fbpx

ତାଜମହଲ ବିବାଦ: ଯାଚିକା ଖାରଜ କରି ଭର୍ତ୍ସନା କଲେ ହାଇକୋର୍ଟ, ଏବେ ସୁପ୍ରିମକୋର୍ଟ ଯିବେ ଆବେଦନକାରୀ

Advertisement

ନୂଆଦିଲ୍ଲୀ: ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ତାଜମହଲର ୨୨ କୋଠରୀ ଖୋଲିବା ଏବଂ ସର୍ଭେ କରାଯିବା ଦାବିରେ ଦାଖଲ ଯାଚିକାକୁ ଖାରଜ କରିଛନ୍ତି। ହାଇକୋର୍ଟ କଠୋର ଟିପ୍ପଣୀ କରି କହିଛନ୍ତି,  ତାଜମହଲର କୋଠରୀ ଖୋଲିବା ପାଇଁ ଆପଣ କିଏ ? ଜନସ୍ଵାର୍ଥ ମାମଲା(ପିଆଇଏଲ)ର ଲୋକହସା କରନ୍ତୁ ନାହିଁ। ଆମେ ଏବେ ବି ହାର ମାନିନାହୁଁ ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ। ଏବେ ଆବେଦନକାରୀ ଉଚ୍ଚତମ ନ୍ୟାୟାଳୟର ଦ୍ଵାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ବୁଧବାର ଆହ୍ଲାବାଦ ହଇକୋର୍ଟର ଲକ୍ଷ୍ନୌ ବେଞ୍ଚ ତାଜମହଲର ୨୨ ବନ୍ଦ କୋଠରୀ ଖୋଲିବା ଏବଂ ସର୍ଭେ କରାଇବା ନେଇ ଦାଖଲ ଯାଚିକାକୁ ଅଗ୍ରାହ୍ୟ କରିଛନ୍ତି। ଶୁଣାଣି ସମୟରେ ଅଦାଲତ ଆବେଦନକାରୀଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି ଏବଂ ପ୍ରଶ୍ନ କରିଛନ୍ତି ଯେ, ତାଜମହଲର କୋଠରୀ ଖୋଲିବା ପାଇଁ ଆପଣମାନେ କିଏ ? ଅଦାଲତ ଜନସ୍ଵାର୍ଥ ଆବେଦନର ଦୁରୁପଯୋଗ ନକରିବାକୁ ଆବେଦନକାରୀଙ୍କୁ ଉପଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି, କାଲି ଆପଣ ଆସିବେ ଏବଂ କହିବେ ଆମକୁ ମାନନୀୟ ଜଜଙ୍କ ଚେମ୍ବର ଯିବାକୁ ଅନୁମତି ଦିଅନ୍ତୁ।

ଆବେଦନକାରୀଙ୍କ ଆବେଦନ ଉପରେ ହାଇକୋର୍ଟ କହିଛନ୍ତି, ଆପଣ ମାନନ୍ତି ନାହିଁ ଯେ, ଶାହଜାହାନ ତାଜମହଲ ନିର୍ମାଣ କରିଛନ୍ତି। ଯଦି ଏମିତି କଥା ତେବେ ଯାଆନ୍ତୁ ଗବେଷଣା କରନ୍ତୁ, ଏମଏ କରନ୍ତୁ, ପିଏଚଡି କରନ୍ତୁ। ଆମେ ଏଠାରେ ଏହି ନିଷ୍ପତ୍ତି ଶୁଣାଇବା ପାଇଁ ବସି ନାହୁଁ ଯେ, ତାଜମହଲ କିଏ ନିର୍ମାଣ କରିଛି, ତାଜମହଲର ବୟସ କେତେ ?

ହାଇକୋର୍ଟ ଦ୍ଵାରା ଯାଚିକା ଅଗ୍ରାହ୍ୟ ହେବା ପରେ ଆବେଦନକାରୀଙ୍କ ଓକିଲ ଗଣମାଧ୍ୟମ ସହ ଆଲୋଚନା ବେଳେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହେବା କଥା କହିଛନ୍ତି। ଓକିଲ ପୁଣି ଥରେ କହିଛନ୍ତି, ଅନେକ ବର୍ଷ ଧରି ତାଜମହଲର ସେହି ୨୨ କୋଠରୀ ବନ୍ଦ ରହିଛି। ସମସ୍ତଙ୍କୁ ଜାଣିବାର ଏହି ଅଧିକାର ରହିଛି ଯେ, ଉକ୍ତ କୋଠରୀ ଭିତରେ କଣ ରହିଛି ?

 

Get real time updates directly on you device, subscribe now.