fbpx

ପାଞ୍ଚ ବର୍ଷ ପୂର୍ବେ NIA ପ୍ରସ୍ତୁତ କରିଥିଲା PFIର ବ୍ଲୁ ପ୍ରିଣ୍ଟ, ଜାଣନ୍ତୁ ଲାଗିଥିବା ବ୍ୟାନର ଅର୍ଥ କଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୟୁଏପିଏର ସେକ୍ସନ ୩ ଆଧାରରେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଏବଂ ଏହା ସହ ଜଡିତ ସଂଗଠନ ଉପରେ କଟକଣା ଲଗାଇଛନ୍ତି। ଦେଶରେ ଅସ୍ଥିରତା, ହିଂସା ଏବଂ ଭୟର ମାହୋଲ ଉତ୍ପନ କରିବା, ଦେଶ ବିରୋଧୀ ଷଡଯନ୍ତ୍ର ରଚିବା ଆଦି ସଙ୍ଗୀନ ଅଭିଯୋଗ ଏବଂ ପ୍ରମାଣ ଆଧାରରେ ପାଞ୍ଚ ବର୍ଷ କଟକଣା ଲଗାଯାଇଛି। ଦୁଇ ଦିନର ମାରାଥନ ଚଢାଉରେ ପିଏଫଆଇର ୩୦୦ରୁ ଅଧିକ କର୍ମକର୍ତ୍ତା ଏବଂ ପଦାଧିକାରୀଙ୍କୁ ଗିରଫ କରାଯାଇଛି।

କଟକଣା ବା ବ୍ୟାନର ଅର୍ଥ କଣ
ସରକାରଙ୍କ କଟକଣା ପରେ ଏବେ ପିଏଫଆଇ ବିରୋଧ ପ୍ରଦର୍ଶନ, ସମ୍ମିଳନୀ, କନଫରେନ୍ସ, ଡୋନେସନ କିମ୍ବା କୌଣସି ପ୍ରକାରର କାମ କରି ପାରିବ ନାହିଁ। ସଂଗଠନର ପ୍ରତିଟି ଗତିବିଧିକୁ ବେଆଇନ ଦର୍ଶାଯିବ। ଏହା ବ୍ୟତୀତ କୌଣସି ବି ବ୍ୟକ୍ତି ଯଦି ସଂଗଠନରେ ଯୋଗ ଦେବା ଜଣା ପଡେ ତେବେ ଏଜେନ୍ସି ଏବଂ ସ୍ଥାନୀୟ ପୋଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଏଜେନ୍ସି ଯେଉଁ ସବୁ ଲୋକଙ୍କୁ ଗିରଫ କରାଯାଇଛି ସେମାନଙ୍କ ବିରୋଧରେ ୟୁଏପିଏ ଆଧାରରେ କେସ୍ ରୁଜୁ କରାଯାଇଛି। ଏହା ବ୍ୟତୀତ ଆଗାମୀ ଦିନରେ ଆହୁରି ଅନେକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଏଫଆଇ ସହ ସଂଶ୍ଳିଷ୍ଟ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଯାଇପାରେ। ବ୍ୟାଙ୍କ ଆକାଉଣ୍ଟ ଏବଂ ସଂପତ୍ତି ବ୍ୟାଜାପ୍ତ କରାଯାଇପାରେ। ସରକାର ସ୍ପଷ୍ଟ କରିଛନ୍ତି, ପିଏଫଆଇର ସଂପର୍କ ପ୍ରତିବନ୍ଧିତ ସଂଗଠନ ସିମି ସହ ରହିଛି। ପିଏଫଆଇର ଆଇଏସଆଇଏସ ଏବଂ ବାଂଲାଦେଶର ଆତଙ୍କୀ ସଂଗଠନ ଜମାତ ଉଲ ମୁଜାହିଦ୍ଦୀନ ବାଂଲାଦେଶ ସହ ଲିଙ୍କ୍ ରହିଛି।

୨୦୧୭ରେ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ
ଏନଆଇଏ ୨୦୧୭ରେ ହିଁ ପିଏଫଆଇର ଡୋଜିୟର ପ୍ରସ୍ତୁତ କରିଥିଲା। ଏଥିରେ ପିଏଫଆଇର ୫୦ ହଜାରରୁ ଅଧିକ ନିୟମିତ ସଦସ୍ୟଙ୍କ ନାମ ରହିଥିଲା। କେରଳରେ ଏହି ସଂଗଠନର ସମର୍ଥକଙ୍କ ସଂଖ୍ୟା ପାଖାପାଖି ଦେଢ ଲକ୍ଷ ଥିଲା। ପ୍ରତି ବର୍ଷ ସଂଗଠନରେ ପାଞ୍ଚ ପ୍ରତିଶତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ଘଟୁଥିଲା। ଏହି କ୍ୟାଡର ଲୋକଙ୍କୁ କଟ୍ଟରପନ୍ଥୀ ପାଇଁ ଉସୁକାଇଥାନ୍ତି। ପିଏଫଆଇର ଶାଖା ୨୨ ରାଜ୍ୟରେ ରହିଥିବା ଏନଆଇଏର ଡୋଜିୟରରେ ଉଲ୍ଲେଖ ରହିଛି। ୨୦୧୭ରୁ ହିଁ ପିଏଫଆଇ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ପିଏଫଆଇର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଉଥିଲା। ଏଜେନ୍ସି ପ୍ରମାଣ ଯୋଗାଡ କରୁଥିଲା ଏବଂ ପ୍ରତିଟି ଦିଗରେ ଯାଞ୍ଚ ଚାଲିଥିଲା।

Get real time updates directly on you device, subscribe now.