fbpx

୨୦୨୪ ଦେଖିବ NDA-INDIA ଲଢ଼େଇ: ନିରପେକ୍ଷ ୯ଟି ଦଳ ବଦଳାଇ ପାରନ୍ତି ରାଜନୀତିର ମୋଡ଼

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼େଇ ପୂର୍ବରୁ ସାରା ଦେଶର ରାଜନୈତିକ ପରିସ୍ଥିତି ଏବେ ସରଗରମ୍ ହୋଇ ଉଠିଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ଟକ୍କର ଦେବାକୁ ବିରୋଧୀମାନେ ଗଠନ କରିଛନ୍ତି ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) । ଏଥର ଏନଡିଏ ଓ ଇଣ୍ଡିଆ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ । ଦିଲ୍ଲୀରେ ଏନଡିଏର ବୈଠକରେ ୩୮ଟି ଦଳ ସାମିଲ ହୋଇଥିବା ବେଳେ ବେଙ୍ଗାଲୁରୁରେ ଇଣ୍ଡିଆ ବୈଠକରେ ୨୬ଟି ଦଳ ସାମିଲ ହୋଇଥିଲେ ।

ତେବେ ଏହା ମଧ୍ୟରେ ଆଉ ପାଖାପାଖି ୯ଟି ବଡ଼ ରାଜନୈତିକ ଦଳ ଉପରେ ଏବେ ସଭିଙ୍କ ନଜର ରହିଛି । ଏହି ଦଳମାନେ ଏବେ ଏନଡିଏ ଓ ଇଣ୍ଡିଆ ଠାରୁ ଦୂରତା ବଜାୟ ରଖିଛନ୍ତି । ଏହି ଦଳଗୁଡ଼ିକ ଦେଶର ରାଜନୈତିକର କାୟା ବଦଳାଇ ଦେବାର ସାମର୍ଥ୍ୟ ରଖୁଛନ୍ତି । ସେହି ଦଳଗୁଡ଼ିକ ମଧ୍ୟରେ ଶିରୋମଣି ଅକାଳି ଦଳ (ଏସଏଡି), ବହୁଜନ ସମାଜ ପାର୍ଟି (ବସପା), ବିଜୁ ଜନତା ଦଳ (ବିଜେଡି), ଭାରତ ରାଷ୍ଟ୍ର ସମିତି (ବିଆରଏସ), ଜନତା ଦଳ- ଧର୍ମନିରପେକ୍ଷ (ଜେଡିଏସ), ୱାଇଏସଆରସିପି, ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ, ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମୀନ (ଏଆଇଏଆଇଏମ) ଓ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇଡୁୟୁଏଫ) ।

ତେବେ ଏନଡିଏ ଓ ଇଣ୍ଡିଆ ପାଇଁ ଏହି ନିରପେକ୍ଷ ୯ଟି ଦଳ ଏବେ ଚିନ୍ତାର କାରଣ ସାଜିଛନ୍ତି । ଏହି ଦଳଗୁଡ଼ିକ ଯେଉଁପଟକୁ ଢଳିବେ ସେହି ପକ୍ଷ ନିଶ୍ଚିତ ଭାବେ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ତେଣୁ ଆଗାମୀ ଦିନରେ ଏମାନଙ୍କୁ ନିଜ ପକ୍ଷକୁ ନେବାକୁ ଦୁଇ ଗୋଷ୍ଠୀ ମଧ୍ୟରେ କଡ଼ା ସଂଘର୍ଷ ଚାଲିବ । ଏଥର ନିର୍ବାଚନ ନିଶ୍ଚିତ ଭାବେ ରୋମାଞ୍ଚକର ହେବ ତାହା ବର୍ତ୍ତମାନ ଠାରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି । ପଦ ଓ କ୍ଷମତା ଲାଳସାରେ ଏହି ନିରପେକ୍ଷ ଦଳମାନେ ଯାହା କିଛି ପଦକ୍ଷେପ ନେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.