ଓଡ଼ିଶା ଭାସ୍କର: କେନ୍ଦ୍ର ସରକାରୀ ଅଫିସରମାନଙ୍କ ପାଇଁ ବଡ଼ ଖବର । ପେନସନ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏଣିକି ପେନସନ ପାଇବା ପୂର୍ବରୁ ଆଉ ଏକ ବଡ଼ କାମ କରିବାକୁ ହେବ । ନଚେତ୍ ଟଙ୍କା ପାଇବାରୁ ବଞ୍ଚିତ ହେବେ ପେନସନଭୋଗୀ । ପେନସନ ପାଇବା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ଏବେ ଅନଲାଇନରେ ଏକ ଫର୍ମ ପୂରଣ କରିବାକୁ ପଡ଼ିବ । ଅନଲାଇନରେ ଇ-ଏଚଆରଏମଏସ ୨.୦ ପୋର୍ଟାଲ ଜରିଆରେ ପେନସନ ଫର୍ମ ୬-ଏ ପୂରଣ କରିବେ ସରକାରୀ କର୍ମଚାରୀ । ଏହି ନିୟମ ଚଳିତ ମାସ ଗତ ୬ ତାରିଖରୁ ଲାଗୁ ହୋଇସାରିଛି ।
କେନ୍ଦ୍ର ସରକାରୀ କାର୍ଯ୍ୟାଳୟରୁ ଅବସର ନେଉଥିବା ସମସ୍ତ କର୍ମଚାରୀଙ୍କୁ ଏଣିକି ଅନଲାଇନ୍ ଫର୍ମ ପୂରଣ କରିବାକୁ ହେବ । ଏଣିକି କାଗଜ-କଲମରେ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ । ଏ ନେଇ ଭାରତ ସରକାରଙ୍କ ପେନସନ ଆଣ୍ଡ ପେନସନର୍ସ ୱେଲଫେୟାର ଡିପାର୍ଟମେଣ୍ଟ ତରଫରୁ ସୂଚନା ଜାରି କରାଯାଇଛି । ପୂର୍ବରୁ ପେନସନ ପାଇଁ ଆବେଦନ ଫର୍ମ କାଗଜରେ ପୂରଣ ହୋଇପାରୁଥିଲା । କିନ୍ତୁ ଏବେ କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅନଲାଇନ୍ ଫର୍ମ ପୂରଣ କରିବା ବାଧ୍ୟତାମୂଳକ କରାଯାଇଛି । ସରକାରୀ ପ୍ରକ୍ରିୟା ଗୁଡ଼ିକୁ ମଧ୍ୟ ଡିଜିଟାଲ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ଏବଂ ଉଦାହରଣ ହୋଇପାରିବ ବୋଲି କୁହାଯାଉଛି ।
ଅନଲାଇନ ପୋର୍ଟାଲ ପେନସନ ପ୍ରକ୍ରିୟାକୁ ସରଳ ଏବଂ ପ୍ରଭାବୀ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ତେବେ ଏହି ପରିବର୍ତ୍ତନ ପରେ ପେନସନ ପ୍ରକ୍ରିୟାକୁ ସୂଚାରୁ ରୂପେ ପରିଚାଳନା କରିବାକୁ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ । କାର୍ଯ୍ୟାଳୟ ପ୍ରମୁଖ ଏବଂ ନୋଡାଲ ଅଧିକାରୀମାନଙ୍କୁ ନୂଆ ସିଷ୍ଟମର ଉପଯୋଗ କରିବାର ଶୈଳୀକୁ ବୁଝିିବାରେ ବେଶ୍ ସହାୟତା ହେବ ଏହି ପ୍ରଶିକ୍ଷଣ ।