fbpx

ଧ୍ୟାନ ଦିଅନ୍ତୁ ବିଜୁଳି ଉପଭୋକ୍ତା…ଏବେ ସିଧାସଳଖ ଆପଣଙ୍କ ଆକାଉଣ୍ଟକୁ ଆସିବ ଇଲେକ୍ଟ୍ରିକ ସବସିଡି ! ସଂସଦରେ ଆଗତ ହେବ ନୂତନ ବିଲ୍

ନୂଆଦିଲ୍ଲୀ : ସଂସଦରେ ନଭେମ୍ବର ୨୯ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ କେନ୍ଦ୍ର ସରକାର ଏକ ନୂତନ ବିଜୁଳି ସଂଶୋଧନ ବିଲ୍ ଆଗତ କରିବାକୁ ଯାଉଛନ୍ତି । ବିଜୁଳି ସଂଶୋଧନ ବିଲର ଡ୍ରାଫ୍ଟ ପ୍ରାୟତଃ ଚୂଡାନ୍ତ ହୋଇ ସାରିଛି । ଏହି ବିଲ୍ ବା ବିଧେୟକ ଅନୁଯାୟୀ, ବିଜୁଳି କମ୍ପାନୀକୁ ସରକାରଙ୍କ ପକ୍ଷରୁ କୌଣସି ସବସିଡି ଦିଆଯିବ ନାହିଁ । ବରଂ ସରକାର ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡିକୁ ସିଧାସଳଖ ଟ୍ରାନ୍ସଫର କରିବ । ଏହା ସଂପୂର୍ଣ୍ଣ ରୂପେ ସେହି ପରି ହେବ ଯେମିତି ରୋଷେଇ ଗ୍ୟାସର ସବସିଡି ଟଙ୍କା ସିଧାସଳକ ବ୍ୟାଙ୍କ ଖାତାରେ ଜମା ହେଉଛି ।

ଏହି ବିଲ ମାଧ୍ୟମରେ ବିଜୁଳି ବିତରଣ କମ୍ପାନୀକୁ ଡି-ଲାଇସେନ୍ସ କରିବାର ପ୍ରସ୍ତାବ ରଖାଯିବ । ଏହାର ଫାଇଦା ଏହା ହେବ ଯେ, ବିଜୁଳି ବିତରଣ କରୁଥିବା ଘରୋଇ କମ୍ପାନୀ ସରକାରୀ ବିତରଣ କମ୍ପାନୀ ସହିତ ପ୍ରତିଯୋଗିତା କରି ପାରିବ । ଏହା ବ୍ୟତୀତ, ବିଜୁଳି ଉପଭୋକ୍ତା କେଉଁ ବିତରଣ କମ୍ପାନୀରୁ ବିଜୁଳି ସଂଯୋଗ ଦେବାକୁ ଚାହିଁବେ ତାହା ଚୟନ କରି ପାରିବେ । ଏହି ବିଷୟରେ ଗତ ସାଧାରଣ ବଜେଟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହା ଉପରେ ଏକ ଫ୍ରେମୱର୍କ ପ୍ରସ୍ତୁତ କରାଯାଉଥିବା କହିଥିଲେ । ତେବେ ଏହି ସଂଶୋଧନ ବିଲକୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ କେରଳ ପ୍ରଥମରୁ ଆପତ୍ତି ପ୍ରକାଶ କରିଛନ୍ତି ।

