fbpx

ଏଣିକି କର୍ପୋରେଟରଙ୍କ ବିନା ଅନୁମତିରେ ଜବରଦଖଲ ଉଚ୍ଛେଦ ହୋଇ ପାରିବନି! ନୂଆ ନିୟମ ଲାଗୁ କରିବ BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜବରଦଖଲ ଉଚ୍ଛେଦ ପାଇଁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏଣିକି କର୍ପୋରେଟରଙ୍କ ବିନା ଅନୁମତିରେ ସହରରେ କୌଣସି ଜବରଦଖଲ ଉଚ୍ଛେଦ କାର୍ଯ୍ୟ ହୋଇ ପାରିବ ନାହିଁ । କର୍ପୋରେଟରଙ୍କ ପକ୍ଷରୁ ଏଭଳି ଦାବି ଆସିବା ପରେ ଏନେଇ ଆସନ୍ତା ବୈଠକରେ ପ୍ରସ୍ତାବ ପାରିତ ହେବାକୁ ଯାଉଛି ।

ପୂର୍ବରୁ କିଛି କର୍ପୋରେଟର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ ଏଭଳି ଦାବି କରି ଆସୁଥିଲେ । ଏନେଇ ପୂର୍ବ ବୈଠକରେ ଆଲୋଚନା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ଅଫିସରଙ୍କ କାର୍ଯ୍ୟକୁ ନେଇ କର୍ପୋରେଟରମାନେ ଅସନ୍ତୁଷ୍ଟ ହୋଇଥିବା ଦେଖାଯାଇଥିଲା । କର୍ପୋରେଟରମାନେ ଯେଉଁ ଦୋକାନ ବା ଘରକୁ ଭାଙ୍ଗିବା ସପକ୍ଷରେ ନଥିଲେ ତାହାକୁ ଅଫିସରମାନେ ଭାଙ୍ଗି ଦେଉଥିବା ଦେଖାଯାଇଥିଲା । ନିକଟରେ କିଛି ୱାର୍ଡରେ ଏଭଳି କିଛି ଘଟିବା ପରେ କିଛି କର୍ପୋରେଟର ଏକତ୍ର ହୋଇଥିବା ଦେଖାଯାଇଛି ।

ଏଭଳି ଜବରଦଖଲ ଉଚ୍ଛେଦ ଆଗାମୀ ଦିନରେ ଅନ୍ୟ ୱାର୍ଡରେ ଘଟିପାରେ ଏହି ଆଶଙ୍କାରେ କର୍ପୋରେଟରମାନେ ଏକ ବିଧିବଦ୍ଧ ପ୍ରସ୍ତାବ ପାସ୍ କରିବାକୁ ଯୋଜନା କରିଛନ୍ତି । ତେବେ ଯଦି ଏଭଳି ପ୍ରସ୍ତାବ ପାରିତ ହୁଏ, ତେବେ ଏହା ବିଏମସି ଇତିହାସରେ ପ୍ରଥମ ଘଟଣା ହେବ ବୋଲି କୁହାଯାଉଛି । ଏହାକୁ ନେଇ ବିଭିନ୍ନ ମହଲରୁ ବିଏମସିର କାର୍ଯ୍ୟ ପ୍ରଣାଳୀକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଜବରଦଖଲ କାରଣରୁ ଅନେକ ସମୟରେ ରାସ୍ତାଘାଟରେ ପରିମଳ ଅବ୍ୟବସ୍ଥା ହେଉଥିବା ବେଳେ କିଛି ବଡ଼ବଡ଼ିଆଙ୍କ ଜବରଦଖଲକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.