fbpx

ବର୍ଷକୁ ମିଳିବ ୩୦୦ ଦିନର ଛୁଟି: ସରକାର ଆଣୁଛନ୍ତି ନୂଆ ନିୟମ, ଏହି ତାରିଖରୁ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ: ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୩୦୦ ଦିନ ପର୍ଯ୍ୟନ୍ତ ଛୁଟି ମିଳିପାରିବ । ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂତନ ବେତନ ଆଇନ ଅନୁଯାୟୀ କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ପୂର୍ବରୁ ଦୁଇ ଦୁଇ ଥର ଏହି ନିୟମ ଲାଗୁ ହେବା ପୂର୍ବରୁ ବନ୍ଦ ରହିଥିଲା । ଶେଷ ଥର ପାଇଁ ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବା ନେଇ କୁହାଯାଉଥିଲା । ମାତ୍ର ରାଜ୍ୟ ସରକାରଙ୍କ ଅସହମତି କାରଣରୁ ଏହା ସମ୍ଭବ ପର ହୋଇ ପାରିନଥିଲା । ତେବେ ୨୦୨୨ରୁ ଏହି ନିୟମ ପୁନର୍ବାର ଲାଗୁ କରାଯିବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଫ୍ଟ ପ୍ରସ୍ତୁତ ହେବା ପରେ ଏହି ନିୟମ ଲାଗୁ ହେବା ସହିତ ଦରମା ଏବଂ ଛୁଟି ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଏହି ନୂତନ ବେତନ ନିୟମ ଅନୁଯାୟୀ କେବଳ ସରକାରୀ ନୁହନ୍ତି ବରଂ ବେସରକାରୀ ଅଫିସର କର୍ମଚାରୀ ମାନେ ମଧ୍ୟ ଲାଭବାନ ହେବେ । କେବଳ ଅଫିସ ନୁହେଁ ବିଭିନ୍ନ ମିଲ୍ ଓ ଫ୍ୟାକ୍ଟ୍ରିରେ କାମୁ କରୁଥିବା କର୍ମଚାରୀ ମଧ୍ୟ ଲାଭବାନ ହେବେ । କେବଳ ବେତନ ବଢିବ ତାହା ନୁହେଁ ବରଂ କାମ କରିବାର ସମୟ ଏବଂ ଛୁଟି ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ ଘଟିବ । ଏହି ନୂତନ ନିୟମରେ କଣ ସବୁ ପରିବର୍ତ୍ତନ ସାମିଲ ହେବ ଆସନ୍ତୁ ନଜର ପକାଇବା ।

୧. ସାଲାରୀ ଷ୍ଟ୍ରକଚର:
ନୂତନ ଆଇନର ସିଧାସଳଖ ପ୍ରଭାବ ଆପଣଙ୍କ ସାଲାରୀ ଷ୍ଟ୍ରକଚର ଉପରେ ପଡିବ । ଟେକ୍ ହୋମ୍ ସାଲାରୀ ମଧ୍ୟ କମିବାର ସମ୍ଭାବନା ରହିଛି । ୱେଜ୍(ବେତନ) କୋଡ ଆକ୍ଟ ଅନୁଯାୟୀ କର୍ମଚାରୀଙ୍କ ମୂଳ ଦରମା କଷ୍ଟ ଟୁ କମ୍ପାନୀରୁ ୫୦ ପ୍ରତିଶତ କମ ରହିବ ନାହିଁ । ଫଳରେ ଆପଣଙ୍କ ମୂଳ ଦରମା ବଢିବ ମାତ୍ର ଅନ୍ୟାନ୍ୟ ଭତ୍ତା ପରିମାଣ କମ ହେବାର ସମ୍ଭାବନା ରହିଛି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ କମ୍ପାନୀ ଗୁଡିକ ମୂଳ ଦରମା କମ କରି ଅନ୍ୟାନ୍ୟ ଭତ୍ତା ବଢାଉଛନ୍ତି ।

