fbpx

ଆଜି ସନ୍ଧ୍ୟା ୭ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ରିପୋର୍ଟ

ପାଟନା: ଆଜି ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି। ଏନେଇ ସନ୍ଧ୍ୟା ୭ଟାରେ ସେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ଆଜି ନୀତିଶ ଇସ୍ତଫା ଦେଇ ଆସନ୍ତାକାଲି ବିଜେପି ସହ ମିଣି ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

ଏଠାରେ କହି ରଖୁ ଯେ, ଏନଡିଏ ମେଣ୍ଟକୁ ଜେଡିୟୁ ଫେରିବା ଏକ ପ୍ରକାର ନିଷ୍ପତି ହୋଇସାରିଛି, କେବଳ ଔପଚାରିକ ଘୋଷଣା ବାକି ରହିଛି । ଏହାରି ମଧ୍ୟରେ ଜେଡିୟୁ ପକ୍ଷରୁ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି ନୀତିଶ । କଂଗ୍ରେସର କିଛି ବିଧାୟକ ମଧ୍ୟ ନୀତିଶଙ୍କ ସହ ଏନଡିଏ ମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

ତେବେ ବିଜେପି ସହ ମିଶି ଜେଡିୟୁ ନୂଆ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆରଜେଡି ମଧ୍ୟ କଂଗ୍ରେସ ସହ ମିଶି ସରକାର ଗଢିବା ଯୋଜନାରେ ରହିଛି । ବିହାର ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୪୩ । ସରକାର ଗଢିବାକୁ ମ୍ୟାଜିକ ନମ୍ବର ୧୨୨ । ମୋଟ୍ ୭୯ ଆସନ ସହ ଲାଲୁ ଯାଦବଙ୍କ ଆରଜେଡି ସବୁଠାରୁ ବଡଦଳ ଏବଂ ୭୮ ଆସନ ସହ ଦ୍ୱିତୀୟରେ ରହିଛି ବିଜେପି । ଦୁଇଦଳ ମ୍ୟାଜିକ ନମ୍ବର ଛୁଇଁ ପାରିନଥିବାରୁ ମାତ୍ର ୪୫ ଆସନ ଜିତିଥିବା ନୀତୀଶ କୁମାରଙ୍କ ଜେଡିୟୁ ଉପରେ ନିର୍ଭରଶୀଳ । କଂଗ୍ରେସର ୧୯ ଓ ବାମଦଳର ୧୬ ବିଧାୟକ ଅଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳ ମିଶି ମୋଟ୍ ବିଧାୟକ ସଂଖ୍ୟା ୧୧୪ । ଏନଡିଏ ମେଂଟ ସହ ଥିବା ହମ ପାର୍ଟିପାଖରେ ରହିଛି ୪ଟି ଆସନ । ତେଣୁ ନୀତୀଶଙ୍କ ସମର୍ଥନ ଯୁଆଡେ ଯିବ ସେ ସରକାରରେ ବସିବ । ଅନ୍ୟପଟେ ଏନଡିଏରେ ଫାଟ ସୃଷ୍ଟି କରିବାକୁ ହମ୍ ପାର୍ଟି ମୁଖ୍ୟ ଜୀତନରାମ ମାଂଝୀଙ୍କ ସହ କଂଗ୍ରେସ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ବିହାରର ଏହି ଚର୍ଚ୍ଚା ଆଲୋଚନା ଭିତରେ ଜାତୀୟ ରାଜନୀତି ବେଶ ସରଗରମ ରହିଛି । ତେବେ କେନ୍ଦ୍ରରେ ବିଜେପି ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଥିବା ବେଳେ ଆଞ୍ଚଳିକ ଦଳଗୁଡିକ ମଧ୍ୟ ବେଶ ଗୁରୁତ୍ୱ ବହନ କରୁଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟର ମୁଖ୍ୟ ପୁରୋଧା ସାଜିଥିବା ନୀତିଶ କୁମାର ଏବେ ବିଜେପି ମୁହାଁ ହୋଇସାରିଛନ୍ତି।

Get real time updates directly on you device, subscribe now.