fbpx

ସ୍ତନ କର୍କଟକୁ ନେଇ ବଡ଼ ସଫଳତା: ଏଣିକି ଘରେ ବସି ଜାଣିପାରିବେ ଆପଣଙ୍କୁ ଏହି ରୋଗ ହୋଇଛି କି ନାହିଁ, ଲଞ୍ଚ ହେଲା ସ୍ପେଶାଲ କିଟ୍

ନୂଆଦିଲ୍ଲୀ: ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସମ୍ବନ୍ଧରେ ଏକ ବଡ଼ ସଫଳତା ହାସଲ କରାଯାଇଛି । ଆପୋଲୋ କ୍ୟାନ୍ସର ସେଣ୍ଟର ଓ ଡାଟାର କ୍ୟାନ୍ସର ଜେନେଟିକ୍ସ ମିଳିତ ଭାବେ ଏକ କିଟ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି । ଯାହା ମାଧ୍ୟମରେ ରକ୍ତ ପରୀକ୍ଷା କରି ବିନା ଲକ୍ଷଣ ଥିବା ରୋଗୀ ବ୍ରେଷ୍ଟ କ୍ୟାନ୍ସରକୁ ଚିହ୍ନଟ କରିପାରିବେ ।

ଏହି କିଟର ନାଁ ଇଜିଚେକ୍-ବ୍ରେଷ୍ଟ ରଖାଯାଇଛି । ବହୁତ କମ୍ ମାତ୍ରାରେ ରକ୍ତ ନମୁନା ନେଇ ଇଜିଚେକ୍-ବ୍ରେଷ୍ଟ କିଟରେ ସ୍ତନ କର୍କଟ ଚିହ୍ନଟ କରାଯାଇପାରିବ । ରିପୋର୍ଟ ଅନୁସାରେ, ୪୦ ବର୍ଷରୁ ଅଧିକ ମହିଳାଙ୍କଠାରେ ଏହି ପରୀକ୍ଷା ମାଧ୍ୟମରେ ସ୍ତନ କର୍କଟ ରୋଗର ପ୍ରଥମ ପର୍ଯ୍ୟାୟ ଚିହ୍ନଟ କରାଯାଇପାରିବ । ୟୁରୋପ ସମେତ ୧୫ ଟି ଦେଶରେ ଏହି ଡାଇଗ୍ନୋଷ୍ଟିକ୍ ଟେକନିକର ବ୍ୟବହାର ହୋଇସାରିଛି ।

ବିଶେଷଜ୍ଞ ଦଳ ଅନୁଯାୟୀ, ଏହା ମାଧ୍ୟମରେ କରାଯାଇଥିବା ରକ୍ତ ପରୀକ୍ଷଣର ଫଳାଫଳ ୯୯ ପ୍ରତିଶତ ପର୍ଯ୍ୟନ୍ତ ସଠିକ୍ ରହୁଛି । ଡାଟାର କ୍ୟାନସର ଜେନେଟିକ୍ସ ଲିମିଟେଡର ନିର୍ଦ୍ଦେଶକ ଚିରନ୍ତନ ବୋଷ କହିଛନ୍ତି ଯେ, ‘ଭାରତରେ ଲଗାତାର କ୍ୟାନ୍ସର ମାମଲା ଚିହ୍ନଟ ହେବାରେ ଲାଗିଛି । ଏହାର ଚିକିତ୍ସା ଏବଂ ରୋଗୀଙ୍କ ଦେଖାଶୁଣା ଏକ ପ୍ରମୁଖ ଚିନ୍ତାର ବିଷୟ । କ୍ୟାନ୍ସରର ପ୍ରାରମ୍ଭିକ ଅବସ୍ଥାରେ ଜାଣିପଡ଼ିଗଲେ ଆମେ ଏହି ଚିନ୍ତାକୁ ହଟାଇପାରିବା । ଯଦି ମହିଳାମାନେ ପ୍ରାଥମିକ ସ୍ତରରେ ସ୍ତନ କର୍କଟ ଚିହ୍ନଟ କରନ୍ତି, ତେବେ ଚିକିତ୍ସାର ମୂଲ୍ୟ ହ୍ରାସ କରାଯାଇପାରେ । ଏହା ସହ ସୁରକ୍ଷିତ ବଞ୍ଚିବାର ସୁଯୋଗ ମଧ୍ୟ ବଢ଼ିଯିବ ।’ ମହିଳାମାନେ ମାତ୍ର ୬ ହଜାର ଟଙ୍କାରେ ସେମାନଙ୍କୁ ସ୍ତନ କର୍କଟ ହୋଇଛି କି ନାହିଁ ଜାଣିପାରିବେ ।

Get real time updates directly on you device, subscribe now.