ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୨ ଜଣ ନୂଆ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଥିବା ବେଳେ ୯ ଜଣ ପୁରୁଣା ବିଧାୟକଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି । ନବୀନଙ୍କ ନୂଆ ଟିମରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ତେବେ ଇତିମଧ୍ୟରେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ନୂଆ ମନ୍ତ୍ରୀମାନେ ନବୀନ ନିବାସରେ ପହଞ୍ଚିଛନ୍ତି । ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଅର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ଆଗକୁ ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବା ବେଳେ ନବୀନ ନବଗଠିତ ଟିମର ସଦସ୍ୟମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ନୂଆ ଟିମଙ୍କୁ ନବୀନ ଦେଇଥିଲେ ୬T ମନ୍ତ୍ର । ଏହାଫଳରେ ପୂର୍ବର ୫T ସହିତ ଏବେ ଯୋଡ଼ି ହୋଇଛି ଆଉ ଏକ T-TOUR ।
ସୂଚନାଯୋଗ୍ୟ ଯେ, ଦୀର୍ଘ ୨୫ ବର୍ଷ ଧରି ରାଜନୀତିରେ ସକ୍ରିୟ ରହିଆସିଥିବା ନବୀନ ସମଗ୍ର ଭାରତବର୍ଷରେ ଏକ ସ୍ୱତନ୍ତ୍ର ରେକର୍ଡ ସ୍ଥାପନ କରିଛନ୍ତି । ନବୀନ ସର୍ବଦା ନିଜସ୍ୱ ଷ୍ଟାଇଲରେ କିଛି ନୂଆ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକମା ଦେଇଥାନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କର ପୁରୁଣା ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ପାଇଁ କହିଥିଲେ । ପରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ଯାଉଥିବା ବିଧାୟକଙ୍କ ନିକଟକୁ ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ଫୋନ୍ କଲ୍ । କିଛିଦିନ ଧରି ଶାନ୍ତ ରହିଥିବା ରାଜଧାନୀର ରାଜନୀତି ଗତକାଲି ହଠାତ୍ ଚଳଚଞ୍ଚଳ ହୋଇଉଠିଥିଲା ।