fbpx

ଜୁଲାଇ ପହିଲାରୁ ଦେଶରେ ନୂଆ ନିୟମ ଲାଗୁ: ବଦଳିବ ବହୁ ପୁରୁଣା ‘IPC’

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜୁଲାଇ ପହିଲାରୁ ଭାରତୀୟ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଲାଗୁ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ସମସ୍ତ ନିୟମକୁ ଗତବଷ ଡିସେମ୍ବର ୨୧ ତାରିଖରେ ସଂସଦରୁ ମଞ୍ଜୁରୀ ମିଳିଥିଲା ଏବଂ ରାଷ୍ଟ୍ରପତି ମଧ୍ୟ ଡିସେମ୍ବର ୨୫ ତାରିଖରେ ଏହାକୁ ସମର୍ଥନ କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ୩ ସମାନ ନୋଟିଫିକେସନ ଅନୁସାରେ, ଆସନ୍ତା ଜୁଲାଇ ପହିଲାରୁ ନୂଆ ନିୟମ ଲାଗୁ ହେବ । ବହୁ ପୁରୁଣା ଭାରତୀୟ ଦଣ୍ଡ ସଂହିତା, ଅପରାଧିକ ପ୍ରକ୍ରିୟା ସଂହିତା ଏବଂ ୧୮୭୨ର ଭାରତୀୟ ସାକ୍ଷ ଅଧିନିୟମର ସ୍ଥାନରେ ଏହି ନିୟମ ସ୍ଥାନ ପାଇବ । ବିଭିନ୍ନ ଅପରାଧ ଏବଂ ସେଗୁଡ଼ିକର ଦଣ୍ଡବିଧାନର ପରିଭାଷା ସହ ଦେଶର ଅପରାଧିକ ନ୍ୟାୟ ପ୍ରଣାଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଏହି ୩ଟି ଆଇନ୍-କାନୁନର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଆତଙ୍କବାଦୀର ସ୍ପଷ୍ଟ ପରିଭାଷା ଦେବା, ରାଜଦ୍ରୋହକୁ ଶେଷ କରିବା ଏବଂ ଅନ୍ୟାନ୍ୟ ପରିବର୍ତ୍ତନ ଆଣିବ ଏହି ନୂଆ ଆଇନ୍ । ଏହାସହିତ ରାଜ୍ୟ-ରାଜ୍ୟ ମଧ୍ୟରେ ଅପରାଧ ନାମକ ଏକ ନୂଆ ସେକ୍ସନକୁ ସାମିଲ କରିବା ସହ ବ୍ରିଟିଶ ସମୟରୁ ପ୍ରଚଳିତ ବିଭିନ୍ନ ଆଇନକୁ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଏହି ୩ଟି ଆଇନ୍ ପ୍ରଣୟନ ହେବାକୁ ଯାଉଛି ।

ସୂଚନା ଥାଉ କି, ଗତବର୍ଷ ସଂସଦର ମୌସୂମୀ ଅଧିବେଶନରେ ସରକାର ଏ ନେଇ ଏକ ବିଲ୍ ଆଗତ କରିଥିଲେ । ସଂସଦରେ ଉପସ୍ଥାପିତ ହେବା ପରେ ଏହାକୁ ଗୃହ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ମଧ୍ୟ ପଠାଯାଇଥିଲା। ତେବେ ସମିତି ତରଫରୁ ହୋଇଥିବା ସୁପାରିଶକୁ ସାମିଲ କରିବା ପରେ ଏହାକୁ ସଂସଦର ଶୀତକାଳୀନ ଅଧିବେଶନ ସେଶନରେ ମଞ୍ଜୁରୀ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.