fbpx

ଏଣିକି ଘରୋଇ ହସ୍ପିଟାଲରେ ଆଉ ହେବ ନାହିଁ କୋଭିଡ୍ ଟେଷ୍ଟ, ରାଜ୍ୟ ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଘରୋଇ ହସ୍ପିଟାଲରେ କରୋନା ଟେଷ୍ଟ କରାଯିବ ନାହିଁ । ପୂର୍ବରୁ ରାଜ୍ୟ ସରକାର ଘରୋଇ ଲ୍ୟାବ୍ ସହ କରିଥିବା ଟେଷ୍ଟିଂ ଚୁକ୍ତିକୁ ନବୀକରଣ କରିନାହାନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ୍ କାର୍ଯ୍ୟକ୍ଷମ ହେବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଜିଲ୍ଲା ଲ୍ୟାବର କ୍ଷମତା ବାହାରେ ଅତିରିକ୍ତ ନମୂନାକୁ ଆରଏମଆରସି କିମ୍ବା ଏସବିସିରେ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ରୋଗୀଙ୍କର ରାପିଡ୍ ଆଣ୍ଟିଜେନ ସହ ଆରଟି-ପିସିଆର ଟେଷ୍ଟ କରାଯାଉଥିଲା । ଆରଟି-ପିସିଆରର ପରୀକ୍ଷା ଉପରେ ନିର୍ଭରଶୀଳତା ଅଧିକ ବଢ଼ିଯାଇଥିବାରୁ ସରକାର କିଛି ଘରୋଇ ଲ୍ୟାବରେ ପରୀକ୍ଷା ନେଇ ବୁଝାମଣା କରିଥିଲେ । ମାତ୍ର ତୃତୀୟ ଲହରକୁ ନଜରରେ ରଖି ସରକାର ପ୍ରତ୍ୟେକ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ ପ୍ରତିଷ୍ଠା କରିସାରିଛନ୍ତି । ଜିଲ୍ଲାସ୍ତରରେ ଆରଟି-ପିସିଆର ଲ୍ୟାବ୍ କାର୍ଯ୍ୟକ୍ଷମ ହେବା ପରେ ସରକାର ଘରୋଇ ଲ୍ୟାବ୍ ଉପରୁ ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି । ଗତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଘରୋଇ ଲ୍ୟାବଗୁଡ଼ିକ ସହ ଚୁକ୍ତିର ଅବଧି ରହିଥିବା ବେଳେ ସରକାର ତାହାକୁ ପୁନଃନବୀକରଣ କରିନାହାନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଦୈନିକ ୫୦ ହଜାରରୁ ଅଧିକ ନମୂନା ପରୀକ୍ଷଣ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.