fbpx
BSKY SKY
BSKY SKY

ଓଡ଼ିଶାରେ ଶୀତ ଗାଏବ: ରାତି ତାପମାତ୍ରା ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି

BSKY

ଭୁବନେଶ୍ୱର: ଓଡ଼ିଶାରୁ ସତେ ଯେପରି ଶୀତ ଉଭାନ ହୋଇ ଯାଇଛି । ରାତିରେ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୫ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସାମୁଦ୍ରିକ ଉଷ୍ମ ଜଳୀୟ ବାଷ୍ପପୂର୍ଣ୍ଣ ବାୟୂ ପ୍ରଭାବରେ ରାଜ୍ୟରେ ଶୀତ କମିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପୁରୀରେ ରାତି ତାପମାତ୍ରା ସର୍ବୋଚ୍ଚ ୨୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହା ବ୍ୟତୀତ ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨, ଖୋର୍ଦ୍ଧାରେ ୨୧ ଓ କଟକ ଏବଂ ଭୁବନେଶ୍ୱରରେ ୧୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଉତ୍ତର ଭାରତରେ ମଧ୍ୟ ଚଳିତବର୍ଷ ତୁଷାରପାତ କମ୍ ରହିଛି । ଜାମ୍ମୁ ଓ କାଶ୍ମୀରରେ ୮୯ ପ୍ରତିଶତ, ହିମାଞ୍ଚଳ ପ୍ରଦେଶରେ ୯୦ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୯୮ ପ୍ରତିଶତ କମ୍ ତୁଷାରପାତ ରହିଛି । ଫଳରେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ବୁଧବାର ଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇବ । ଉତ୍ତର ଅଭ୍ୟନ୍ତର, ଉତ୍ତର ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ୩୦ ତାରିଖରେ ରାତି ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ପାଇବ । ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ ଏବଂ ବହୁ ସ୍ଥାନରେ ଘନକୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ଶ୍ରୀ ପଶୁପାଳକ କହିଛନ୍ତି ।

Get real time updates directly on you device, subscribe now.