fbpx

ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ, ୨୦ ପରେ ବଢିବ ବର୍ଷା: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗତକାଲି ଓଡ଼ିଶା ଛୁଇଁବା ପରେ ଶୁକ୍ରବାର ଦିନ ଓଡ଼ିଶାର ଆଉ କେତେକ ଜିଲ୍ଲାକୁ ଛୁଇଁଛି । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି । ଆସନ୍ତା ୩ ଦିନରେ ମୌସୁମୀ ଆହୁରି ଅଗ୍ରଗତି କରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଅପରପକ୍ଷରେ ମୌସୁମୀ ବାୟୁ ପ୍ରଭାବରେ ଉପକୂଳ ଓଡିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ ମୌସୁମୀ ଛୁଇଁବା ପରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । କୋରାପୁଟରେ ସର୍ବାଧିକ ୭୬ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଜି. ଉଦୟଗିରିରେ ୬୫.୪, ନବରଙ୍ଗପୁର ଓ ଫୁଲବାଣୀରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଆହୁରି ଅଗ୍ରସର ହେବ । ୨୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଅଧିକାଂଶ ଅଂଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଯାଜପୁର, କେନ୍ଦୁଝର,ଢେଙ୍କାନାଳ, କଟକ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୮ରୁ ୧୯ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.