fbpx

IPLରେ ଲାଗୁ ହେଲା ନୂଆ ନିୟମ: ବାୟୋ ବବଲ ଉଲ୍ଲଙ୍ଘନ କଲେ ଭୋଗିବାକୁ ପଡିବ ଏହି ସବୁ ଦଣ୍ଡ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗରେ ଲାଗୁ ହେଲା ନୂଆ ନିୟମ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜି ନିଜ ଦଳକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ସମୟରେ ଏହି ଲିଗକୁ ନେଇ ଆସିଛି ଏକ ବଡ ତଥ୍ୟ । ଏଣିକି କଠୋର ନିୟମ କରିଛି ବିସିସିଆଇ । କରୋନା କଟକଣାକୁ ନେଇ ଖେଳାଳିଙ୍କ ସହ ଷ୍ଟାଫ ମାନଙ୍କୁ ମଧ୍ୟ ଚେତାଇ ଦେଇଛି ବୋର୍ଡ ।

ସୂଚନା ମୁତାବକ, IPL ୨୦୨୨ରେ ବାୟୋବବଲ ଉଲ୍ଲଙ୍ଘନ କରିବା ସମସ୍ତଙ୍କ ପାଇଁ ମହଙ୍ଗା ପଡିପାରେ । ମୋଟା ଅଙ୍କର ଜରିମାନା ସାଙ୍ଗକୁ ଟିମ ଉପରେ କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବ ବୋଲି ନିୟମ ପ୍ରଣୟନ ହୋଇଛି । ଯେଉଁ ଖେଳାଳି ଏହାର ଉଲ୍ଲଙ୍ଘନ କରିବେ ସେମାନଙ୍କୁ କୋଟିଏ ଟଙ୍କାର ଜରିମାନା ସହିତ ଟିମର ପଏଣ୍ଟ ମଧ୍ୟ କାଟି ଦିଆଯିବ । ବିସିସିଆଇର ନିୟମ ମୁତାବକ ପ୍ରଥମ ଥର ବାୟୋବବଲ ଉଲ୍ଲଙ୍ଘନ କଲେ ୭ ଦିନ ପାଇଁ ଖେଳାଳିଙ୍କୁ କ୍ୱାରାଣ୍ଟାଇନରେ ରଖାଯିବା ସହିତ ନ ଖେଳିଥିବା ମ୍ୟାଚ ଫି କାଟି ଦିଆଯିବ । ତେବ ଏହି ଭୁଲ ଦ୍ୱିତୀୟ ଥର କଲେ, ୭ ଦିନ କ୍ୱାରାଣ୍ଟାଇନ ସହ ମ୍ୟାଚରୁ ନିଲମ୍ବନ କରାଯିବ । କିନ୍ତୁ ଯଦି ତୃତୀୟ ଥର ସମାନ ଭୁଲକୁ ଦେହରାଇଥାନ୍ତି, ତେବେ ଟୁର୍ଣ୍ଣାମଣ୍ଟେରୁ ବିଦା ହେବେ ସମ୍ପୃକ୍ତ ଖେଳାଳି । କେବଳ ସେତିକି ନୁହେଁ, କୌଣସି ପରିବାର ସଦସ୍ୟ ବାୟୋବବଲକୁ ପ୍ରବେଶ କଲେ ମଧ୍ୟ ସମ୍ପୃକ୍ତ ଖେଳାଳି କିମ୍ବା ଦଳୀୟ ସଦସ୍ୟ ୭ ଦିନ ପାଇଁ କ୍ୱାରାଣ୍ଟାଇନରେ ରହିବା ବାଧ୍ୟତାମୂଳକ କରି ଦିଆଯାଇଛି ।

ଗତବର୍ଷ IPLରେ ବାୟୋବବଲ ଉଲ୍ଲଙ୍ଘନ କାରଣରୁ ଟୁର୍ଣ୍ଣାମେଣ୍ଟରେ କରୋନା ବିସ୍ଫୋରଣ ହୋଇଥିଲା । ଫଳରେ ଏକାଧିକ ଖେଳାଳି କରୋନା ସଂକ୍ରମଣ ହୋଇଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ ଅଧାରେ ଅଟକାଇବାକୁ ବାଧ୍ୟ ହୋଇଥିଲା କମିଟି । ପରେ ଏହାକୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଚଳିତ ଥର ସମାନ ଭୁଲ ନ କରିବା ପାଇଁ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.