fbpx

ଭାରତ ବିପକ୍ଷରେ ନୂଆ ଦଳ ଖେଳିବ ବିଶ୍ୱକପ: ଜିମ୍ବାୱେକୁ ଚକମା ଦେଇ ପାଇଲା ଟିକେଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବାକୁ ଯାଉଛି ଆଉ ଏକ ନୂଆ ଟିମ୍ । ଟି-୨୦ ବିଶ୍ୱକପରେ ୨୦ତମ ଦଳ ଭାବରେ ସାମିଲ ହୋଇଛି ୟୁଗାଣ୍ଡା । କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଏହି ଦଳ ବିଶ୍ୱକପ ଖେଳିବାକୁ କ୍ୱାଲିଫାଏ କରିଛି । ଜିମ୍ବାୱେ ଏବଂ କେନ୍ୟା ଭଳି ଦଳକୁ ମାତ୍ ଦେଇ ଆଇସିସି ବିଶ୍ୱକପରେ ସୁଯୋଗ ହାସଲ କରିଛି ୟୁଗାଣ୍ଡା କ୍ରିକେଟ ଟିମ୍ । ଏହାସହିତ ଆଫ୍ରିକା ମହାଦେଶର ପଞ୍ଚମ ଦେଶ ଭାବରେ ୟୁଗାଣ୍ଡା ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛି ।

ଆଇସିସି କ୍ରିକେଟ ଜଗତରେ ପାଦ ଥାପିଲା ଆଉ ଏକ ନୂଆ ଦଳ, ୟୁଗାଣ୍ଡା । ଆସନ୍ତା ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ୟୁଗାଣ୍ଡା ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ବଡ଼ ବଡ଼ ମହାରଥୀଙ୍କୁ ସାମ୍ନା କରିବ । ଟି-୨୦ ବିଶ୍ୱକପ ପାଇଁ ଆଫ୍ରିକାରେ ହେଉଥିବା କ୍ୱାଲିଫାୟାରରେ ଦମଦାର ପ୍ରଦର୍ଶନ କରି ଦଳ ଏହି ସଫଳତା ହାସଲ କରିଛି । ୬ଟି ମ୍ୟାଚରୁ ୫ଟି ମ୍ୟାଚରେ ବିଜୟ ଲାଭ କରି ଟପ୍-୨ରେ ସ୍ଥାନ ପକ୍କା କରିବା ସହ ଟି-୨୦ ବିଶ୍ୱକପ ପାଇଁ ମଧ୍ୟ କ୍ୱାଲିଫାଏ କରିଛି ୟୁଗାଣ୍ଡା । କ୍ୱାଲିଫାୟାରରେ ୟୁଗାଣ୍ଡା ତଞ୍ଜାନିଆ, ଜିମ୍ବାୱେ, ନାଇଜେରିଆ, ରୱାଣ୍ଡା ଏବଂ କେନ୍ୟା ଭଳି ଦଳକୁ ଚକମା ଦେବାରେ ସଫଳ ହୋଇଛି । ତେବେ ନାମିବିଆ ଏକମାତ୍ର ଦଳ ଭାବରେ ୟୁଗାଣ୍ଡାକୁ ମାତ୍ ଦେଇଛି ।

ୟୁଗାଣ୍ଡା ପୂର୍ବରୁ ନାମିବିଆ ଟି-୨୦ ବିଶ୍ୱକପ-୨୦୨୪ ପାଇଁ ନିଜ ସ୍ଥାନ ପକ୍କା କରିଥିଲା । କ୍ୱାଲିଫାୟାରର ପଏଣ୍ଟ ଟେବୁଲରେ ୧୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହି ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଛି ନାମିବିଆ । ଏହାପରେ ଦ୍ୱିତୀୟ ସ୍ଥାନରେ ୟୁଗାଣ୍ଡା ମଧ୍ୟ ଆଜି ବିଶ୍ୱକପ ପାଇଁ ଟିକେଟ ହାସଲ କରିଛି । ୟୁଗାଣ୍ଡା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହେବା ପରେ ବିଶ୍ୱକପର ୨୦ଟି ଦଳ ଫାଇନାଲ ହୋଇଯାଇଛି ।

ଦିନିକିଆ ବିଶ୍ୱକପରେ ଟପ୍-୮(ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଇଂଲଣ୍ଡ, ନେଦରଲାଣ୍ଡ ଏବଂ ଶ୍ରୀଲଙ୍କା) ଦଳ ଏହି ବିଶ୍ୱକପ ପାଇଁ ସ୍ଥାନ ପାଇଛନ୍ତି । ଏହାପରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଆୟୋଜକ ଦଳ ଭାବରେ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ଆଫଗାନିସ୍ତାନ, ବାଂଲାଦେଶ, ଆୟରଲାଣ୍ଡ, ସ୍କଟଲାଣ୍ଡ ଏବଂ ପାପୁଆ ନ୍ୟୁ-ଗିନି ବ୍ୟତୀତ କାନାଡ଼ା, ନେପାଳ ଏବଂ ଓମାନ ମଧ୍ୟ ଆସନ୍ତା ଟି-୨୦ ବିଶ୍ୱକପରେ ସାମିଲ ହେବେ ।

Get real time updates directly on you device, subscribe now.