fbpx

ୟୁପି ନିର୍ବାଚନ: ଏବେ ଖୋଦ୍ ପ୍ରଚାର ମଙ୍ଗ ସମ୍ଭାଳିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାନୁଆରୀ ୩୧ରେ ପ୍ରଥମ ଭର୍ଚୁଆଲ ରାଲି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଉଠୁଛି ପଡୁଛି ଦେଶର ରାଜନୀତି। ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି। ରାଜ୍ୟରେ ପୁଣି ଥରେ କ୍ଷମତାସୀନ ହେବା ପାଇଁ ବିଜେପି ଅଣ୍ଟା ଭିଡିଥିବା ବେଳେ ପ୍ରଚାର ମଇଦାନରେ ନିଜର ବଡ ବଡ ଚେହେରାକୁ ଓହ୍ଲାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅମିତ୍ ଶାହା ଏବଂ ଜେପି ନଡ୍ଡାଙ୍କ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋଦ୍ ୟୁପି ନିର୍ବାଚନର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୩୧ରେ ପ୍ରଥମ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବେ। ପ୍ରଥମ ପର୍ଯ୍ୟାୟରେ ଯେଉଁ ଜିଲ୍ଲାଗୁଡିକରେ ମତଦାନ ହେବାକୁ ଯାଉଛି ସେହି ଅଞ୍ଚଳର ଜନତାଙ୍କ ଉପରେ ବିଜେପି ଫୋକସ୍ କରିଛି।

ପାର୍ଟି ସୂତ୍ର ମୁତାବକ ଯଦି ନିର୍ବାଚନ ଆୟୋଗ ରୋଡ୍ ଶୋ ଏବଂ ରାଲିକୁ ଅନୁମତି ଦେବେ ନାହିଁ ତେବେ ଏହି ଧରଣର ଭର୍ଚୁଆଲ ରାଲି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ଉଲ୍ଲେଖନୀୟ କରୋନା ମହାମାରୀର ପ୍ରକୋପ କାରଣରୁ ନିର୍ବାଚନ ଆୟୋଗ ରାଲି ଏବଂ ରୋଡ୍ ଶୋ ଉପରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି।

ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଥମ ରାଲିରେ ପଶ୍ଚିମ ୟୁପିର ପାଞ୍ଚରୁ ଛଅ ଜିଲ୍ଲାକୁ କଭର କରାଯିବ। ରାଲିର ମୁଖ୍ୟ କେନ୍ଦ୍ର ସହରାନପୁର, ବାଗପତ, ସାମଲି, ମୁଜଫରନଗର ଏବଂ ଗୌତମ ବୁଦ୍ଧ ନଗର ପରି ଜିଲ୍ଲା ଉପରେ ରହିବ। ଏଥିପାଇଁ ବିଜେପିର ପ୍ରତିଟି ମଣ୍ଡଳୀରେ ଏକ ଏଲଇଡି ସ୍କ୍ରିନ ଲଗାଯିବ। ଗୋଟିଏ ସ୍କ୍ରିନ ମାଧ୍ୟମରେ ୫୦୦ ଲୋକଙ୍କୁ ରାଲିକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି।

ବିଜେପିର ପ୍ରାଥମିକତାରେ ପଶ୍ଚିମ ୟୁପି ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଭର୍ଚୁଆଲ ରାଲି ପୂର୍ବରୁ ଖୋଦ୍ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରି ବରିଷ୍ଠ ନେତା ଡୋର ଟୁ ଡୋର ଯାଇ ପ୍ରଚାର କରୁଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ୟୁପି ବିଜେପି ଅଧ୍ୟକ୍ଷ ସ୍ଵତନ୍ତ୍ର ଦେବ ସିଂହ ସମେତ ଅନେକ ନେତା ପ୍ରଚାରକୁ ଆହୁରି ଶାଣିତ କରୁଛନ୍ତି।

Get real time updates directly on you device, subscribe now.