ଚକାଚକ୍ ହେବ ଓଡ଼ିଶା ରାସ୍ତା, ରାଜ୍ୟରେ ୧୯ଟି ପ୍ରକଳ୍ପର ହେବ ଶିଳାନ୍ୟାଶ

ବହୁମୁଖୀ ପ୍ରକଳ୍ପ ଉଦ୍ଘାଟନ କରିବେ ନୀତିନ ଗଡକରି । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ।

ଭୁବନେଶ୍ୱର: ରୋଡ଼ ସଂଯୋଗୀକରଣ କ୍ଷେତ୍ରରେ ଏକ ନମ୍ବର ହେବ ଓଡିଶା। ଆସନ୍ତା କାଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡିଶା ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଶେଷ ହୋଇଯାଇଛି । ଏ ଅବସରରେ ଚାରି ହଜାର କୋଟିରୁ ଉର୍ଦ୍ଧ ଟଙ୍କାର 19 ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରି ଯୋଗଦେବେ। ସେଥିମଧ୍ୟରୁ 13 ଟି ଜାତୀୟ ରାଜପଥ ପ୍ରକଳ୍ପ 2905 କୋଟି ଟଙ୍କାର ଶିଳାନ୍ୟାସ କରିବେ ନୀତିନ ଗଡ଼କରୀ। 427 କୋଟି ଟଙ୍କାର ଚାରୋଟି ସିଆରଆଇଏଫ ବ୍ରିଜର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ।

ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ 841 କୋଟି ଟଙ୍କା, ଏହାର ଲୋକାର୍ପଣ କରିବେ କେନ୍ଦ୍ର ମନ୍ତ୍ରୀ। ଚଳିତ ବର୍ଷ ଓଡିଶା ସରକାର 28 ହଜାର କୋଟିର ଅନୁଦାନ ଦାବୀ କରିଥିବା ବେଳେ 9 ହଜାର କୋଟି ଟଙ୍କାର ଅନୁଦାନ ମିଳିଛି । ସଡକ ସଂଯୋଗୀକରଣରେ ଓଡିଶା 8 ନମ୍ବରରୁ 1 ନମ୍ବର ହେବ।

ଭୁବେନେଶ୍ୱରରୁ ପୁରୀ, ମେରାଇନ ଡ୍ରାଇଭ ରୋଡ଼, ପୁରୀରୁ ସାତପଡ଼ା ରାସ୍ତାର ପ୍ରଶାସ୍ଥିକରଣ ସହ କିଛି 4 ଲେନକୁ 6 ଲେନ କରିବାକୁ ପ୍ରସ୍ତାବ ରହିଛି । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ଚିଠି ମାଧ୍ୟମରେ ଏସବୁ ପ୍ରକଳ୍ପ ନେଇ ଜଣାଇଛନ୍ତି। ଉପକୂଳ ରାଜପଥ ପାଇଁ ଆର୍ଥିକ ଅନୁମତି ମିଳିଛି। କିନ୍ତୁ ପ୍ରଶାସନିକ ଅନୁମତି ମିଳି ନଥିବାରୁ ଟେଣ୍ଡର ବିଳମ୍ବ ହେଉଛି। ଉପକୂକ ରାଜପଥ ଏବଂ କ୍ୟାପିଟାଲ ରିଙ୍ଗ ରୋଡ଼ର କାମ ଖୁବଶିଘ୍ର ଆରମ୍ଭ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।