୍ରମଣ ପୂର୍ବରୁ ସୁସ୍ଥ ଥିଲେ ସେମାନଙ୍କଠାରେ ଟିକାର ପ୍ରଭାବ ବହୁତ ପ୍ରଭାବୀ ଦେଖାଯାଇଥିଲା । ମାତ୍ର ଯେଉଁମାନେ ସଂକ୍ରମିତ ହେବା ପୂର୍ବରୁ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିଲେ, ସେମାନଙ୍କଠାରେ କରୋନାର ପ୍ରଭାବ ଅତ୍ୟନ୍ତ ଭୟଙ୍କର ଦେଖାଯାଇଥିଲା ।

କରୋନା ନିରୋଧୀ ଟିକା କାରଣରୁ ହସ୍ପିଟାଲମାନଙ୍କରେ ରୋଗୀ ସଂଖ୍ୟା ବହୁତ ହ୍ରାସ ପାଇଛି । ନୂଆଦିଲ୍ଲୀ ସ୍ଥିତ ଆଇସିଏମଆର ପକ୍ଷରୁ ଦେଶର ୪୨ରୁ ଅଧିକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୦ ହଜାରରୁ ଅଧିକ ରୋଗୀଙ୍କ ଉପରେ ଗବେଷଣା କରାଯାଇଥିଲା । ତେବେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୩୯ରୁ ହ୍ରାସ ପାଇ ୧୪ ପ୍ରତିଶତରେ ପହଞ୍ଚିଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।

ବିଶ୍ଲେଷଣରୁ ଜଣାପଡ଼ିଛି, ଟିକା ନେବା ପୂର୍ବରୁ ରୋଗୀଙ୍କ କ୍ଷେତ୍ରରେ ବିପଦ ଆଶଙ୍କା ୯୫ ପ୍ରତିଶତ ରହିଥିଲା । ମାତ୍ର ପ୍ରଥମ ଓ ଦ୍ୱିତୀୟ ଡୋଜ ନେବା ପରେ ଏହି ଆଶଙ୍କା ୦.୭ ପ୍ରତିଶତକୁ ହ୍ରାସ ପାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ୬୦ ବର୍ଷରୁ ଅଧିକ ବୟସର ଲୋକ ଥିଲେ । ସେମାନଙ୍କଠାରେ ମଧୁମେହ, କ୍ରୋନିକ କିଡନୀ ରୋଗ, ଲିଭର ରୋଗ, ଶ୍ୱାସ ସମସ୍ୟା ଆଦି ରହିଥିଲା ।

Get real time updates directly on you device, subscribe now.