fbpx

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା ଏକ ନୂଆ ଭାଇରସ୍: ଚାଲିଗଲା ୧୧ ଶିଶୁଙ୍କ ଜୀବନ, ଆଖି, ଶ୍ୱାସନଳୀ, ଫୁସଫୁସ, ଅନ୍ତନଳୀ, ସ୍ନାୟୁ, ମୂତ୍ରନଳୀକୁ ସଂକ୍ରମିତ କରୁଛି

Advertisement

ନୂଆଦିଲ୍ଲୀ: ସାରା ବିଶ୍ୱରୁ ଏବେ କରୋନାର ଆଶଙ୍କା ଦୂର ହୋଇନଥିବା ବେଳେ ଦିନକୁ ଦିନ ନୂଆ ନୂଆ ଭାଇରସ୍ ଚିହ୍ନଟ ଦେଉଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ପଶ୍ଚିମବଙ୍ଗରୁ ଏକ ସଂକ୍ରାମକ ଭାଇରସ ସାମ୍ନାକୁ ଆସିଛି । ଏହି ଭାଇରସରେ ୧୧ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଜ୍ୱର, କାଶ ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବାରୁ ଯାଞ୍ଚ କରିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏ ନେଇ କୋଲକାତାରେ ଆଲର୍ଟ ଜାରି କରାଯାଇଛି ।

ତେବେ ପଶ୍ଚିମବଙ୍ଗରୁ ମିଳିଥିବା ଏହି ନୂଆ ଭାଇରସର ନାମ ହେଉଛି ‘ଏଡିନୋ ଭାଇରସ୍ । ଏହି ଭାଇରସର ସଂକ୍ରମଣରେ ୧୧ ଜଣ ଶିଶୁ ପ୍ରାଣ ହରାଇଥିବା ଜଣାପଡ଼ିଛି । ତେଣୁ ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି କୋଲକତାରେ ଆଲର୍ଟ ଜାରି କରାଯିବା ସହିତ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ପିଲାଙ୍କଠାରେ ଏହାର ଲକ୍ଷଣ ଉପରେ ନଜର କରାଯାଇଛି । ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ମୁତାବକ, ଯେଉଁ ପିଲାମାନେ ସର୍ବଦା ସୁସ୍ଥ ଥାଆନ୍ତି ସେମାନଙ୍କୁ ଯଦି ଏଡିନୋ ଭାଇରସ ସଂକ୍ରମଣ ପରେ ତେବେ ଜୀବନ ପ୍ରତି ବିପଦ ଆଶଙ୍କା ବଢ଼ିଯାଇଥାଏ ।

ଏକ ରିପୋର୍ଟ ମୁତାବକ, ଏଡିନୋ ଭାଇରସ ବିଭିନ୍ନ ପ୍ରକାରର ଭାଇରସର ଏକ ଗ୍ରୁପ ଅଟେ । ଏହା ଆଖି, ଶ୍ୱାସନଳୀ, ଫୁସଫୁସ, ଅନ୍ତନଳୀ, ସ୍ୱାୟୁ ସିଷ୍ଟମ, ମୂତ୍ରନଳୀକୁ ସଂକ୍ରମିତ କରିପାରେ । ଏହାର ଲକ୍ଷଣ ଫ୍ଲୁ ପରି ହୋଇଥାଏ । ଏହା ଯେ କୌଣସି ବୟସର ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ବର୍ଷର ଯେ କୌଣସି ସମୟରେ ଏହାର ସଂକ୍ରମଣ ହୋଇପାରେ । ଏହି ସଂକ୍ରମିତଙ୍କୁ ଛୁଇଁଲେ, ହାତ ମିଳାଇଲେ, ସଂକ୍ରମିତଙ୍କ କୌଣସି ଜିନିଷକୁ ଧରିଲେ, ବାୟୁରେ ଥିବା କାଶର ଡ୍ରପଲେଟ ଦ୍ୱାରା ଏହି ଭାଇରସ ବ୍ୟାପିଥାଏ । ତେଣୁ ଏଥିରୁ ବର୍ତ୍ତିବାକୁ ହେଲେ ସଫାସୁତୁରା ରହିବା ନିହାତି ଜରୁରୀ ।

ଆମେରିକାର ସ୍ୱାସ୍ଥ୍ୟ ସଂସ୍ଥା ସିଡିସି ମୁତାବକ, ଏଡିନୋ ଭାଇରସର ସଂକ୍ରମଣ ହେବା ପରେ ରୋଗୀଠାରେ ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଦେଇଥାଏ । ପ୍ରତ୍ୟେକ ଲକ୍ଷଣ ପରସ୍ପରଠାରୁ ଭିନ୍ନ ହୋଇଥାନ୍ତି । ଜ୍ୱର, ଗଳାରେ ସମସ୍ୟା, ଶ୍ୱାସନଳୀରେ ସୂଜନ, କାଶ, ଡାଇରିଆ, ଆଖି ଲାଲ, ପେଟ ଯନ୍ତ୍ରଣା, ନିଃଶ୍ୱାସ ନେବାରେ ସମସ୍ୟା, ବାନ୍ତି ଆସିବା ଆସି ଲକ୍ଷଣ ଦେଖାଦେଇଥାଏ । ଏଥିସହିତ ବ୍ଲାଡରରେ ସୂଜନ ମଧ୍ୟ ହୋଇପାରେ । ମାତ୍ର ଏହ କମ୍ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଉଛି । ରୋଗୀଙ୍କଠାରେ ଏହିସବୁ ଲକ୍ଷଣ ଦେଖାଦେବା ମାତ୍ରେ ବ୍ଲଡ, ୟୁରିନ, ସ୍ୱାବ ଓ ଷ୍ଟୁଲ ଟେଷ୍ଟ କରାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଛାତି ଏକ୍ସରେ କରିବାକୁ କୁହାଯାଇଛି ।

ବୟସ୍କଙ୍କ ଅପେକ୍ଷା ଶିଶୁଙ୍କୁ ଏହା ବେଶି ସଂକ୍ରମିତ କରୁଛି । ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ଭାଇରସ୍ ଅଧିକ ସଂକ୍ରମିତ କରୁଛି । ବିଶେଷ କରି ଯେଉଁ ପିଲାଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ରହିଥାଏ ସେମାନେ ବେଶି ଶିକାର ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସର କୌଣସି ମେଡିସିନ ବାହାରି ନାହିଁ । ତେଣୁ ସାଧାରଣ ଔଷଧ ଜରିଆରେ ରୋଗୀଙ୍କ ଲକ୍ଷଣକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରାଯାଉଛି ।

Get real time updates directly on you device, subscribe now.