fbpx

Maternity Leave କୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଆଦେଶ, ଏହି ସ୍ଥିତିରେ ମିଳିବ ୬୦ ଦିନର ବିଶେଷ ଛୁଟି

ନୂଆଦିଲ୍ଳୀ: କେନ୍ଦ୍ର ସରକାର ମାତୃତ୍ୱ ଅବକାଶ (ମ୍ୟାଟରନିଟି ଲିଭ୍) କୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ଶୁକ୍ରବାର କର୍ମଚାରୀ ଏବଂ ତାଲିମ ବିଭାଗ ତରଫରୁ ଜାରି ନୂଆ ଆଦେଶ ଅନୂଯାୟୀ, ଯଦି ମହିଳା କର୍ମଚାରୀଙ୍କୁ ପ୍ରସବର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁ ହେଉଛି, ତେବେ ଏଭଳି ସ୍ଥିତିରେ ୬୦ ଦିନର ବିଶେଷ ମ୍ୟାଟରନିଟି ଲିଭ୍ ଦିଆଯିବ ।

ଆଦେଶରେ କୁହାଯାଇଛି ଯେ ମୃତ ଶିଶୁ ଜନ୍ମ ହେବା କିମ୍ବା ଜନ୍ମ ହେବାର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁରେ ମା’ କୁ ହେଉଥିବା ଭାବନାତ୍ମକ ଯନ୍ତ୍ରଣାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି କାରଣ ଏଭଳି ଘଟଣାର ମା’ର ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଥାଏ ।
ବିଭାଗ ତରଫରୁ କୁହାଯାଇଛି ଏନେଇ ବହୁତ ପୁର୍ବରୁ ଏଭଳି ଅନୁରୋଧ ମିଳିଥିଲା । ଯାହାପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସହ ଆଲୋଚନା କରାଯାଇଥିଲା ଏବଂ ଏଭଳି ସ୍ଥିତିରେ ୬୦ ଦିନର ବିଶେଷ ଛୁଟି ଦିଆଯିବାନେଇ ନିଷ୍ପତ୍ତି ନିଆଯାଇଥିଲା ।

ଏହି ନିର୍ଦ୍ଦେଶ ଅନୁଯାୟୀ, ଯଦି କେନ୍ଦ୍ର ସରକାରଙ୍କ ଜଣେ ମହିଳା କର୍ମଚାରୀ ମାତୃତ୍ୱ ଛୁଟି ନେଇ ନାହାଁନ୍ତି, ତେବେ ତାଙ୍କୁ ମୃତ ଶିଶୁର ଜନ୍ମ କିମ୍ବା ଶିଶୁର ମୃତ୍ୟୁ ଦିନଠାରୁ ୬୦ ଦିନର ଏକ ସ୍ୱତନ୍ତ୍ର ମାତୃତ୍ୱ ଛୁଟି ଦିଆଯାଇପାରେ । ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ପ୍ରସବ ତାରିଖରୁ ୨୮ ଦିନ ମଧ୍ୟରେ ନବଜାତ ଶିଶୁର ମୃତ୍ୟୁ ହେଲେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯିବ।

ଏହି ଆଦେଶ ଅନୁଯାୟୀ, କେବଳ କେନ୍ଦ୍ର ସରକାରଙ୍କ ସେହି ମହିଳା କର୍ମଚାରୀଙ୍କ ପାଇଁ ଯେଉଁମାନଙ୍କରୁ ଦୁଇରୁ କମ୍ ସନ୍ତାନ ଅଛନ୍ତି ଏବଂ ଯାହାଙ୍କର ପ୍ରସବ ପ୍ରାଧିକୃତ ଡାକ୍ତରଖାନାରେ ହୋଇଥିବ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାତୃତ୍ୱ ଛୁଟିର ସୁବିଧା ଉପଲବ୍ଧ ହେବ । ପ୍ରାଧିକୃତ ହସ୍ପିଟାଲର ଅର୍ଥ ହେଉଛି ସରକାରୀ ଡାକ୍ତରଖାନା କିମ୍ବା ଏହିପରି ଘରୋଇ ଡାକ୍ତରଖାନା ଯାହା କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚଏସ) ଅଧୀନରେ ପରିଚାଳିତ । ଡିଓପିଟି ର ଆଦେଶ ଅନୁଯାୟୀ, ପ୍ୟାନଲେ ବାହାରେ ଥିବା କୌଣସି ଘରୋଇ ଡାକ୍ତରଖାନାରେ ଜରୁରୀକାଳୀନ ପ୍ରସବ ହେଲେ ଜରୁରୀକାଳୀନ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ହେବ ।

Get real time updates directly on you device, subscribe now.