fbpx

ଓପିଡି ଟିକେଟ ପାଇଁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ, ଏବେ ସ୍କାନ୍ କରି ହସ୍‌ପିଟାଲରେ ଶୀଘ୍ର ପଞ୍ଜୀକରଣ କରିପାରିବେ

ନୂଆଦିଲ୍ଲୀ: ଜାତୀୟ ସ୍ବାସ୍ଥ୍ୟ ପ୍ରାଧୀକରଣ (ଏଚଏନଏ) ନିଜର ପ୍ରମୁଖ ଯୋଜନା ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ସ୍କାନ୍ ଏବଂ ସେୟାର ମାଧ୍ୟମରେ ରୋଗୀମାନଙ୍କ ପାଇଁ ତ୍ବରିତ ଓପିଡି ପଞ୍ଜୀକରଣ ସେବା ପ୍ରଦାନ କରୁଛି। ଅକ୍ଟୋବର ୨୦୨୨ ରେ ନୂଆଦିଲ୍ଲୀ ସ୍ଥିତ ଏକ ହସ୍‌ପିଟାଲରେ ଏହି ସେବାକୁ ପାଇଲଟ୍ ଭିତ୍ତିରେ ଆରମ୍ଭ କରାଯାଇଥିଲା। ଏବେ ଏହାକୁ ଭାରତର ୧୮ ଟି ରାଜ୍ୟରେ ୨୦୦ ରୁ ଅଧିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗ୍ରହଣ କରାଯାଇଛି।

ଏହି ସୁବିଧାର ଆରମ୍ଭ ହେବାର ୭୫ ଦିନର ଅବଧି ମଧ୍ୟରେ ସ୍କାନ୍ ଓ ସେୟାର ସେବା ପ୍ରାୟ ୧ ଲକ୍ଷରୁ ଅଧିକ ରୋଗୀମାନଙ୍କୁ ଓପିଡି ପରାମର୍ଶ ପାଇଁ ତତ୍କାଳ ପଞ୍ଜୀକରଣ ସୁବିଧା ପ୍ରଦାନ କରିଛି। ଏହାଦ୍ବାରା ତାଙ୍କର ସମୟ ସଞ୍ଚୟ ହେବା ସହିତ ଓପିଡି ପଞ୍ଜୀକରଣର ସହଜ ହୋଇ ପାରିଛି। କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତର ପ୍ରଦେଶ ସେହି ପ୍ରମୁଖ ରାଜ୍ୟ ମଧ୍ୟରେ ରହିଛି ଯେଉଁମାନେ ରୋଗୀମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଏହି ସୁବିଧାର ବ୍ୟବହାର କରୁଛନ୍ତି।

ଏହି ସେବା ରୋଗୀମାନଙ୍କୁ ନିଜ ପସନ୍ଦର କୌଣସି ସ୍ବାସ୍ଥ୍ୟ ଆପ୍ଲିକେସନ (ଯେପରିକି ଏବିଏଚଏ ଆପ୍, ଆରୋଗ୍ୟ ସେତୁ ଆପ୍, ଏକା କେୟାର, ଡ୍ରିଫ୍‌କେସ୍, ବଜାଜ୍ ହେଲ୍‌ଥ, ପେଟିଏମ୍‌) ର ଉପଯୋଗ କରି ଏଥିରେ ଭାଗୀଦାର ହସ୍‌ପିଟାଲ୍ / ସ୍ବାସ୍ଥ୍ୟ ସୁବିଧାର ୟୁନିକ୍ କ୍ୟୁଆର କୋଡ୍ କୁ କେବଳ ସ୍କାନ କରିବା ସହିତ ନିଜର ଏବିଏଚଏ ପ୍ରୋଫାଇଲ୍ ଆଦାନ ପ୍ରଦାନ କରିବାର ସୁବିଧା ପ୍ରଦାନ କରିଥାଏ।

ନିଜର ଏବିଏଚଏ (ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟ) ରୁ ରୋଗୀଙ୍କ ନାମ, ଅଭିଭାବକଙ୍କ ନାମ, ବୟସ, ଲିଙ୍ଗ, ଠିକଣା, ମୋବାଇଲ୍ ନମ୍ବର ଆଦି ପରି ଡେମୋଗ୍ରାଫିକ୍ ବିବରଣୀ ପ୍ରତ୍ୟକ୍ଷ ଭାବରେ ହସ୍‌ପିଟାଲ୍ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏଚଏମଆଇଏସ୍‌) ସହିତ ଆଦାନ ପ୍ରଦାନ କରାଯାଇଥାଏ। ଏହାପରେ ଡିଜିଟାଲ୍ ପଞ୍ଜୀକରଣର ପ୍ରକ୍ରିୟା ପୂରଣ ହୋଇଥାଏ। ଏହାପରେ ରୋଗୀ ନିଜର ଆଉଟ୍ ପେସେଣ୍ଟ ସ୍ଲିପକୁ ଗ୍ରହଣ କରି ଡାକ୍ତରଙ୍କ ସହିତ ସାକ୍ଷାତ କରିବାକୁ କାଉଣ୍ଟରକୁ ଯାଇପାରିବେ।

ଏହି ସ୍କାନ୍ ଏବଂ ସେୟାର କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ଓପିଡି ପଞ୍ଜୀକରଣକୁ ସହଜ, ସୁଗମ ଏବ ସଠିକ୍ କରିଛି। ଏହା ସହିତ ଏହି ପ୍ରକ୍ରିୟାରେ ରିଭିଜିଟ କ୍ଷେତ୍ରରେ ରୋଗୀଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଏହା କେବଳ ରୋଗୀମାନଙ୍କୁ ତତ୍କାଳ ଓ ବାସ୍ତବିକ ଲାଭ ପ୍ରଦାନ କରୁ ନାହିଁ ବରଂ ସେମାନଙ୍କୁ ନିଜର ସ୍ବାସ୍ଥ୍ୟ ଆବଶ୍ୟକତା ପାଇଁ ଡିଜିଟାଲ୍ ସମାଧାନ ସ୍ବୀକାର କରିବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛି।

Get real time updates directly on you device, subscribe now.