୨. ବଢିବ ଛୁଟି ସଂଖ୍ୟା:
କୌଣସି କର୍ମଚାରୀଙ୍କ ଅର୍ନଡ ଲିଭ୍(ଅର୍ଜିତ ଛୁଟି) ସଂଖ୍ୟା ବର୍ଷକୁ ୩୦୦କୁ ବୃଦ୍ଧି କରାଯାଇଛି । ବର୍ଷକରେ ଏକାଧିକ ଛୁଟି ରହିଯାଇଥାଏ ଯାହା ନେବା ସମ୍ଭବ ହୋଇନାଥାଏ । ପୂର୍ବରୁ ଏପରି ୨୪୦ଟି ଛୁଟି ଗୋଟିଏ ବର୍ଷରେ ନିୟମ ରହିଥିଲା ମାତ୍ର ବର୍ତ୍ତମାନ ଏହା ବୃଦ୍ଧି ପାଇ ୩୦୦ ରେ ପହଞ୍ଚିଛି ।

୩. ବଢିବ ଶ୍ରମ ସମୟ ଓ ୱିକଲି ଅଫ୍:
ମିଳିଥିବା ସୂଚନା ଅନୁଯାୟୀ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ୟୁନିୟନ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଦୈନିକ ୮ ଘଣ୍ଟାରେ ୬ ଦିନ କାମ କରୁଥିବା ବେଳେ ଗୋଟିଏ ଦିନର ଛୁଟି ମିଳୁଥିଲା । ବର୍ତ୍ତମାନ ଏହାକୁ ଦୈନିକ ୧୨ ଘଣ୍ଟାକୁ ବଢାଇ ଦିଆଯାଇଛି । ଫଳରେ କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କାମ କରିବା ସହିତ ୩ ଦିନର ଛୁଟି ମିଳିବ ।

୪. ସର୍ବନିମ୍ନ ଦେୟ:
କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ଦେୟ ଲାଗୁ କରାଯିବ । ଏହି ନୂତନ ନିୟମ ଅନୁଯାୟୀ ନ୍ୟୁନତମ ବେତନ ନିୟମକୁ କଡାକଡି କରାଯିବ । ଏହା ସହିତ ପ୍ରବାସୀ ଶ୍ରମିକଙ୍କ ସମେତ ଘରୋଇ କ୍ଷେତ୍ରରେ କାମ କରୁଥିବା ସମସ୍ତ ଶ୍ରମିକଙ୍କ ପାଇଁ ପିଏଫ୍ ଓ ଇଏସ୍ଆଇ ବ୍ୟବସ୍ଥା ଲାଗୁ କରାଯିବ । ସେହିପରି ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ପ୍ରଦାନ କରାଯିବା ସହିତ ମହିଳା ମାନେ ନାଇଟ୍ ସିଫ୍ଟରେ ମଧ୍ୟ କାମ କରିପାରିବେ ।

୫. ଇପିଏଫ୍:
ମୂଳ ଦରମା(ବେସିକ୍ ପେ) ରେ ଅଭିବୃଦ୍ଧି ଘଟିବା ସହିତ ଇପିଏଫ୍ ରାଶିରେ ମଧ୍ୟ ଅଭିବୃଦ୍ଧି ଘଟିବ । ଏହା ଫଳରେ କର୍ମଚାରୀଙ୍କ ଭବିଷ୍ୟତ ଅଧିକ ସୁରକ୍ଷିତ ହେବ । ଏହା ସହିତ ଗ୍ରାଚୁଇଟି ମଧ୍ୟ ବଢିବ । ଫଳରେ ମୂଳ ଦରମା ସାମାନ୍ୟ କମ ରହିବ ମାତ୍ର ଅବସର ସମୟରେ ଅଧିକ ସୁବିଧା ମିଳି ପାରିବ । ଅଣ ସଙ୍ଗଠିତ କ୍ଷେତ୍ରରେ ମଧ୍ୟ ଏହି ନିୟମ ସମାନ ଭାବରେ ଲାଗୁ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.