fbpx
BJD
BJD SKY
BJD SKY

ମୋବାଇଲ କମ୍ପାନୀ ନୋକିଆ ନେବାକୁ ଯାଉଛି ଏପରି ପଦକ୍ଷେପ, ୧୪,୦୦୦ କର୍ମଚାରୀଙ୍କୁ କରିବ ଛଟେଇ

BJD

ନୂଆଦିଲ୍ଲୀ: ଗତ ୨୦୨୨ରୁ ସାରା ବିଶ୍ୱର ଆର୍ଥିକ ଅବସ୍ଥା ମାନ୍ଦା ପରିସ୍ଥିତି ଦେଇ ଗତି କରୁଛି । ଏହାର ପ୍ରଭାବ ବଡ ବଡ କମ୍ପାନୀ ଉପରେ ଲଗାତର ପଡିବାରେ ଲାଗିଛି । ଫଳରେ ବହୁ କମ୍ପାନୀରେ ଏବେ ଛଟେଇର ଧାରା ଜାରି ରହିଛି । କଷ୍ଟ କଟିଂ ନାମରେ କମ୍ପାନୀ ହଜାର ହଜାର ଲୋକଙ୍କୁ ଚାକିରୀରୁ ଛଟେଇ କରୁଛନ୍ତି । ଏହି ତାଲିକାରେ ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଂଜିନ ଗୁଗଲ ଠାରୁ ଆରମ୍ଭ କରି ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ସବୁଠାରୁ ଆଗରେ ରହିଛି । ଏବେ ବଡ ଛଟେଇ କରିବାକୁ ଯାଉଥିବା ଏହି କମ୍ପାନୀ ତାଲିକାରେ ଏକ ନୂଆ ନାମ ଯୋଡି ହୋଇଯାଇଛି । ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ବଡ ମୋବାଇଲ୍ କମ୍ପାନୀ ନୋକିଆ । କମ୍ପାନୀ ଏହାର ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ।

ମିଳିଥିବା ରିପୋର୍ଟ ଅନୁସାରେ , ଗୁରୁବାର ନୋକିଆ ପକ୍ଷରୁ କୁହାଯାଇଛି କି ଉତ୍ତର ଆମେରିକା ପରି ବଜାରରେ ୫ଜି ଉପକରଣର ଧୀମା ବିକ୍ରୀ କାରଣରୁ ବର୍ଷର ତୃତୀୟ ତ୍ରୈମାସରେ ବିକ୍ରୀ କ୍ଷେତ୍ରରେ ବେଶ୍ ହ୍ରାସ ପରିଲକ୍ଷିତ ହୋଇଛି । କମ୍ପାନୀ ଅନୁସାରେ ବିକ୍ରୀ କ୍ଷେତ୍ରରେ ୨୦% ହ୍ରାସ ଘଟିଛି । ଫଳରେ ନୋକିଆ ଏହାର ନ୍ୟୁ କଷ୍ଟ ସେଭିଂ ପ୍ଲାନ ଜରିଆରେ ୧୪,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଛି । ଏହି ଛଟେଇ ପରେ କମ୍ପାନୀର କର୍ମଚାରୀ ସଂଖ୍ୟା ୮୬,୦୦୦ ପରିବର୍ତ୍ତେ ୭୨,୦୦୦ ହୋଇଯିବ ।

କମ୍ପାନୀ ଏହି ନିଷ୍ପତ୍ତି ସେହି ସମୟରେ ନେଇଛି ଯେତେବେଳେ ଏହା ଉତ୍ତର ଆମେରିକା ପରି ମହତ୍ତ୍ୱପୂର୍ଣ୍ଣ ବଜାରରେ ବହୁ ଆହ୍ୱାନର ସାମ୍ନା କରିବାରେ ଲାଗିଛି । ଛଟେଇ ସହିତ ଅନ୍ୟ କଷ୍ଟ ସେଭିଂ ପଦକ୍ଷେପ ଦ୍ୱାରା କମ୍ପାନୀ ୨୦୨୬ ସୁଦ୍ଧା ୮୦୦ ମିଲିୟନ ୟୁରୋରୁ ଆରମ୍ଭ କରି ୧.୨ ବିଲିୟନ ୟୁରୋ ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି ।

ନୋକିଆ ପରିଚାଳନା ପ୍ରବନ୍ଧକଙ୍କ ଅନୁଯାୟୀ ଗତ ବର୍ଷ ତୁଳନାରେ ଚଳିତ ତ୍ରୈମାସରେ କମ୍ପାନୀର ମୋଟ ବିକ୍ରୀ କ୍ଷେତ୍ରରେ ବହୁତ ହ୍ରାସ ପରିଲକ୍ଷିତ ହୋଇଛି । ଏହି ସମୟ ମଧ୍ୟରେ ବିକ୍ରୀ ୬.୨୪ ବିଲିୟନରୁ ହ୍ରାସ ପାଇ ୪.୯୮ ବିଲିୟନ ୟୁରୋ ହୋଇଯାଇଛି । ନୋକିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପେକ୍କା ଲୁଣ୍ଡମାର୍କ ତୃତୀୟ ତ୍ରୈମାସରେ କମ୍ପାନୀ ସାମ୍ନା କରିଥିବା ଏହି ଆହ୍ୱାନକୁ ସ୍ୱୀକାର କରିଛନ୍ତି ଓ କହିଛନ୍ତି ୪ର୍ଥ ତ୍ରୈମାସରେ ନେଟୱାର୍କ ବିଜନେସ୍ କ୍ଷେତ୍ରରେ ଅଧିକ ସୁଧାର ଆସିବା ନେଇ ଆଶା ରହିଛି । କମ୍ପାନୀର ୧୪,୦୦୦ କର୍ମଚାରୀଙ୍କ ଛଟେଇ ସମ୍ବନ୍ଧରେ ସେ କହିଛନ୍ତି ମାର୍କେଟରେ ଜାରି ଅନିଶ୍ଚୟତା ଓ କମ୍ପାନୀର ଦୀର୍ଘସ୍ଥାୟୀ ଲାଭ କ୍ଷେତ୍ରରେ ସୁଧାର ଆଣିବାକୁ ଏପରି ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି ।

Get real time updates directly on you device, subscribe now.