ଏମିତି ପଡିପାରେ ଉପଭୋକ୍ତାଙ୍କ ଉପରେ ପ୍ରଭାବ

କୁହାଯାଉଛି,ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ବିଜୁଳି ଉପଭୋକ୍ତାଙ୍କ ଉପରେ ପଡିବ । ଏ ପର୍ଯ୍ୟନ୍ତ ବିଜୁଳି ବିତରଣ କରୁଥିବା କମ୍ପାନୀକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ସବସିଡି ଦିଆଯାଉଛି । ଏହି ସବସିଡି ଆଧାରେରେ ବିଜୁଳି ଦର ନିର୍ଦ୍ଧାରଣ ହୋଇଥାଏ । ଯଦି ଏବେ ବିଜୁଳି କମ୍ପାନୀକୁ ସବସିଡି ମିଳିବ ନାହିଁ ତେବେ ଏହାର ସିଧା ସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡିବ । ଉପଭୋକ୍ତାଙ୍କ ବିଜୁଳି ବିଲ୍ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ବିଧେୟକରେ ଏହା ମଧ୍ୟ କୁହାଯାଇଛି ଯେ, ଗ୍ରାହକଙ୍କ ଖାତାକୁ ସବସିଡିର ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯିବ । ମାତ୍ର ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ, କେଉଁ ଗ୍ରାହକଙ୍କୁ ସବସିଡି ମିଳିବ ଏବଂ କାହାକୁ ମିଳିବନି ।

ସରକାର କାହିଁକି ଆଣୁଛନ୍ତି ଏହି ବିଲ୍

ବର୍ତ୍ତମାନ ଅନେକ ବିଜୁଳି ବିତରଣ କମ୍ପାନୀ କ୍ଷତିରେ ଚାଲୁଛନ୍ତି । ଡିସକମ ଉପରେ କମ୍ପାନୀଗୁଡିକର ୯୫ ହଜାର କୋଟି ଟଙ୍କାର ବକେୟା ରହିଛି । ଡିସକମକୁ ସବସିଡି ମିଳିବାରେ ବିଳମ୍ବ ଘଟିଥାଏ । ଏହି କାରଣରୁ ବିତରଣ କମ୍ପାନୀ ଏବେ ସଙ୍କଟରେ । କମ୍ପାନୀକୁ ଏହି ସଙ୍କଟରୁ କାଢିବା ପାଇଁ ସରକାର ବିଲ୍ ଆଣୁଛନ୍ତି । କିନ୍ତୁ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ପଡିବ । ପୂର୍ବରୁ ପେଟ୍ରୋଲ ଓ ଡିଜେଲ୍ ସହ ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତିତ ଜନତାଙ୍କ ଉପରେ ମହଙ୍ଗା ବିଜୁଳି ବିଲର ଛାଟ ପଡିପାରେ ।

ନୂତନ ବିଲରେ ରହିଛି ଅନେକ ପେଞ୍ଚ

ନୂତନ ବିଧେୟକରେ ବହୁତ ପେଞ୍ଚ ରହିଛି । ସବୁଠୁ ବଡ ପ୍ରଶ୍ନ ବିଜୁଳି ବିଲର ସବସିଡି କାହାକୁ ମିଳିବ ? ଉଦାହରଣ ସ୍ୱରୂପ ବିଜୁଳିର ବିଲ୍ ଘର ମାଲିକ, ଜମି କିମ୍ବ ଦୋକାନ ମାଲିକ ନାଁରେ ରହିଛି ତେବେ ସବସିଡି ତାଙ୍କୁ ମିଳିବ । ମାତ୍ର ଭଡା ଘରେ ରହୁଥିବା କିମ୍ବା ଭଡାରେ ଦୋକାନ ଦେଇଥିବା ଲୋକଙ୍କ କ୍ଷେତ୍ରରେ ସବସିଡିର ଲାଭ କାହାକୁ ମିଳିବ କିଛି ସ୍ପଷ୍ଟ ହୋଇ ନାହିଁ । ଏହା ବ୍ୟତୀତ ଆଉ ଏକ ବଡ କଥା ଦେଶର ଅନେକ ଗାଁଗୁଡିକରେ ବିନା ମିଟରରେ ବିଜୁଳି ଯୋଗାଇ ଦିଆଯାଉଛି । ସରକାର ସେମାନଙ୍କଠୁ ବିଜୁଳି ବିଲ୍ କେମିତି ଆଦାୟ କରିବ ସବୁଠୁ ବଡ ଅସମାହିତ ପ୍ରଶ୍ନ ।

 

Get real time updates directly on you device, subscribe now.